ଭୁବନେଶ୍ବର: କରୋନା କାଳରେ ସାରା ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଓ ନାମଲେଖା କରାଗଲା। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟି ନ ଦେଇ ଉଚ୍ଚଶିକ୍ଷା ବିଭାଗର ବାବୁମାନେ ତରବରିଆ ଭାବେ ନିଷ୍ପତ୍ତି ନେବା ସହ ତାହାକୁ କାର୍ଯ୍ୟକାରୀ କଲେ। ସାମ୍ବାଦିକ ସମ୍ମିଳନୀ କରି ଦମ୍ଭର ସହ କହିଲେ ପରୀକ୍ଷା ଓ ନାମଲେଖାରେ ସ୍ବଚ୍ଛତା ରହିବ। କୌଣସି ପ୍ରକାର ତ୍ରୁଟି ହେବନି। ଏହା ଏକ ନିଆରା ପଦକ୍ଷେପ ବୋଲି କହିଲେ। ତେବେ ତାହା କେତେଦୂର କାର୍ଯ୍ୟକାରୀ ହୋଇଛି ଏବେ ନଜରକୁ ଆସିଛି। ୩ଟି ପର୍ଯ୍ୟାୟ ନାମଲେଖା ଓ ଦୁଇଟି ପର୍ଯ୍ୟାୟ ସ୍ପଟ୍‌ ନାମଲେଖା ଏହିପରି ୫ ଥର ନାମଲେଖା ପରେ ବି ସମସ୍ତ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ସିଟ୍‌ ପୂରଣ ହୋଇନି। କେଉଁଠି ଆବଶ୍ୟକ ଅନୁଯାୟୀ ପିଲା ହୋଇ ନାହାନ୍ତି। ତ ଆଉ କେଉଁଠି ଅଧା ସିଟ୍‌ ଖାଲି ପଡ଼ିଛି।

