ପୁରୀ: ଦୀର୍ଘ ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଅଗଣିତ ଭକ୍ତଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଆଜି ଖୋଲିଛି। ୧୨ଜଣିଆ କମିଟିର ଉପସ୍ଥିତିରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି ଓ ମଣତି ପାଇଁ ଖୋଲିଛି ଭଣ୍ଡାର। ଆଜି ଉଭୟ ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ଘର ଖୋଲାଯାଇଛି। ବାହାର ରତ୍ନଭଣ୍ଡାରରେ ଲାଗିଥିବା ତିନି ତାଲା ଭଣ୍ଡାର ମେକାପ, ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତି ମହାରାଜାଙ୍କ ପାଖରେ ଥିବା ଚାବିରେ ଖୋଲିଛି। କିନ୍ତୁ ଭିତର ରତ୍ନଭଣ୍ଡାରରେ ପଡ଼ିଥିବା ତିନିଟିଯାକ ତାଲା ଟ୍ରେଜେରିରୁ ଆସିଥିବା ଚାବିରେ ଖୋଲିଲାନାହିଁ। ଏଣୁ ଓଡ୍ରାଫ୍‌ ଦଳ ଜରିଆରେ ତିନିଟିଯାକ ତାଲା କାଟି ୧୨ଜଣିଆ କମିଟି ଭିତର ରତ୍ନଭଣ୍ଡାରରେ ପ୍ରବେଶ କରିଛନ୍ତି।

Advertisment

ସବୁ କାମ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ଓ ଭିଡିଓଗ୍ରାଫି ଜରିଆରେ କରାଯାଇଛି। ହେଲେ ସମୟ ଅଭାବରୁ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇପାରିନି। ନୀଳାଦ୍ରି ବିଜେ ପରେ ଦିନ ଧାର୍ଯ୍ୟ କରି ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରିତ ହେବ। ରତ୍ନଭଣ୍ଡାର ସ୍ଥିତି ଦେଖି ଆବଶ୍ୟକ ମରାମତି ପରେ ରତ୍ନଭଣ୍ଡାର ଅଳଙ୍କାର ପୁନର୍ବାର ପୂର୍ବ ସ୍ଥାନକୁ ସ୍ଥାନାନ୍ତରିତ ହେବ। ପରେ ଗଣତି ଓ ମଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଅପରପକ୍ଷେ ଆଜି ବାହାର ଓ ଭିତର ରତ୍ନଭଣ୍ଡାର ଖୋଲିବା ବେଳେ ବହୁ ଅଳନ୍ଧୁ ଲାଗିଥିବା ଦେଖିବାକୁ ମିଳିଥିଲା। ଏହି ଅଳନ୍ଧୁକୁ କାଢ଼ି ଏକ ଅଖାରେ ଭର୍ତ୍ତି କରି ରତ୍ନଭଣ୍ଡାର ଭିତରେ ରଖାଯାଇଛି।

