ଧରାକୋଟ: ‘ଗଞ୍ଜାମ ଧରାକୋଟ ବ୍ଲକ୍ ଝାଡ଼ବନ୍ଧ ପଞ୍ଚାୟତର ଉପାନ୍ତ ଗାଁ ସୁବର୍ଣ୍ଣପୁରରେ ଏବେ ବି ବିଦ୍ୟୁତ୍ ସେବା ପହଞ୍ଚିପାରିନାହିଁ। ଜିଲ୍ଲାପାଳ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ।’ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗତକାଲି ଭୁବନେଶ୍ବରରେ ଆୟୋଜିତ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ସମ୍ମିଳନୀରେ ଏହି ମର୍ମରେ ନିର୍ଦ୍ଦେଶ ଜାରି କରିବା ପରେ ଆଜି ପ୍ରଶାସନିକ କଳ ତତ୍ପରତା ଦେଖାଇଛି। ଧରାକୋଟ ବିଡିଓ ସଂଗ୍ରାମକେଶରୀ ଜେନା, ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ୱାଇଁ, ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ, ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ପ୍ରଧାନ, ବିଦ୍ୟୁତ୍ ବିଭାଗର ନୋଡାଲ ଅଧିକାରୀ ଚନ୍ଦନ ଦାସ, ଡିଜିଏମ୍ ଜୟଶ୍ରୀ ସାହୁ, ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାତ କର, ପ୍ରକଳ୍ପ ନିର୍ବାହୀ ଅଧିକାରୀ ନରେନ୍ଦ୍ର କୁମାର ନାୟକ, ନିର୍ବାହୀ ଅଧିକାରୀ ଜଗତଜିତ ଦାସ ମହାପାତ୍ର ଓ ଅମିତ ଗର୍ଗ, ସୋଲାର ଏସ୍ଇ ପ୍ରିୟଦର୍ଶୀ ବେହେରା, ଏସ୍ଡିଓ କାଳୀଚରଣ ନନ୍ଦ ଓ କନିଷ୍ଠଯନ୍ତ୍ରୀ ତୁଷାର ପାଢ଼ୀ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବିଦ୍ୟୁତ୍ ସେବା ପାଇଁ ରୂପରେଖ ପ୍ରସ୍ତୁତ କରିଛନ୍ତି। ଏହାସହ ବିଦ୍ୟୁତ୍ଖୁଣ୍ଟ ପୋତା କାମ ମଧ୍ୟ ଆରମ୍ଭ ହୋଇଛି। ଖୁବ୍ଶୀଘ୍ର ଗାଁରେ ଆଲୁଅ ଜଳିବ ବୋଲି ସୂଚନା ମିଳିଛି। ଦୀର୍ଘ ୨୮ ବର୍ଷର ପ୍ରତୀକ୍ଷା ପରେ ଗାଁକୁ ବିଦ୍ୟୁତ୍ ସେବା ପହଞ୍ଚୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ କୃତଜ୍ଞତା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗାଁକୁ ଛୁଟିଲା ଅଧିକାରୀଙ୍କ ସୁଅ
ବିଦ୍ୟୁତ୍ଖୁଣ୍ଟ ପୋତା କାମ ଆରମ୍ଭ, ଗାଁରେ ଖୁସିର ଲହରି
ଏହି ଗ୍ରାମରେ ୩୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ୧୫୦ରୁ ଅଧିକ। ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ନିକଟ ସିଙ୍ଗିପୁର ଗାଁ ବିଦ୍ୟାଳୟକୁ ପଢ଼ିବାକୁ ଯାଉଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ଗ୍ରାମବାସୀ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇ ରହିଛନ୍ତି। ସନ୍ଧ୍ୟା ହେଲେ ପ୍ରତି ଘରେ ଡିବିରି ଜଳୁଥିବା ବେଳେ କିରାସିନି ନ ମିଳିବାରୁ ସେମାନଙ୍କ ପାଇଁ ମହମବତି ଭରସା। ବିଶେଷକରି ଛାତ୍ରଛାତ୍ରୀ ଅଧିକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଗାଁରେ ସବୁବେଳେ ହିଂସ୍ରଜନ୍ତୁଙ୍କ ଭୟ ଲାଗି ରହୁଛି।
ଗାଁରେ ବିଦ୍ୟୁତୀକରଣ ପାଇଁ ଗ୍ରାମବାସୀ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିଲା। ସେହିପରି ଗାଁକୁ ରାସ୍ତା ନଥିବା ବେଳେ ସ୍ବାସ୍ଥ୍ୟସେବାରୁ ଲୋକେ ବଞ୍ଚିତ ହୋଇ ରହୁଛନ୍ତି। ଜଳସେଚନର ବି ସୁବିଧା ନାହିଁ। ଶେଷରେ ଗ୍ରାମବାସୀ କିଛିଦିନ ତଳେ ଧରାକୋଟ ବ୍ଲକ୍ରେ ହୋଇଥିବା ପ୍ରଶାସନର ଜନଶୁଣାଣି ଶିବିରରେ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆ ନଯିବା ଫଳରେ ‘ସମ୍ବାଦ’ ଓ ‘କନକ ନିଉଜ’ରେ ଖବର ପ୍ରସାରିତ ହୋଇଥିଲା। ଟିଭିରୁ ସମସ୍ୟା ବିଷୟରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ବିଦ୍ୟୁତ୍ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଗତକାଲି ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/20/dghdadgaczvvccv-2025-11-20-02-16-24.jpg)