୨୯ବର୍ଷ ପରେ ପୁଣି ପ୍ରତ୍ୟକ୍ଷ ନିର୍ବାଚନ ପାଇଁ ଖୋର୍ଦ୍ଧା ପୌର ପରିଷଦରେ ରାଜନୀତି ସରଗରମ

 

ଖୋର୍ଦ୍ଧା: ଦୀର୍ଘ ୨୯ ବର୍ଷ ପରେ ପୁଣି ଥରେ ପୌର ପରିଷଦରେ ପ୍ରତ୍ୟକ୍ଷ ନିର୍ବାଚନ ହେବ । ଏନେଇ ଖୋର୍ଦ୍ଧାର ବିଭିନ୍ନ ରାଜନୈତିକ ଦଳରେ ନିର୍ବାଚନ ପ୍ରସ୍ତୁତିକୁ ନେଇ ନୂଆ ରାଜନୈତିକ ଓ ପ୍ରଚାର ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

୧୯୯୨ରେ ରାଜ୍ୟରେ ପ୍ରତ୍ୟକ୍ଷ ପୌର ପରିଷଦର ନିର୍ବାଚନ ହେବା ବେଳେ ଖୋର୍ଦ୍ଧା ବିଜ୍ଞପିତ ଅଂଚଳ ପରିଷଦ ଥିଲା । ଏହି ସମୟରେ ସହରର ମୋଟ ଜନସଂଖ୍ୟା ପ୍ରାୟ ୧୫ ହଜାର ଥିଲା । ୧୯୯୫ରେ ଖୋର୍ଦ୍ଧା ପୌର ପରିଷଦକୁ ଉନ୍ନୀତ ହେବା ପରେ ବର୍ତମାନ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛି । ବର୍ତମାନ, ୨୦୧୧ ଜନଗଣନା ଅନୁସାରେ ଖୋର୍ଦ୍ଧା ପୌର ପରିଷଦରେ ୨୨ଟି ୱାର୍ଡରେ ୯,୩୨୮ଟି ପରିବାର ଓ ମୋଟ ଜନସଂଖ୍ୟା ୪୬,୨୦୫ । ଏହା ମଧ୍ୟରୁ ମୋଟ ଭୋଟର ସଂଖ୍ୟା ପ୍ରାୟ ୪୨ ହଜାର । ତେବେ ଗତ ୧୦ ବର୍ଷ ମଧ୍ୟରେ ଏହି ଜନସଂଖ୍ୟା ଓ ଭୋଟରଙ୍କ ସଂଖ୍ୟାରେ ଆପାତତଃ ବୃଦ୍ଧି ଘଟିଛ ।

ବିଗତ ପୌର ନିର୍ବାଚନଗୁଡ଼ିକରେ ଆଶାୟୀ ଅଧ୍ୟକ୍ଷ ପ୍ରାର୍ଥୀ ଭୋଟରଙ୍କ ସହ ସିଧାସଳଖ ସମ୍ପର୍କ ନଥିଲା । ସେମାନେ କାଉନ୍ସିଲରଙ୍କୁ ନେଇ ନିଜର ନିର୍ବାଚନ ରଣନୀତି ନିର୍ଦ୍ଧାରଣ କରୁଥିଲେ । ବର୍ତମାନ ଅଧ୍ୟକ୍ଷ ପାଇଁ ଆଶାୟୀ ପ୍ରାର୍ଥୀ ସିଧାସଳଖ ଭୋଟରଙ୍କ ନିକଟକୁ ଯିବାକୁ ପଡ଼ିବ । ଏହି ପ୍ରତ୍ୟକ୍ଷ ନିର୍ବାଚନକୁ ଖୋର୍ଦ୍ଧା ପୌରାଂଚଳର ବିଭିନ୍ନ ରାଜନେତା ସ୍ୱାଗତ କରିବା ସହ ନିର୍ବାଚନରେ ସ୍ୱଚ୍ଛତା ଓ ଦାୟିତ୍ୱବୋଧ ସୃଷ୍ଟି ହେବ ବୋଲି ଆଶା ରଖିଛନ୍ତି । ଏହାକୁ ନେଇ ଖୋର୍ଦ୍ଧା ପୌର ପରିଷଦର ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି । ଯଦିଓ ତାରିଖ ଘୋଷଣା ହୋଇନାହିଁ, କିନ୍ତୁ ଯେଉଁମାନେ ଭୋଟର ଓ ସହରର ସମସ୍ୟା ସହ ସିଧାସଳଖ ଜଡ଼ିତ ରହିବେ ସେମାନଙ୍କୁ ଦଳ ତରଫରୁ ଟିକଟ ପାଇଁ ପ୍ରାଧନ୍ୟତା ଦିଆଯିବ ବୋଲି ରାଜନୈତିକ ଦଳଗୁଡ଼ିକ ପକ୍ଷରୁ କୁହାଯାଇଛି ।

See your parish-by-parish results here
The News Star

ଏଠାରେ ସୂଚନାଯୋଗ୍ୟ, ୧୯୯୨ ପ୍ରତ୍ୟକ୍ଷ ପୌର ନିର୍ବାଚନରେ ଖୋର୍ଦ୍ଧାରୁ ଯୋଡ଼ିପତ୍ର ଚିହ୍ନରେ ବର୍ତମାନର ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଠିଆ ହୋଇଥିଲେ । କଂଗ୍ରେସ ତାଙ୍କୁ ସମର୍ଥନ ଦେଇଥିଲା । ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଜନତା ଦଳରୁ ଓକିଲ ରବି ବର୍ମା, ସ୍ୱାଧୀନ ପ୍ରାର୍ଥୀ ଭାବେ ମାଠିଆ ଚିହ୍ନରେ ଡାକ୍ତର ଗଗନ ନାୟକ ଓ ବସନ୍ତ ରାୟ । ନିର୍ବାଚନରେ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ବିଜୟୀ ହୋଇଥିଲେ ।

ନିର୍ବାଚନ ସମ୍ପର୍କରେ ନିଜର ଅଭିଜ୍ଞତାର ସ୍ମୃତିଚାରଣ କରି ଜ୍ୟୋତିରିନ୍ଦ୍ର ନାଥ ମିତ୍ର କହିଛନ୍ତି ଯେ ଏହି ନିର୍ବାଚନ ତାଙ୍କର ରାଜନୈତିକ କ୍ଷେତ୍ରକୁ ସୁଦୃଢ଼ କରିଥିଲା । ଅଂଚଳର ବିକାଶ ପାଇଁ ଲୋକଙ୍କ ସହଯୋଗ ମଧ୍ୟ ମିଳିଥିଲା । ଓଡ଼ିଶାର ବରପୁତ୍ର ବିଜୁବାବୁଙ୍କ ସେହି ଯୁଗାନ୍ତକାରୀ ନିଷ୍ପତ୍ତିକୁ ପୁଣି ନବୀନ ପଟ୍ଟନାୟକ କାର୍ଯ୍ୟକାରୀ କରିଛନ୍ତି । ଏହା ଏକ ଉତ୍ତମ ପଦକ୍ଷେପ । ପୌର ପରିଷଦର ଅଧ୍ୟକ୍ଷମାନେ ପୂର୍ବେ କେବଳ କାଉନସିଲରଙ୍କ ଉପରେ ନିର୍ଭରଶୀଳ ଥିଲେ । ବର୍ତମାନ ସିଧାସଳଖ ଲୋକଙ୍କ ସହ ଯୋଡ଼ିହେବାର ସୁଯୋଗ ମିଳିବ ।

ସମ୍ବନ୍ଧିତ ଖବର