ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲ। ସୁନା, ହୀରା, ନୀଳା, ମୋତି, ମାଣିକ ଆଦିର ମଣତି କର। ରତ୍ନଭଣ୍ଡାରର ସ୍ଥିତି କ’ଣ ଅଛି ଜଣାଅ। ୫ ବର୍ଷ ତଳେ ଓଡ଼ିଶା ହାଇକୋର୍ଟଙ୍କ ଏଭଳି କଡ଼ା ନିର୍ଦ୍ଦେଶ ପରେ ରାଜ୍ୟ ସରକାର ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବାକୁ ତତ୍ପରତା ଦେଖାଇଥିଲେ। ହେଲେ ସମୟ ସ୍ରୋତରେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ରାଜନେତାଙ୍କୁ ମୁହଁରୁ ହଜିଯାଇଛି ସତ, କିନ୍ତୁ ଭକ୍ତଙ୍କ ମନକୁ ଏବେ ବି ଏହି ପ୍ରସଙ୍ଗ ଆନ୍ଦୋଳିତ କରି ରଖିଛି। ରତ୍ନଭଣ୍ଡାର କିଭଳି ସ୍ଥିତିରେ ଅଛି, ଏଥିରେ କେତେ ପ୍ରକାରର ଓ ପରିମାଣର ଅଳଙ୍କାର ରହିଛି, ଏଥିରୁ କିଛି ଚୋରି ହୋଇଯାଇନି ତ, ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନକୁ ଜାବୁଡ଼ି ଧରିଛି।

Advertisment

publive-image Live Law

ମାର୍ଚ୍ଚ ଶେଷ ଆଡ଼କୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୮ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଏଥିପାଇଁ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ, ତତ୍କାଳୀନ ପୁରୀ ଜିଲ୍ଲାପାଳ, ଏସ୍‌ପି, ପରିଚାଳନା କମିଟି ସଦସ୍ୟ ଓ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କୁ ନେଇ ୧୭ଜଣିଆ ରତ୍ନଭଣ୍ଡାର ଯାଞ୍ଚ କମିଟି ଗଠନ ହୋଇଥିଲା। କମିଟି ଯିବା ପୂର୍ବରୁ ଅଘଟଣ ଏଡ଼ାଇବାକୁ ‌ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସହଯୋଗ ନିଆଗଲା। ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ବି ପ୍ରସ୍ତୁତ ରହିଲେ। ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରିଦିଆଗଲା। ଭକ୍ତମାନେ ବି ୧୭ଜଣିଆ କମିଟିର ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରିଥିଲେ। କିନ୍ତୁ ଅତି ଅବିଶ୍ବସନୀୟ ଭାବେ ଏହି କମିଟି ଫେରିଆସିଥିଲା। ପରେ ଗଣମାଧ୍ୟମ ଆଗରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉତ୍ତର ରଖିଲେ କି ଯେହେତୁ ବାହାର ଭଣ୍ଡାର ଘରୁ ସବୁକିଛି ଦୃଶ୍ୟମାନ ହେଉଥିଲା, ଆଉ ଭିତର ରତ୍ନଭଣ୍ଡାରକୁ ଯିବାକୁ ପଡ଼ିଲାନି।

