୪୦ ଘଣ୍ଟା ପରେ ହଟିଲା ରାଜପଥ ଅବରୋଧ

ସମ୍ବଲପୁର: ଦୀର୍ଘ ୪୦ ଘଣ୍ଟା ପରେ ହଟିଛି ରାଜପଥ ଅବରୋଧ। ଗୁରୁବାର ସଂଧ୍ୟାରୁ ପ୍ରାୟ ୪ ଘଣ୍ଟା ଧରି ମାରାଥନ୍ ଆଲୋଚନା, ବୁଝାସୁଝା ଓ ଲିଖିତ ପ୍ରତିଶ୍ରୁତି ପରେ ଶେଷରେ ବିଜେପି ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି। ଫଳରେ ବୁଧବାର ସକାଳ ୮ଟାରୁ ଜମନକିରା ବ୍ଲକ ଷଣ୍ଢପଥର ଠାରେ କରା ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ ଗୁରୁବାର ମଧ୍ୟରାତ୍ରୀ ୧୧ଟାରେ ଶେଷ ହୋଇଛି। ପ୍ରାୟ ୪୦ ଘଣ୍ଟା ଧରି ଚାଲିଥିବା ଏହି ଆନ୍ଦୋଳନରେ ମୁମ୍ବାଇ-କୋଲକାତା ରାଜପଥରେ ୨ ଦିନ ଧରି ଯାତାୟାତ ଠପ୍‌ ‌େହାଇ ଯାଇଥିଲା। ବୁଧବାର ସକାଳୁ ରେଂଗାଲି ବିଧାୟକ ନାଉରୀ ନାୟକ, ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାରାୟଣ ନାଏକ ଏବଂ ବୃନ୍ଦାବନ ମାଝି, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲଙ୍କ ନେତୃତ୍ବରେ ଚାଲିଥିବା ରାଜପଥ ଅବରୋଧରେ ଗୁରୁବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗ ଦେଇଥିଲେ।

ସଂଧ୍ୟାରେ ମୁଖ୍ୟ ଯୋଗାଣ ଅଧିକାରୀ ସୁବୋଧ ମଲ୍ଲିକ, ଯୋଗାଣ ଅଧିକାରୀ ରାମ ଚନ୍ଦ୍ର ଟୁଡୁ, ଅତିରିକ୍ତ ଏସ୍‌ପି ଅମରେଶ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତୁହାକୁ ତୁହା ଆଲୋଚନା କରିଥିଲେ। ସେମାନେ ବାରମ୍ବାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ଉପରିସ୍ଥ ଅଧିକାରୀଙ୍କ ସହ ପରାମର୍ଶ କରୁଥିଲେ। ଦାବି ଓ ବୁଝାଶୁଝା ସହ ଲିଖିତ ପ୍ରତିଶ୍ରୁତି ପରେ ୪ ଦିନ ଆନ୍ଦୋଳନ କୋହଳ କରିବା ସର୍ତରେ ରାତି ୧୧ଟାରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଶୁକ୍ରବାରଠାରୁ ମଣ୍ଡିରେ ଥିବା ଧାନ ଉଠାଯିବ, ମିଆଦ ଶେଷ ହୋଇଥିବା ଟୋକନ୍‌ ଗୁଡ଼ିକୁ ପୁନଃ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ପଠାଯିବ, ଟୋକନ୍ ପାଇ ନଥିବା ଚାଷୀଙ୍କୁ ନୂଆ ଟୋକନ୍ ପ୍ରଦାନ କରାଯିବ। ଏହି ତିନିଟି ବିନ୍ଦୁରେ ମୁଖ୍ୟ ଯୋଗାଣ ଅଧିକାରୀ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସୂଚନାଯୋଗ୍ୟ, ଧାନକିଣା ଟାର୍‌ଗେଟ୍‌ ବୃଦ୍ଧି, ଜିଲ୍ଲାର ସମସ୍ତ ଚାଷୀଙ୍କ ପଡ଼ି ରହିଥିବା ବକେୟା ଧାନ ସଂଗ୍ରହ ଦାବିରେ ବୁଧବାର ସକାଳୁ ବିଜେପି ପକ୍ଷରୁ ରାଜପଥ ଅବରୋଧ କରା ଯାଇଥିଲା। ବୁଧବାର କୁଚିଣ୍ଡା ଉପଜିଲ୍ଲାପାଳ ଏବଂ ଏସ୍‌ଡିପିଓ, ଜମନକିରା ତହସିଲଦାର ଏବଂ ଥାନା ଅଧିକାରୀଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ ତୁହାକୁତୁହା ଆଲୋଚନା କରିଥିଲେ ବି କିଛି ଲାଭ ମିଳି ନଥିଲା। ରାତି ସାରା ବିଜେପି ନେତା, କର୍ମୀ, ସ୍ଥାନୀୟ ଚାଷୀ ମାନେ ରାସ୍ତା ଉପରେ ଶୋଇ ରହିଥିଲେ। ଗୁରୁବାର ମଧ୍ୟ କୁଚିଣ୍ଡା ଉପଜିଲ୍ଲାପାଳ ବିଶ୍ବରଂଜନ ନାୟକ ଏକାଧିକ ପର୍ଯ୍ୟାୟରେ ଆନ୍ଦୋଳନସ୍ଥଳକୁ ଆସି ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ, କିନ୍ତୁ ଆନ୍ଦୋଳନକାରୀ ହଟି ନଥିଲେ।

