ଭୁବନେଶ୍ୱର: ଗତ ୨୭ ତାରିଖ ଅମାବାସ୍ୟା ରାତିରେ ହୋଇଥିବା ହତ୍ୟାକାଣ୍ଡକୁ ୩୬ ଘଣ୍ଟା ବିତି ଯାଇଥିଲେ ବି ହତ୍ୟାକାରୀ ପାଖରେ ପୁଲିସ ପହଞ୍ଚି ପାରୁନାହିଁ। ଆଶ୍ଚର୍ଯ୍ୟର କଥା ହେଉଛି ଏହି ହତ୍ୟାକାଣ୍ଡ ଏୟାରଫିଲ୍ଡ ଥାନା ଠାରୁ ମାତ୍ର ୩୦୦ମିଟର ଦୂରରେ ଘଟିଥିବା ବେଳେ ପୁଲିସ କିପରି କିଛି ଜାଣିପାରି ନଥିଲା ସେ ନେଇ ଉଠିଛି ପ୍ରଶ୍ନ ।
ଦୀପାବଳି ରାତିରେ ଏୟାରଫିଲ୍ଡ ଥାନା ପଛ ପଟେ ଏକାମ୍ର କଲେଜକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ସ୍ଥାନୀୟ ଯୁବକଙ୍କ ସହ ପାଟିତୁଣ୍ଡ ପରେ ଘଟିଥିଲା ଏହି ଜଘନ୍ୟ କାଣ୍ଡ । ଏହି ସ୍ଥାନରେ ଅମରେଶ ନାୟକ ତାଙ୍କ ବନ୍ଧୁମାନଙ୍କ ସହ ଭୋଜି କରି ବାଣ ଫୁଟାଉଥିଲେ । ଏହି ସମୟରେ ସେମାନଙ୍କ ସହ ସ୍ଥାନୀୟ ଯୁବକଙ୍କର ବଚସା ହୋଇଥିଲା । ଏହାପରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ବି ହୋଇଥିଲା । ତେବେ ଏହାର କିଛି ସମୟ ପରେ ସ୍ଥାନୀୟ ଯୁବକମାନେ ଅମରେଶଙ୍କ ଉପରେ ପୁଣି ଥରେ ସଂଘବଦ୍ଧ ଭାବେ ଆକ୍ରମଣ କରି ଗୋଡାଇ ଗୋଡାଇ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଆଉ ଏହି ଘଟଣାକୁ ୩୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ ପୁଲିସ।