publive-image

କିନ୍ତୁ ଏହିଦିନ ସନ୍ଧ୍ୟାରେ ଭୁ‌ବନେଶ୍ବରରେ ଗଜପତି ମହାରାଜା, କମିଟିର ୧୭ଜଣିଆ ସଦସ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଗଲା। ଯେଉଁଥିରେ ଚାବି ହଜିବା ପ୍ରସଙ୍ଗ ଲୋକଲୋଚନକୁ ଆସିଥିଲା। ରତ୍ନଭଣ୍ଡାର ଚାବି ହଜିଯିବାରୁ ଭିତର ରତ୍ନଭଣ୍ଡାର ଘର ଖୋଲିବା ସମ୍ଭବପର ହେଲାନି ବୋଲି ପରିଚାଳନା କମିଟି ସଦସ୍ୟ ଓ ଅଧିକାରୀମାନେ ଦାବି କରିଥିଲେ। ଏହାର କିଛିଦିନ ପରେ ତତ୍କାଳୀନ ଜିଲ୍ଲାପାଳ ଚାବି ରେକର୍ଡ ରୁମ୍‌ରୁ ମିଳିଲା ଗଣମାଧ୍ୟମ ଆଗରେ ସଫେଇ ଦେଇଥିଲେ। ଚାବି ହଜିବା ପ୍ରସଙ୍ଗକୁ ନେଇ ବିବାଦ ମୁଣ୍ଡ ଟେକିବା ଓ ବିରୋଧୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରେ ତତ୍କାଳ ରାଜ୍ୟ ସରକାର ତଦନ୍ତ କମିସନ ଗଠନ କଲେ। ଜଷ୍ଟିସ୍‌ ରଘୁବୀର ଦାଶଙ୍କ ନେତୃତ୍ବରେ ଚାବି ହଜିବା ପ୍ରସଙ୍ଗର ତଦନ୍ତ ହେଲା। ତଦନ୍ତ କମିସନ ବି ଚାବି ହଜିବା ପ୍ରସଙ୍ଗର ତଦନ୍ତ କରି ରାଜ୍ୟ ସରକାରଙ୍କୁ ୩୨୪ ପୃଷ୍ଠାର ବିସ୍ତୃତ ରିପୋର୍ଟ ଦେଇଥିଲେ। ତଦନ୍ତ କମିସନଙ୍କ ତଦନ୍ତ ପାଇଁ ରାଜ୍ୟ ସରକାର ରାଜକୋଷରୁ ୨୨ଲକ୍ଷ ୨୭ହଜାର ୯୧୮ ଟଙ୍କା ଖର୍ଚ୍ଚ କଲେ। ତଦନ୍ତ କମିସନ ସରକାରଙ୍କୁ ରିପୋର୍ଟ ଦେବା ଇତିମଧ୍ୟରେ ୪ ବର୍ଷ ବିତିଲାଣି, କିନ୍ତୁ ଏହି ରିପୋର୍ଟ ସାର୍ବଜନୀନ ହୋଇପାରିନି। ଏହି ବାଦବିବାଦ ଭିତରେ ରତ୍ନଭଣ୍ଡାର ରତ୍ନ, ହୀରା, ମୋତି, ମାଣିକ ଆଦିର ଗଣତି ଓ ମଣିତ ୫ ବର୍ଷ ହେଲାଣି ଝୁଲି ରହିଛି।

ସେପଟେ ରତ୍ନଭଣ୍ଡାର ଯାଞ୍ଚ ସମୟରେ ୧୭ଜଣିଆ କମିଟି ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ଥିବା ରିପୋର୍ଟ ଦେଇଥିଲେ। ରତ୍ନଭଣ୍ଡାର ଛାତ, କାନ୍ଥ ଚାରିପାର୍ଶ୍ବରୁ ପାଣି ଗଳୁଥିବା ଓ ବିଭିନ୍ନ ସ୍ଥାନରୁ ସିମେଣ୍ଟ ଛେଲା ଖସିଥିବା ବି ରିପୋର୍ଟରେ ସ୍ପଷ୍ଟ ଲେଖାଥିଲା। ଏହାସତ୍ତ୍ବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ହୋଇପାରିନି। ଗତବର୍ଷ ଅଗଷ୍ଟ ୮ ତାରିଖରେ ପ୍ରତ୍ନତତ୍ତ୍ବ ବିଭାଗ ବି ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରି ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ଅନୁମତି ମାଗିଥିଲା। ଏହା ବି ଶୀତଳ ଭଣ୍ଡାରେ ପଡ଼ିରହିଛି। ଏଭଳି ସ୍ଥିତିରେ ରତ୍ନଭଣ୍ଡାର ଓ ଏହା ଭିତରେ ଥିବା ରତ୍ନ, ଅଳଙ୍କାରଙ୍କୁ ନେଇ ଭକ୍ତ ମହଲରେ ସନ୍ଦେହ ଦୃଢ଼ୀ‌ଭୂତ ହେବାରେ ଲାଗିଛି।