ଆଜି ସକାଳେ ପ୍ରଥମେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ଆଲୋଚନା ପରେ ଚୟନ ହୋଇଥିବା ସଦସ୍ୟମାନେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ପ୍ରବେଶ କରିଥିଲେ। ଏହା ପୂର୍ବରୁ ପ୍ରଭୁ ଲୋକନାଥଙ୍କ ଆଜ୍ଞାମାଳ ବିଜେ ଓ ପୂଜାର୍ଚ୍ଚନା ପର୍ବ ଅନୁଷ୍ଠିତ ହୋଇଥିଲା। ଶୁଭବେଳା ଅପରାହ୍ଣ ପ୍ରାୟ ୧ଟା ୨୮ରେ ୧୨ଜଣିଆ ସଦସ୍ୟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ବମ୍‌ ସ୍କ୍ବାଡ୍‌, ମେଟାଲ୍‌ ଡିଟେକ୍ଟର, ଓଡ୍ରାଫ୍‌ ଟିମ୍‌, ସ୍ନେକ ହେଲ୍‌ପ ଲାଇନ୍‌, ଆର୍‌ଏଏଫ୍‌ର ସହାୟତା ନିଆଯାଇଥିଲା। ଅପରାହ୍ଣ ୧ଟା ୨୮ରୁ ଅପରାହ୍ଣ ପ୍ରାୟ ୫ଟା ପର୍ଯ୍ୟନ୍ତ ଯାଞ୍ଚ ଓ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ପରେ କମିଟି ଫେରିଥିଲେ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ପାଇଁ ଯାହା ମାର୍ଗଦର୍ଶିକା ଥିଲା, ତାହା ଆଜି କାର୍ଯ୍ୟକାରୀ ହୋଇଛି। ଏସ୍‌ଓପି ଆଧାରରେ, ପ୍ରଥମେ ୧୧ଜଣିଆ କମିଟି ବାହାର ରତ୍ନଭଣ୍ଡାର ଓ ପରେ ୧୨ଜଣିଆ କମିଟି ଭିତର ରତ୍ନଭଣ୍ଡାର ତଦାରଖ କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ବାହାର ରତ୍ନଭଣ୍ଡାରର ତିନିଟି ତାଲା ଖୋଲି ସମସ୍ତ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ଶେଷ ହୋଇଛି। ନିୟମ ଅନୁଯାୟୀ, ଗଜପତି ମହାରାଜା, ଭଣ୍ଡାର ମେକାପ ଓ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଥିବା ତିନି ଚାବିରେ ବାହାର ରତ୍ନଭଣ୍ଡାର ତାଲା ଖୋଲିବା ପରେ ଭିତରକୁ ଯାଇଥିଲୁ। ବାହାର ଭଣ୍ଡାର ପାଇଁ ଶ୍ରୀମନ୍ଦିର ବେହେରଣ ଦ୍ବାର ନିକଟରେ ଚାଙ୍ଗଡ଼ା ଓ ଫୁଲ ଘରକୁ ଅସ୍ଥାୟୀ ରତ୍ନଭଣ୍ଡାର ତଥା ଷ୍ଟ୍ରଙ୍ଗରୁମ କରାଯାଇଛି ଓ ସବୁ ଅଳଙ୍କାର ଏଠାକୁ ସ୍ଥାନାନ୍ତର ହୋଇଛି। ପରେ ବାହାର ରତ୍ନଭଣ୍ଡାରକୁ ସବୁ ସଦସ୍ୟଙ୍କ ଉପସ୍ଥିତିରେ ପୁଣି ତାଲା ପକାଇ ସିଲ୍‌ କରାଯାଇଛି। ସବୁର ଟିଖିନିଖି ରେକର୍ଡ କରାଯାଇଛି, ଯାହା ସମୟସାପେକ୍ଷ ଥିଲା। ଶ୍ରୀ ପାଢ଼ୀ ଆହୁରି କହିଛନ୍ତି, ଅଧିକୃତ ବ୍ୟକ୍ତିମାନେ ଭିତର ରତ୍ନଭଣ୍ଡାରକୁ ଯାଇଥିଲେ। ଭିତର ରତ୍ନଭଣ୍ଡାରରେ ବି ତିନିଟି ତାଲା ପଡ଼ିଥିଲା। ଯେଉଁ ଚାବି ଜିଲ୍ଲାପାଳ ଜିଲ୍ଲା କୋଷାଗାରରୁ ଆଣି ଦେଇଥିଲେ, ସେଥିରେ ଖୋଲିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ସେହି ଚାବିରେ କୌଣସି ତାଲା ଖୋଲିଲା ନାହିଁ। ତେଣୁ ମାର୍ଗଦର୍ଶିକା ଆଧାରରେ ତିନି ତାଲାକୁ ଭାଙ୍ଗି ଭିତର ରତ୍ନଭଣ୍ଡାରରେ ପଶିଥିଲୁ। ତିନିଟି ଯାକ ତାଲା ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଭଙ୍ଗାଯାଇଥିଲା। ପରେ କମିଟି ସଦସ୍ୟମାନେ ଭିତର ଭଣ୍ଡାରକୁ ଯାଇଥିଲେ। ଅନୁଧ୍ୟାନ ବେଳେ ଭିତରେ ଆଲମିରା ଓ ସିନ୍ଦୁକ ଥିବା ଦେଖିବାକୁ ମିଳିଥିଲା। ଯେହେତୁ ବହୁ ବିଳମ୍ବ ହୋଇଯାଇଥିଲା, ସବୁ ଅଳଙ୍କାର ସ୍ଥାନାନ୍ତର ସମ୍ଭବପର ନ ଥିଲା। ମାର୍ଗଦର୍ଶିକାରେ ମଧ୍ୟ ଅଧା ଅଳଙ୍କାର ସ୍ଥାନାନ୍ତର ହୋଇପାରିବନି ବୋଲି ସ୍ପଷ୍ଟ ଉଲ୍ଲେଖ ରହିଥିଲା। ଯେହେତୁ ଆମକୁ ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତର ସହ ଏଥିପାଇଁ ଏକ ପୂର୍ଣ୍ଣ ଅସ୍ଥାୟୀ ରତ୍ନଭଣ୍ଡାର ତଥା ଷ୍ଟ୍ରଙ୍ଗରୁମ୍‌ ଦରକାର ଥିଲା, ସେ ଦୃଷ୍ଟିରୁ ଆଜି ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ହୋଇପାରିନି। ଶ୍ରୀ ପାଢ଼ୀ ସ୍ପଷ୍ଟ କରିଛନ୍ତି ଯେ ଭିତରକୁ ଯାଇଥିଲେ ବି ଆମେ ଅଳଙ୍କାର ଦେଖିନୁ।

ଆସନ୍ତାକାଲି ବାହୁଡ଼ାଯାତ୍ରା। ପରେ ସୁନାବେଶ, ନୀଳାଦ୍ରି ବିଜେ। ଏହି ସମୟରେ ରତ୍ନଭଣ୍ଡାର ଖୋଲିବା ସହ ଗଣତି ଓ ମଣତି ସମ୍ଭବ ନୁହେଁ। ଏଣୁ ସରକାର, ପରିଚାଳନା କମିଟି ଓ ରତ୍ନଭଣ୍ଡାର ଯାଞ୍ଚ କମିଟି ପରାମର୍ଶକ୍ରମେ ନୀଳାଦ୍ରି ବିଜେ ପରେ ଦିନ ଧାର୍ଯ୍ୟ କରି ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ହେବ। ଏଥିପାଇଁ ଖଟଶେଜ ଘରକୁ ଅସ୍ଥାୟୀ ରତ୍ନଭଣ୍ଡାର ତଥା ଷ୍ଟ୍ରଙ୍ଗରୁମ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି। ଭିତର ରତ୍ନଭଣ୍ଡାରରେ ଯାହା ବି ସିନ୍ଦୁକ, ଆଲମିରା, ଅଳଙ୍କାର ରହିଛି, ତାକୁ ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର କରିବା ପରେ ଏଏସ୍‌ଆଇ ଆବଶ୍ୟକ ମରାମତି କରିବ। ମରାମତି ପରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ପୁନର୍ବାର ସିନ୍ଦୁକ ଓ ଯାହା କିଛି ଅଳଙ୍କାର ଅଛି, ତାକୁ ସ୍ଥାନାନ୍ତର କରାଯିବ। ଭିତର ରତ୍ନଭଣ୍ଡାର ଭିତରେ ଅଳଙ୍କାର ଗଣତି ଓ ମଣତି କରାଯିବ। ତାଲାରେ ଜଉମୁଦ ଥିଲା କି ଖୋଲା ଥିଲା ପ୍ରଶ୍ନରେ ଶ୍ରୀ ପାଢ଼ୀ କହିଛନ୍ତି, ଏହା ଉପରେ ଆମେ କିଛି ମତାମତ ରଖିବାକୁ ଚାହୁନାହୁଁ। ଯାହା ବି ହୋଇଛି, ତାର ଭିଡିଓଗ୍ରାଫି କରାଯାଇଛି। ଯେ ପର୍ଯ୍ୟନ୍ତ ଭିତର ରତ୍ନଭଣ୍ଡାର ଅଳଙ୍କାର ଆସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହୋଇନି, ସେ ପର୍ଯ୍ୟନ୍ତ ଏଏସ୍‌ଆଇର କିଛି କାମ ନାହିଁ।

ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି ଯେ ଆମେ ଯାହା ନିଷ୍ପତ୍ତି ନେଇଥିଲୁ, ସେହି ଅନୁସାରେ ବାହାର ରତ୍ନଭଣ୍ଡାର ଖୋଲାଗଲା। ବାହାର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର କରି ସିଲ୍‌ ପରେ ଭିତର ରତ୍ନଭଣ୍ଡାରକୁ ଗଲୁ। କୋଷାଗାରରୁ ଯେଉଁ ଚାବି ଆସିଥିଲା, ସେଥିରୁ ତାଲା ଖୋଲିଲା ନାହିଁ। ଏଣୁ ତାଲାଗୁଡ଼ିକ କାଟି ଭିତର ଭଣ୍ଡାର ଖୋଲା ଯାଇଥିଲା। ଭିତର ରତ୍ନଭଣ୍ଡାରରେ ପ୍ରାଥମିକ ଅନୁଧ୍ୟାନ କଲୁ। ଭିତର ରତ୍ନଭଣ୍ଡାରରେ ଯାହା କିଛି ଅଳଙ୍କାର ଅଛି, ଭିତରକୁ ଯାଇ ଅନୁଧ୍ୟାନ କରିବାକୁ ସମୟ ନ ଥିଲା। ଏଣୁ ପୁଣି ନୂଆ ତାଲା ପକାଇ ସିଲ୍‌ କରି ପୁରୀ ଜିଲ୍ଲା କୋଷାଗାରକୁ ପଠାଇ ଦିଆଯାଇଛି ବୋଲି ଜଷ୍ଟିସ ରଥ କହିଛନ୍ତି।