Advertisment

କେବଳ ସେତିକି ନୁହେଁ, ଦୀର୍ଘ ୫ ମାସ ଧରି ନାମଲେଖା ପ୍ରକ୍ରିୟା ଚାଲିଥିଲେ ମଧ୍ୟ ତାହାର ସୁଫଳ ଛାତ୍ରଛାତ୍ରୀଙ୍କୁ ମିଳିଲା ନାହିଁ। ବରଂ ସେମାନଙ୍କୁ ନାକେଦମ ହେବାକୁ ପଡ଼ିଛି। ରୢାଙ୍କ ପ୍ରକାଶ ସମୟରେ ଦ୍ବନ୍ଦ୍ବ ସୃଷ୍ଟି କରାଗଲା। ପ୍ରଥମେ କୁହାଗଲା ରାଜ୍ୟସ୍ତରୀୟ ରୢାଙ୍କ ପ୍ରକାଶ ପାଇବ। ତା’ପରେ ପୁଣି ନିଷ୍ପତ୍ତି ବଦଳି ବିଶ୍ବବିଦ୍ୟାଳୟସ୍ତରରେ ରୢାଙ୍କ ପ୍ରକାଶ ସହ ନାମଲେଖା ହେବ ବୋଲି ବାବୁମାନେ କହିଲେ। ଏହି ସମୟରେ କାହାକୁ ସିଟ୍‌ ମିଳିଲା ତ କାହାକୁ ମିଳିଲାନି। ବିଶେଷକରି ମେଧାବୀ ଛାତ୍ରଛାତ୍ରୀ ବହୁ ପରିମାଣରେ ହଇରାଣ ହେଲେ। ଉତ୍କଳ ବିଶ୍ବବିଦ୍ୟାଳୟରେ ସିଟ୍‌ ପାଇବା ଲାଗି ସମସ୍ତ ଯୋଗ୍ୟତା ରହିଥିଲେ ମଧ୍ୟ ସ୍ବୟଂଶାସିତ ମହାବିଦ୍ୟାଳୟରେ ନାମଲେଖାଇ ସନ୍ତୁଷ୍ଟ ରହିଲେ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ନାମଲେଖା ପ୍ରକ୍ରିୟା ଏତେ ଦ୍ବନ୍ଦ୍ବ ଓ ସମୟ ସାପେକ୍ଷ ହେଲା ଯେ ପିଲାମାନେ ଏଣେ‌ତେଣେ ଦୌଡ଼ି ନୟାନ୍ତ ହେଲେ। ବହୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିବା ନଜରକୁ ଆସିଛି। କିଏ ସିଟ୍‌ ପାଇନି ତ ଆଉ ସିଟ୍‌ ଆଶାରେ ରାଜ୍ୟ ବାହାରେ ପଢ଼ିବାକୁ ଯାଇପାରି ନାହାନ୍ତି। ଏମିତି କିଛି ଛାତ୍ରଛାତ୍ରୀ ରହିଛନ୍ତି ଯେଉଁମାନେ ନାମଲେଖା ସମ୍ପର୍କରେ ଜାଣିବା ଲାଗି ଏ ବିଶ୍ବବିଦ୍ୟାଳୟରୁ ସେ ବିଶ୍ବବିଦ୍ୟାଳୟକୁ ଦୌଡ଼ି ପ୍ରଚୁର ଖର୍ଚ୍ଚାନ୍ତର ଶିକାର ହୋଇଛନ୍ତି। ଗୋଟିଏ ପଟେ ଏକକ ପିଜି ପ୍ରବେଶିକା ମାଧ୍ୟମରେ ଛାତ୍ରଛାତ୍ରୀ ଖର୍ଚ୍ଚାନ୍ତରୁ ମୁକ୍ତି ପାଇଥିବା କୁହାଯାଉଥିବା ବେଳେ ଅନ୍ୟପଟେ ପଞ୍ଜୀକରଣ କରିବା, ନାମଲେଖା ଲାଗି ବାରମ୍ବାର ଦୌଡ଼ିବା, ଶିକ୍ଷାନୁଷ୍ଠାନ ପରିବର୍ତନ ସମୟରେ ମାଇଗ୍ରେସନ୍‌ ଓ ସିଏଲ୍‌ସି ନେବା ଲାଗି ଦୌଡ଼ି ଦୌଡ଼ି ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଖର୍ଚ୍ଚାନ୍ତ ହେଲେ। ତା’ ପରେ ବି କିଛି ଛାତ୍ରଛାତ୍ରୀଙ୍କୁ ସିଟ୍‌ ମିଳିଲା ନାହିଁ। ଗୋଟିଏ ପଟେ ସିଟ୍‌ ଖାଲି ରହିଛି ତ ଆଉ ଗୋଟିଏ ପଟେ ପିଲା ସିଟ୍‌ ପାଇ ନ ଥିବା ନଜରକୁ ଆସିଛି।

ଏହି ଅଭିନବ ପ୍ରକ୍ରିୟା ଲାଗୁ କରିବାରେ ଉଚ୍ଚଶିକ୍ଷା ବିଭାଗ ଓ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ବାବୁମାନେ ପ୍ରମୁଖ ଭୂମିକା ନେଇଥିଲେ। ଦୋଷତ୍ରୁଟି ପଦାକୁ ଆସିବା ପରେ ଏବେ ତାହାକୁ ଘୋଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ପରବର୍ତୀ ଶିକ୍ଷାବର୍ଷରେ ‌ଯେମିତି ଏଭଳି ତ୍ରୁଟି ବିଚ୍ୟୁତି ନ ହୁଏ ତାହାକୁ ନେଇ ଆସନ୍ତା ୧୨ ତାରିଖ ଅପରାହ୍ଣ ୩ଟାରେ ସମୀକ୍ଷା ବୈଠକ ଡାକିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ବିଶ୍ବବିଦ୍ୟାଳୟ (ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ବ୍ୟତୀତ)ର ପିଜି କାଉନସିଲ୍‌ ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକ ଏବଂ ୧୭ଟି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏହି ବୈଠକରେ ଜୁମ୍‌ ମାଧ୍ୟମରେ ସାମିଲ ହେବେ। ଏହି ବୈଠକ ପୂର୍ବରୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧିକାରୀମାନେ ଆସନ୍ତା ୧୦ ତାରିଖ ସୁଦ୍ଧା ‘[email protected]’ରେ ନାମଲେଖା ପ୍ରକ୍ରିୟାର ତ୍ରୁଟି ଓ ସମାଧାନ ସମ୍ପର୍କରେ ଜଣାଇବାକୁ କୁହାଯାଇଛି।