ସଂଧ୍ୟାରେ ମୁଖ୍ୟ ଯୋଗାଣ ଅଧିକାରୀ ସୁବୋଧ ମଲ୍ଲିକ, ଯୋଗାଣ ଅଧିକାରୀ ରାମ ଚନ୍ଦ୍ର ଟୁଡୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଟାର୍ଗେଟ୍ ବୃଦ୍ଧି ପାଇଁ ସମୟ ମାଗିଥିଲେ ଓ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଆନ୍ଦୋଳନକାରୀ ମାନି ନଥିଲେ। ପୂର୍ବରୁ ବି ଏହି ପ୍ରତିଶ୍ରୁତି ଦିଆ ଯାଇଥିଲା, କିନ୍ତୁ ଏଯାଏ ପୂରଣ ହୋଇ ନାହିଁ। ତେଣୁ ଟାର୍ଗେଟ୍‌ ବଢ଼ା ନଯିବା ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି ସେମାନେ ଅଡ଼ି ବସିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଯୋଗାଣ ଅଧିକାରୀ, ଅତିରିକ୍ତ ଏସ୍‌ପିଙ୍କ ସହ ଆଲୋଚନା ଜାରି ରହିଥିଲା।
ଗୁରୁବାର ଆନ୍ଦୋଳନର ଦ୍ବିତୀୟ ଦିନରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, କ୍ଷେତ୍ରିୟ ପ୍ରବକ୍ତା ମାନସ ବକ୍ସି, ଦୁଷ୍ମନ୍ତ ନାଏକ, ଚନ୍ଦ୍ର ଶେଖର ପଣ୍ଡା, ସୁଶୀଲ କର, ଅମୋଘ ପାଣିଗ୍ରାହୀ, ପିଙ୍କୁ ପାଣି, ମହେଶ ରାଏ, ରମେଶ ସାହୁ, ମନୋଜ ମାଝୀ, ସୁନୀଲ ମୁଦୁଲି, ମନୋଜ ମହାକୁଡ଼, ପ୍ରଶାନ୍ତ ପଣ୍ଡା, ବିଜୟ ନାଏକ, ଜଗଦୀଶ ନାଏକ, ଅମରଜିତ ସେଠ, ପବନ ପଟେଲ, ଅରୁଣ ମହାକୁଡ଼, ରଞ୍ଜନ ଶର୍ମା, ବିରେନ୍ଦ୍ର ଚୌଧୁରୀ, ଶ୍ରୀକାନ୍ତ ପଟେଲ, ଲଳିତ ପୃଷେଠ୍‌ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର