ଭୁବନେଶ୍ବର: ଲଗାତାର ୪ ବର୍ଷ ଧରି ପ୍ରଧାନମନ୍ତ୍ରୀ ଫସଲ ବୀମାଭୁକ୍ତ ଚାଷୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହେକ୍ଟର ଫସଲ ପାଇଁ ପ୍ରିମିୟମ ପ୍ରଦାନ ପରେ ଗତବର୍ଷ ଠାରୁ ଚଳିତ ବର୍ଷ ପ୍ରାୟ ୧୧ ଲକ୍ଷ ଅଧିକ ଚାଷୀ ବୀମାଭୁକ୍ତ ହୋଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଗତବର୍ଷ ଠାରୁ ୧୯୦ କୋଟି ଅଧିକ ଟଙ୍କା ପ୍ରିମିୟମ ଦେବାକୁ ପଡ଼ିଛି। ମୋବାଇଲ ଫୋନ ନେଟ୍ୱାର୍କ ସମସ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ପଞ୍ଜୀକରଣର ସମସ୍ୟା ହେଉଛି। ନଚେତ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ଆହୁରି ବଢିବା ନେଇ ରାଜ୍ୟ ସରକାର ଆଶା କରିଛନ୍ତି।
ସୂଚନା ଅନୁଯାୟୀ, ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ୨୨ ଲକ୍ଷ ୭ ହଜାର ୨୯ ଚାଷୀ ବୀମାଭୁକ୍ତ ହୋଇଛନ୍ତି। ଏଥିରେ ୮୩ % ପୁରୁଷ, ୧୬ % ମହିଳା ଏବଂ ଅନ୍ୟାନ୍ୟ ୦.୦୩ % ରହିଛନ୍ତି। ଜାତିଗତ ଭାବରେ ଦେଖିଲେ ଅନୁସୂଚିତ ଜାତି ୮.୧୪ %, ଅନୁସୂଚିତ ଜନଜାତି ୧୬.୦୮ %, ପଛୁଆ ବର୍ଗ ୫୫.୦୩ % ଏବଂ ସାଧାରଣ ବର୍ଗ ୨୦.୭୫ % ଅଛନ୍ତି। ଏଥିପାଇଁ ଚାଷୀ ୧୨୬ କୋଟି, ରାଜ୍ୟ ସରକାର ସର୍ବାଧିକ ୮୨ ହଜାର ୯୭୧ ଲକ୍ଷ, କେନ୍ଦ୍ର ସରକାର ୫୮ ହଜାର ୭୧୯ ଲକ୍ଷ ଟଙ୍କାର ପ୍ରିମିୟମ ଦେଇଛନ୍ତି। ଗତବର୍ଷ ୧୧ ଲକ୍ଷ ୬୫ ହଜାର ୧୩୧ ଚାଷୀ ବୀମାଭୁକ୍ତ ହୋଇଥିଲେ। ଏଥିପାଇଁ ଚାଷୀ ୧୪ ହଜାର ୭୬ ଲକ୍ଷ, ରାଜ୍ୟ ସରକାର ୬୩ ହଜାର ୧୫୬ ଲକ୍ଷ ଏବଂ କେନ୍ଦ୍ର ସରକାର ୬୩ ହଜାର ୧୫୬ ଲକ୍ଷ ଟଙ୍କା ପ୍ରିମିୟମ ଦେଇଥିଲେ। ୨ ହେକ୍ଟର ପର୍ଯ୍ୟନ୍ତ ପ୍ରିମିୟମ ମାଗଣା ଘୋଷଣା ପରେ ବୀମାଭୁକ୍ତ ଚାଷୀଙ୍କ ସଂଖ୍ୟା ୨୫ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିରେ ଋଣୀ ସହିତ ଅଧିକ ସଂଖ୍ୟାରେ ଅଣଋଣୀ ଚାଷୀ ସାମିଲ ହେବା ପାଇଁ ଆହ୍ବାନ କରାଯାଇଛି। କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍ ସମସ୍ୟା ଯୋଗୁଁ ପଞ୍ଜୀକରଣ ବାଧାପ୍ରାପ୍ତ ହୋଇଥିବା ନେଇ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ.ଅରବିନ୍ଦ ପାଢୀ ବୀମା ସମୀକ୍ଷା ବୈଠକରେ ମତ ଦେଇଥିଲେ। ଏପରିକି ଚଳିତ ବର୍ଷ ୭୩ ଲକ୍ଷ ୧୧ ହଜାର ଋଣୀ ଏବଂ ୬୦ ଲକ୍ଷ ୩୨ ହଜାର ଅଣଋଣୀ ଚାଷୀ ବୀମା ପାଇଁ ଆବେଦନ କରିଥିଲେ ମଧ୍ୟ ନେଟୱାର୍କ ସମସ୍ୟା ପଞ୍ଜୀକରଣକୁ ମନ୍ଥର କରି ଦେଉଛି। ରାଜ୍ୟ ତମାମ ଜିଲ୍ଲାର ସରକାରୀ ଅଧିକାରୀ ଇଣ୍ଟରନେଟ ସମସ୍ୟା ସମ୍ମୁଖୀନ ହେଉଥିବା ଜଣାଇଛନ୍ତି।
/sambad/media/post_attachments/wp-content/uploads/2023/08/54sf65h4f65hfhhfhhf.jpg)
ଚଳିତ ବର୍ଷ ପଞ୍ଜୀକୃତ ହେଲେ ୨୨ ଲକ୍ଷରୁ ଅଧିକ
ଗତବର୍ଷଠାରୁ ୧୯୦ କୋଟି ଅଧିକ ପ୍ରିମିୟମ ଭରିଲା ରାଜ୍ୟ
ଖର୍ଚ୍ଚର ଲାଭ ମିଳିବ କାହାକୁ, ଚାଷୀ ନା କମ୍ପାନି?
