୩୦ ବର୍ଷ ପରେ ମେ’ ମାସରେ ବାତ୍ୟା : ୧୯୮୯ରେ ‌ଶେଷ ଥର ପାଇଁ ମେ’ରେ ଆସିଥିଲା

୧୩୦ ବର୍ଷରେ ମେ’ରେ ଓଡ଼ିଶାକୁ ଆସିଛି ୫ଥର ବାତ୍ୟା

ଭୁବନେଶ୍ବର: ‌ମେ’ ମାସରେ ଓଡ଼ିଶାକୁ ପ୍ରଥମ ଥର ଲାଗି ବାତ୍ୟା ଆସୁ ନାହିଁ। ଇତିହାସ କୁହେ, ‌୧୩୦ ବର୍ଷ ମଧ୍ୟରେ ୫ ଥର ଓଡ଼ିଶାକୁ ମେ’ ମାସରେ ବାତ୍ୟା ଆସିଛି। ଭୟଙ୍କର ରୂପ ବି ନେଇଛି। ବ୍ୟାପକ କ୍ଷୟକ୍ଷତି ହୋଇଛି। ପବନ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ତେବେ ‌କେତେ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ ‌ସେମତି କୌଣସି ତଥ୍ୟ ନ ଥିବା ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ଓଡ଼ିଶାର ଯେଉଁ ଜଳବାୟୁ ରହିଛି ସେଥିରେ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଅଧିକ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହୋଇଛି।

ଅକ୍ଟୋବର ମାସ ଓଡ଼ିଶା ପ୍ରତି ସବୁ ବେଳେ ବିପଦ ସୃଷ୍ଟି କରିଛି। ୧୯୯୯ ମହାବାତ୍ୟା ହେଉ ଅଥବା ୨୦୧୩ର ଫାଇଲିନ୍‌, ୨୦୧୪ର ହୁଡ୍‌ହୁଡ୍‌, ୨୦୧୮ର ତିତ୍‌ଲି ଏହି ସବୁ ବାତ୍ୟା କେବଳ ଅକ୍ଟୋବର ମାସରେ ଓଡ଼ିଶା ଉପକୂଳକୁ ସ୍ପର୍ଶ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ତେବେ ୩୦ ବର୍ଷ ପରେ ପୁଣିଥରେ ମେ’ ମାସରେ ଓଡ଼ିଶାକୁ ବାତ୍ୟା ଆସୁଛି।

ତଥ୍ୟ ଅନୁଯାୟୀ ୧୮୯୩ରୁ ବର୍ତମାନ ସୁଦ୍ଧା ମେ’ ମାସରେ ୫ ଥର ବାତ୍ୟା ଓଡ଼ିଶାକୁ ମାଡ଼ କରିଛି। ୧୮୯୩ ମସିହାରେ ପ୍ରଥମ ଥର ଲାଗି ମେ’ ମାସରେ ଓଡ଼ିଶାକୁ ବାତ୍ୟା ଆସିଥିଲା। ଏହାର ୨୧ ବର୍ଷ ପରେ ଅର୍ଥାତ୍‌ ୧୯୧୪ ଓ ୧୯୧୭ରେ ମେ’ ମାସରେ ବାତ୍ୟା ଆସିଥିଲା। ଦୀର୍ଘବର୍ଷ ବ୍ୟବଧାନ ପରେ ୧୯୮୧ ଓ ଶେଷ ଥର ଲାଗି ୧୯୮୯ରେ ମେ ମାସରେ ବାତ୍ୟା ଓଡ଼ିଶାକୁ ମାଡ଼ କରିଥିବା ସୂଚନା ମିଳିଛି। ତେବେ ବିଭିନ୍ନ ସମୟରେ ଅତି ଭୟଙ୍କର ବାତ୍ୟା ଓଡ଼ିଶାକୁ ମାଡ଼ ହୋଇଥିବା ରେକର୍ଡ ରହିଛି।

ସରକାରୀ ତଥ୍ୟ ଅନୁଯାୟୀ ୧୮୩୧ ଅକ୍ଟୋବର ୩୧ରେ ବାଲେଶ୍ବର ଉପକୂଳରେ ସାମୁଦ୍ରିକ ଝଡ଼ ମାଡ଼ ହୋଇଥିଲା। ଏଥିରେ ୫୦ ହଜାର ଜନଜୀବନ କ୍ଷୟକ୍ଷତି ହୋଇଥିଲା। ୧୮୮୫ ସେ‌ପ୍ଟେମ୍ବର ୨୨, ୧୯୬୭ ଅକ୍ଟୋବର ୧୪ରୁ ୧୬ ମଧ୍ୟରେ ଅତିଭୟଙ୍କର ବାତ୍ୟା ପୁରୀ ଓ ପାରାଦୀପ ଉପକୂଳକୁ ଛୁଇଁଥିଲା। ୧୯୭୧ ଅକ୍ଟୋବର ୨୬ରୁ ୩୦ ମଧ୍ୟରେ ପାରାଦୀପ ନିକଟରେ ବାତ୍ୟା ମାଡ଼ ହେବା ଦ୍ବାରା ୧୦ ହଜାରରୁ ଅଧିକ ଜନଜୀବନ ପ୍ରଭାବିତ ହୋଇଥିଲା। ଏହାବ୍ୟତୀତ ବିଭିନ୍ନ ସମୟରେ ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ମାଡ଼ ହୋଇଥିବା ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ୧୭୩୭ ଅକ୍ଟୋବର ୭ରୁ ୧୨ ମଧ୍ୟରେ ପଶ୍ଚିମବଙ୍ଗ ଉପକୂଳରେ ବଡ଼ଧରଣର ବାତ୍ୟା ହୋଇଥିବା ଜଣାପଡ଼ିଛି। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଥିଲା।

ସମ୍ବନ୍ଧିତ ଖବର