ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ପାଇଁ ଆବେଦନ ଆଜି

୭୦ ଦିନର ପଦଯାତ୍ରା ପରେ ଦିଲ୍ଲୀ ପହଞ୍ଚିଲେ ମୁକ୍ତିକାନ୍ତ

ରାଉରକେଲା: ରାଉରକେଲାରୁ ପଦଯାତ୍ରାରେ ବାହାରିଥିବା ସ୍ଥାନୀୟ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ୭୦ ଦିନ ପରେ ଆଜି ଦିଲ୍ଲୀରେ ପହଞ୍ଚଛନ୍ତି। ଆସନ୍ତାକାଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ଆବେଦନ କରିବେ ବୋଲି ଜଣାପଡ଼ିଛି। କିଛିଦିନ ଧରି ମୁକ୍ତିକାନ୍ତଙ୍କ ପଦଯାତ୍ରାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ୨୦୧୪ରେ ନିର୍ବାଚନ ପ୍ରଚାରକୁ ଆସିଥିବାବେଳେ ଏବଂ ପ୍ରଧାନମନ୍ତ୍ରୀ ହେବା ପରେ ଖୋଦ୍‌ ନରେନ୍ଦ୍ର ମୋଦି ୨୦୧୫ ଉତ୍କଳ ଦିବସ (ଏପ୍ରିଲ୍‌ ପହିଲା)ରେ ରାଉରକେଲା ଆସି ଇସ୍ପାତ ଜେନେରାଲ୍‌ ହସ୍ପିଟାଲ୍‌ (ଆଇଜିଏଚ୍‌)କୁ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡ଼ିକାଲ କଲେଜରେ ରୂପାନ୍ତର ସହିତ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଆଦି ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୪ ବର୍ଷ ବିତିଯାଇଛି। ମାତ୍ର, ଏପର୍ଯ୍ୟନ୍ତ ସେ ଏହି ପ୍ରତିଶ୍ରୁତି ପାଳନ କରିନାହାନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏହି ପ୍ରତିଶ୍ରୁତି ମନେ ପକାଇବା ପାଇଁ ମୁକ୍ତିକାନ୍ତ ଗତ ଏପ୍ରିଲ୍‌ ୧୬ରେ ରାଉରକେଲାରୁ ପଦଯାତ୍ରାରେ ବାହାରିଥିଲେ। ଓଡ଼ିଶାରୁ ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ହରିଆଣା ଆଦି ବିଭିନ୍ନ ରାଜ୍ୟ ଦେଇ ସେ ୧୫୩୫ କିଲୋମିଟର ପଥ ଅତିକ୍ରମ କରିଛନ୍ତି। ଆଜି ସେ ଦିଲ୍ଲୀଠାରେ ପହଞ୍ଚଥିବାବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଉ ମାତ୍ର ୧୫ କିଲୋମିଟର ଦୂରରେ ରହିଛି। ମୁକ୍ତିିକାନ୍ତ ଆଜି ରାତି କଟାଇବେ ପୁରୁଣା ଦିଲ୍ଲୀର ପଦରପୁରସ୍ଥିତ ଗୁରୁଦ୍ୱାରରେ। ଆସନ୍ତାକାଲି ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟବର୍ତ୍ତୀ ହେବା ପରେ ତାଙ୍କୁ ସାକ୍ଷାତ କରିବାକୁ ଆବେଦନ କରିବେ ବୋଲି ‘ସମ୍ବାଦ’କୁ କହିଛନ୍ତି। ସେ କହିଲେ, ସାକ୍ଷାତ ପାଇଁ ଅନୁମତି ନମିଳିବା ଯାଏ ସେ ଦିଲ୍ଲୀରେ ପଡ଼ିରହିବେ। ସାକ୍ଷାତ ସୁଯୋଗ ମିଳିବା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ରାଉରକେଲାବାସୀଙ୍କ କ୍ଷୋଭ ଜଣାଇବେ।

ସମ୍ବନ୍ଧିତ ଖବର