ସୂଚନା ଅନୁଯାୟୀ, ବିଧାନସଭାରେ ପ୍ରଶ୍ନର ଉତ୍ତରରେ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ରାଜ୍ୟର ସମୁଦାୟ ୫୧ ହଜାର ୧୭୬ ଗାଁ ମଧ୍ୟରୁ ୪୫୪୯ଟି ଗାଁରେ ମୋବାଇଲ ଫୋନ ନେଟୱାର୍କ ନାହିଁ। ଏଥିପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଦେବସିଂ ଚୌହ୍ବାନ ଲୋକସଭାରେ ଦେଇଥିବା ସୂଚନା ଅନୁସାରେ, ଓଡ଼ିଶାର ୬୫୯୨ଟି ଗାଁରେ ମୋବାଇଲ ନେଟୱାର୍କ ନାହିଁ। ଯାହାକି ଦେଶରେ ସର୍ବାଧିକ ଅଟେ। ଏହାବାଦ ରାଜ୍ୟରେ ଆହୁରି ଗାଁ ଅଛି ଯେଉଁଠି ମୋବାଇଲ ନେଟୱାର୍କ ଥିଲେ ମଧ୍ୟ ଏହା ମନ୍ଥର ଅଟେ। ଏଥିଯୋଗୁଁ ପଞ୍ଜୀକରଣରେ ସମସ୍ୟା ହେଉଛି। ଖରିଫରେ ୩୦ ଜିଲ୍ଲାରେ ଧାନ, ୧୬ ଜିଲ୍ଲାର ୭୫ ବ୍ଲକରେ ଚିନାବାଦାମ, ୯ ଜିଲ୍ଲାର ୪୪ ବ୍ଲକରେ କପା, ୫ ଜିଲ୍ଲାର ୧୭ ବ୍ଲକରେ ହଳଦୀ, ୭ ଜିଲ୍ଲାର ୨୫ ବ୍ଲକରେ ଅଦା, ୧୪ ଜିଲ୍ଲାର ୧୨୧ ବ୍ଲକରେ ହରଡ଼, ୬ ଜିଲ୍ଲାର ୬୬ ବ୍ଲକରେ ମାଣ୍ଡିଆକୁ ସାମିଲ କରାଯାଇଛି। ଏଥିରେ ଏଗ୍ରିକଲ୍ଚରାଲ୍ ଇନ୍ସୁରାନ୍ସ କମ୍ପାନି ଅଫ୍ ଇଣ୍ଡିଆ ଲିମିଟେଡ୍, ଏସ୍ବିଆଇ ଜେନେରାଲ ଇନ୍ସୁରାନ୍ସ କମ୍ପାନି ଲିମିଟେଡ୍, ଫ୍ୟୁଚର ଜେନେରାଲି ଇଣ୍ଡିଆ ଇନ୍ସୁରାନ୍ସ ଲିଃ ଏବଂ ରିଲିଆନ୍ସ ଜିଆଇସି ଲିମିଟେଡ୍ କୁ ଚୟନ କରାଯାଇଛି। ଅଧିକ ସଂଖ୍ୟକ ଚାଷୀଙ୍କୁ ବୀମାଭୁକ୍ତ କରିବା ପାଇଁ ରାଜ୍ୟ ସରକାର ଯେତେ ଅଧିକ ଅର୍ଥ ଖର୍ଚ କଲେଣି ଏହାର ଲାଭ ଚାଷୀ କି କମ୍ପାନି କାହାକୁ ମିଳିବ ତାକୁ ନେଇ ପ୍ରଶ୍ନବାଚୀ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/farmer-dd444.jpg)