ଯାଜପୁରସଦର: ଦୀର୍ଘ ୩୬ ବର୍ଷର ଆଇନ ଲଢ଼େଇ ପରେ ଶେଷରେ ନିଜର ହକ୍ ପାଇଲେ ଯାଜପୁର ବ୍ଲକ୍ ବରୁହାଁ ପଞ୍ଚାୟତ କଚେରୀ ଗାଁ ଅଞ୍ଚଳର କୈଳାସ ଚନ୍ଦ୍ର ନାୟକ। ଚାକିରିରୁ ଅବସର ନେବା ପରେ ଯବାନ ଲିଜ୍ ଅଧିକାର ବଳରେ ସେ ଜମି ପାଇବାକୁ ଆବେଦନ କରିଥିଲେ। ହେଲେ ଜିଲ୍ଲା ପ୍ରଶାସନ ସହଯୋଗ କରିନଥିଲା। ଏହାକୁ ନେଇ ସେ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାର ପରେ ୧୯୮୭ ମସିହାରୁ ଆରମ୍ଭ ହୋଇଥିବା ଏହି ଲଢ଼େଇରେ ଶ୍ରୀ ନାୟକଙ୍କର ବିଜୟ ହୋଇଛି।
ସୂଚନା ଅନୁସାରେ, କଚେରୀ ଗାଁ ଅଞ୍ଚଳର କୈଳାସ ଚନ୍ଦ୍ର ନାୟକ ୧୯୬୫ ମସିହା ଅକ୍ଟୋବର ୮ ତାରିଖରେ ଭାରତୀୟ ସେନାରେ ଯବାନ୍ ଭାବେ ସାମିଲ ହୋଇ ୧୯୮୭ ମସିହାରେ ଅବସର ନେଇଥିଲେ। ଅବସର ପରେ ସେ ଯବାନ ଲିଜ୍ ଆଇନ ବଳରେ ଜମିପାଇଁ ଆବେଦନ କରିଥିଲେ। ହେଲେ ସେତେବେଳେ ପ୍ରଶାସନ ତାଙ୍କୁ ସହଯୋଗ କରିନଥିଲା। ଜମି ନପାଇବାରୁ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ପରେ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା। ତେବେ ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲାପାଳ ତାଙ୍କୁ ୩ ଏକର ୪୪ ଡିସିମିଲ ଜମି ଚାଷ ଉଦ୍ଦେଶ୍ୟରେ ପ୍ରଦାନ କରିବାକୁ ତହସିଲକୁ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଆଜି ଶ୍ରୀ ନାୟକଙ୍କୁ ଜମିପଟ୍ଟା ପ୍ରଦାନ କରିଛନ୍ତି। ପରବର୍ତ୍ତୀ ସମୟରେ ପ୍ରଶାସନ ତାଙ୍କୁ ଏହି ଜମି ଚିହ୍ନଟ କରାଇବ ବୋଲି ତହସିଲଦାର ଶ୍ରୀ ଭୁଜବଳ କହିଛନ୍ତି।
Follow Us