୨୫ ମାସ ପରେ ୧କୁ ଖସିଲା କରୋନା: ଅଧା ଜିଲ୍ଲାରେ ଚିକିତ୍ସାଧୀନ‌ ରୋଗୀ ଶୂନ୍ୟ

ଭୁବନେଶ୍ବର: ଦୀର୍ଘ ୨୫ମାସର ବ୍ୟବଧାନ ପରେ ଓଡ଼ିଶାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ସମ୍ବଲପୁରର। ୨୦୨୦ ମାର୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମଥର ଲାଗି ଭୁବନେଶ୍ବରରୁ କରୋନା ଆକ୍ରାନ୍ତ ବାହାରିଥିଲେ। ଏହା ଭିତରେ କରୋନାର ୩ଟି ଲହର ଆସି ସାରିଲାଣି। ତେବେ ଦେଶର କିଛି ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବା ପରେ ଓଡ଼ିଶାରେ ମଧ୍ୟ ଚତୁର୍ଥ ଲହରର ଭୟ ବଢ଼ିବାରେ ଲାଗିଛି।

ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ କେବେ ବି ଦୈନିକ ସଂକ୍ରମଣ ୧କୁ ଖସି ନ ଥିଲା। ଗତ ୨୪ଘଣ୍ଟାରେ ୧୯ହଜାର ନମୁନା ପରୀକ୍ଷା ହୋଇଥିବା ବେଳେ ଜଣେ ମାତ୍ର ରୋଗୀ ଚିହ୍ନଟ ହୋଇଛନ୍ତି। କିନ୍ତୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଶୂନକୁ ଖସିନାହିଁ। ଜଣେ ସଂକ୍ରମିତଙ୍କ ତୁଳନାରେ ଆଜି ୧୧ଜଣ ରୋଗୀ କରୋନା ମୁକ୍ତ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୪କୁ ଖସି ଆସିଛି। ୧୬ଟି ଜିଲ୍ଲାରେ ଜଣେ ହେଲେ ବି ଚିକିତ୍ସାଧୀନ ରୋଗୀ ନାହାନ୍ତି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧କୁ ଖସି ଆସିବା ସତ୍ତ୍ବେ ଚତୁର୍ଥ ଲହର ଭୟ ଦୂର ହୋଇନାହିଁ।

ଦିଲ୍ଲୀରେ ସଂକ୍ରମଣ ଆରମ୍ଭ ହେବାର ୩/୪ ସପ୍ତାହ ପରେ ଓଡ଼ିଶାରେ ସଂକ୍ରମଣ ବଢ଼ିଥାଏ ବୋଲି ଦୁଇଦିନ ତଳେ ସ୍ବାସ୍ଥ୍ୟସେବା ନିର୍ଦେଶକ ସତର୍କ କରିଥିଲେ। ଦିଲ୍ଲୀରେ ସଂକ୍ରମଣ ବଢ଼ିବା ପଛରେ ଓମିକ୍ରନ୍ ପ୍ରଜାତି ଏକାଧିକ ଉପ-ପ୍ରଜାତି ରହିଥିବା ବୈଜ୍ଞାନିକମାନେ କହୁଛନ୍ତି। ମାତ୍ର ଓଡ଼ିଶାରେ ଲୋକମାନେ ମାସ୍କ, ସାମାଜିକ ଦୂରତାକୁ ସଂପୂର୍ଣ୍ଣ ଭୁଲିଗଲେଣି। ଏପରିକି ପ୍ରିକସନ୍ ଡୋଜ୍ ଟିକାକରଣକୁ ମଧ୍ୟ ଲୋକମାନେ ଆଗ୍ରହ ଦେଖାଉ ନାହାନ୍ତି। ‌ଟିକାକରଣକୁ ତ୍ବରାନ୍ବିତ କରିବା ଲାଗି ନିକଟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏ ବିଷୟରେ ଅବଗତ କରିଛନ୍ତି। ତେଣୁ ଲୋକମାନେ ଯଥାସମ୍ଭବ ସତର୍କ ରହିବା ଲାଗି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର