ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଗାଲେରୀ ବନାଞ୍ଚଳ ବଦାଙ୍ଗୀ ସେକ୍ସନ୍ ଲେଙ୍ଗଡ଼ା ଗ୍ରାମ ନିକଟ ଚାଷଜମିରେ ଗତ ଶୁକ୍ରବାରଠୁ ଏକ ଅସୁସ୍ଥ ହାତୀ ଚଳପ୍ରଚଳ କରୁଥିଲା। ଏଥିପାଇଁ ବନ ବିଭାଗ ପକ୍ଷରୁ ନନ୍ଦନକାନନରୁ ଡାକ୍ତରୀ ଟିମ୍ ଡକାଯିବା ପରେ ଗତ ରବିବାରଠୁ ତା’ର ଚିକିତ୍ସା ଆରମ୍ଭ ହୋଇଥିଲା। ପାଟିରେ ସଂକ୍ରମଣ ଯୋଗୁଁ ସେ ଖାଦ୍ୟ ଗ୍ରହଣ କରି ନପାରି ଦୁର୍ବଳ ହୋଇ ଯାଇଥିବା ଜଣା ପଡ଼ିଥିଲା। ପରେ ତାକୁ ଟ୍ରାନକୁଲାଇଜ୍ କରି ଔଷଧ, ଇଞ୍ଜେକ୍ସନ୍ ଓ ସାଲାଇନ୍ ଦିଆ ଯାଇଥିବା ସହ ଗତିବିଧି ଉପରେ ବରାବର ନଜର ରଖା ଯାଇଥିଲା।
ବ୍ୟବଚ୍ଛେଦରୁ ଜଣାପଡ଼ିଲା ‘ମାଈ’ ନୁହେଁ ‘ମାଖନା’
ଉତ୍ତର ଘୁମୁସରରେ ୭ ମାସରେ ମଲେଣି ୫ ହାତୀ
କିନ୍ତୁ ୫ ଦିନ ପରେ ହାତୀଟିର ଆଜି ଭୋର୍ରେ ମୃତ୍ୟୁ ଘଟିଛି। ତେବେ ହାତୀଟି ମାଈ ନୁହେଁ ବରଂ ମାଖନା ବୋଲି ଆଜି ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିଛି ବୋଲି ଡିଏଫ୍ଓ ସୁଦର୍ଶନ ବେହେରା କହିଛନ୍ତି। ପୂର୍ବରୁ ଏହାକୁ ମାଈହାତୀ ବୋଲି ଅନୁମାନ କରା ଯାଉଥିଲା। ହାତୀଟିର ବୟସ ୧୦ରୁ ୧୨ ବର୍ଷ ହୋଇଥିବା ବେଳେ ନନ୍ଦନକାନନ ଡାକ୍ତରୀ ଟିମ୍ଠୁ ଆରମ୍ଭ କରି ବନ ବିଭାଗ ଅଧିକାରୀମାନେ କେହି ବି ଏହା ମାଖନା ପ୍ରଜାତିର ବୋଲି କେମିତି ଜାଣି ପାରିଲେନି ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ଯୁଗ୍ମ ଟାସ୍କଫୋର୍ସ ଟିମ୍ ପହଞ୍ଚି ତଦନ୍ତ କରିବା ପରେ ହାତୀର ଶବକୁ ବ୍ୟବଚ୍ଛେଦ ପରେ ସେଠାରେ ପୋତି ଦିଆଯାଇଛି। ବ୍ୟବଚ୍ଛେଦ ବେଳେ ହାତୀର ପାଟି ଭିତରେ ସଂକ୍ରମଣ ହୋଇଥିବା ଜଣାପଡ଼ିବା ସହ ପ୍ରବଳମାତ୍ରାରେ ପୋକ ବାହାରିଥିଲା। ପାଖାପାଖି ମାସେ ଧରି ହାତୀଟିର ପାଟିରେ କ୍ଷତ ପରେ ସଂକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ଗତକାଲି ପର୍ଯ୍ୟନ୍ତ ହାତୀର ଅବସ୍ଥା ସ୍ଥିର ରହିଥିବା ବେଳେ ଅପରାହ୍ଣରେ ସଂପୂର୍ଣ୍ଣ ଭାବେ ଦୁର୍ବଳ ଅନୁଭବ କରି ତଳେ ପଡ଼ି ରହିଥିଲା। ପ୍ରାଣୀ ଚିକିତ୍ସକ ଆଜି ଭୋର୍ରେ ସାଲାଇନ୍ ଲଗାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ଘଟିଥିବା ଡିଏଫ୍ଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ସେହିପରି ମୃତହାତୀଟି ପଡ଼ୋଶୀ ନୟାଗଡ଼ ଜିଲ୍ଲା ଦଶପଲ୍ଲା କିମ୍ବା ଅନ୍ୟ ବନାଞ୍ଚଳରୁ ଅଲଗା ହୋଇ ଏଠାକୁ ଚାଲିଆସିଥିବା ଅନୁମାନ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ବେଳେ ବିଭିଓ ନିଶିକାନ୍ତ ବଳ,ଏସିଏଫ୍ ବିକ୍ରମ ଦେବ ପଟ୍ଟନାୟକ, ପ୍ରାକ୍ତନ ରେଞ୍ଜର ଅନୁପମ ବାନାର୍ଜୀ, ଶୂଳପାଣି ଶତପଥୀ, ରେଞ୍ଜର ଶିବରାମ ନାୟକ, କୁମର ବେହେରା, ବନପାଳ ଅଭିମନ୍ୟୁ ମଲ୍ଲିକ ଓ ବବୁଲ ସେଠୀଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।
ତେବେ ରାଜ୍ୟରେ ହାତୀମୃତ୍ୟୁ ସଂପ୍ରତି ଏକ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଥିବା ବେଳେ ଉତ୍ତର ଘୁମୁସର ବନଖଣ୍ଡରେ ଏଥିରୁ ବାଦ୍ ପଡ଼ିନି। ଗତବର୍ଷ ଜୁଲାଇ ମାସରୁ ଆଜି ସୁଦ୍ଧା ଉତ୍ତର ଘୁମୁସର ବନଖଣ୍ଡରେ ଏହାକୁ ମିଶାଇ ମୋଟ ୫ଟି ହାତୀ ମୃତ୍ୟୁବରଣ କରିସାରିଛନ୍ତି। ଓଡ଼ିଶାର ଅନ୍ୟତମ ବୃହତ୍ ବନଖଣ୍ଡରେ ହାତୀ ଅସୁରକ୍ଷିତ ଅବସ୍ଥାରେ ରହିବା ପରିବେଶବିତ୍ ମାନଙ୍କୁ ବ୍ୟଥିତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/3-6.jpg)