ସମ୍ବଲପୁର: ୟୁକ୍ରେନ୍ରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ମାନେ ସମସ୍ୟାରୁ ମୁକୁଳିବା ପରେ ବା ସ୍ବଦେଶ ବାହୁଡ଼ିବା ପରେ କ୍ରମେ ବାପାମାଆଙ୍କ ମୁହଁରେ ହସ ଫେରି ଆସିଛି। ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ପିଲା ମାନଙ୍କୁ ୟୁକ୍ରେନ୍ ପଠାଇଥିବା ଓଡ଼ିଶାର ଏଜେନ୍ସି ଗୁଡ଼ିକ ବି ବିପଦ ସମୟରେ ହାତ ଛାଡ଼ି ନଦେଇ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସବୁ କିଛି ବାଜି ଲଗାଇ ଦେଇଥିବାରୁ ସେମାନଙ୍କୁ ପ୍ରଶଂସା କରିଛନ୍ତି ଅନେକ ଅଭିଭାବକ। ଖାର୍କିଭ୍ରେ ଡାକ୍ତରୀ ପଢ଼ୁଥିବା ସମ୍ବଲପୁର ସାକ୍ଷୀପଡ଼ାର ପ୍ରସନ୍ଜିତ୍ ପଟ୍ଟନାୟକ ଦୀର୍ଘ ୧୦ ଦିନ ଧରି ଅସହ୍ୟ କଷ୍ଟ ସ୍ବୀକାର ଶେଷରେ ୟୁକ୍ରେନ୍ ସୀମା ଅତିକ୍ରମ କରି ରୋମାନିଆରେ ପହଞ୍ଚିଛନ୍ତି। ଅନେକ ଛାତ୍ରଛାତ୍ରୀ କୌଣସି ମତେ ଖାର୍କିଭ୍ରୁ ବାହାରି ଆସିଥିବାବେଳେ ପ୍ରସନ୍ଜିତ୍ଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଟ୍ରେନ୍ ଧରି ନପାରି ସେଠାରେ ରହି ଯାଇଥିଲେ।
ପ୍ରସନ୍ଜିତ୍ ଖାର୍କିଭ୍ ରେଳ ଷ୍ଟେସନ୍ରେ ଥିବାବେଳେ ହୋଇଥିବା ରୁଷିଆର ମିସାଇଲ୍ ମାଡ଼କୁ ନିଜ ଆଖିରେ ଦେଖିଥିଲେ ବି ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ଟ୍ରେନ୍ ମିଳିବାର ସବୁ ଆଶା ଶେଷ ହୋଇଯିବା ପରେ କାର୍କିଭ୍ ଷ୍ଟେସନ୍ରୁ ବାହାରି ସଂଜ ଅନ୍ଧାରରେ ପାଦରେ ଚାଲିଚାଲି ଯାଇ ୨୦ କିଲୋମିଟର୍ ଦୂର ଏକ ହଷ୍ଟେଲ୍ରେ ଆଶ୍ରୟ ନେଇଥିଲେ। ପିସୋଚିନ୍ର ଉକ୍ତ ଶିବିର ଉପରେ ଯଦିଓ ଆକ୍ରମଣର ଭୟ ନଥିଲା କିନ୍ତୁ ସେଠାରୁ କେମିତି ମୁକୁଳି ସୀମାକୁ ଆସିବେ ତା’ର ଉପାୟ ବି ନଥିଲା।
ସେତିକି ବେଳେ ପିଲାଙ୍କୁ ୟୁକ୍ରେନ୍ ପଠାଇଥିବା ଘରୋଇ ସଂସ୍ଥାର ଏଜେଣ୍ଟ ମାନଙ୍କ ନିକଟକୁ ଓଡ଼ିଶା ସରକାରଙ୍କ ଚିଠି ପହଞ୍ଚିଥିଲା। ଯାହା ଖର୍ଚ୍ଚ ହେବ ଓଡ଼ିଶା ସରକାର ଦେବେ, େଯକୌଣସି ମତେ ସେମାନଙ୍କୁ ସେଠାରୁ ଉଦ୍ଧାର କରି ସୀମାକୁ ଆଣ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ଉକ୍ତ ପତ୍ର ପାଇବା ପରେ ଗ୍ଲୋବାଲ୍ ଫୋକସ୍ ସଂସ୍ଥା ପକ୍ଷରୁ ୨ଟି ଭଲ୍ଭୋ ବସ୍ ଠିକ୍ କରି ପ୍ରସନ୍ଜିତଙ୍କ ସମେତ ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ପୋଲାଣ୍ଡ ସୀମା ନିକଟସ୍ଥ ଲିଭିଭ୍ ସହରକୁ ଅଣା ଯାଇଥିଲା। ହେଲେ ବାଟରେ ପ୍ରବଳ ଟ୍ରାଫିକ୍ ଜାମ୍ କାରଣରୁ ସେମାନେ ଲିଭିଭ୍ ପହଞ୍ଚିବା କଷ୍ଟସାଧ୍ୟ ହୋଇଥିଲା। ଲିଭିଭ୍ର ୨ ଘଣ୍ଟା ପୂର୍ବରୁ ଟେର୍ନୋପିଲ୍ ସହରରେ ଓହ୍ଲାଇ ସମସ୍ତେ ସେଠାରେ ଏକ ହଷ୍ଟେଲ୍ରେ କିଛି ସମୟ ପାଇଁ ରହିଥିଲେ।
ସେଠାରୁ ପୁଣି ପୋଲାଣ୍ଡ ଅଭିମୁଖେ ନଯାଇ ୮ଟି ମିନି ବସ୍ରେ ସେମାନେ ହଙ୍ଗେରି ସୀମାକୁ ଯିବାକୁ ବାହାରିଲେ। ହେଲେ ହଙ୍ଗେରି ସୀମାରେ ବି ଲୋକଙ୍କ ଭିଡ଼ ଥିବା ସୂଚନା ପାଇବା ପରେ ରୋମାନିଆ ସୀମାକୁ ଯାଇଥିଲେ। ଶନିବାର ମଧ୍ୟରାତ୍ରିରେ ଯାଇ ସେମାନେ ସୀମାରେ ପହଞ୍ଚିଥିଲେ। ଔପଚାରିକତା ପୂରଣ ପରେ ଅନ୍ୟ ଗାଡ଼ିରେ ସୀମା ଅତିକ୍ରମ କରି ରୋମାନିଆ ପାର୍ଶ୍ବରେ ଏକ ଇନ୍ଡୋର୍ ଷ୍ଟାଡିୟମ୍ରେ କରା ଯାଇଥିବା ଅସ୍ଥାୟୀ ଶିବିରରେ ରହିଛନ୍ତି। ସେଠାରେ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କୁ ଗଦି, କମ୍ବଳ, ତକିଆ, ଶୌଚାଳୟ ଆଦିର ବ୍ୟବସ୍ଥା ସହ ଉତ୍ତମ ରନ୍ଧା ଖାଦ୍ୟ ଦିଆଯାଉଛି।
୩୦ ଘଣ୍ଟାର ଏହି କଠିନ ଯାତ୍ରାବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଯୁକ୍ତ ଅଧିକାରୀ ବିକ୍ରମାଦିତ୍ୟ ସିଂହ ତାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ପ୍ରସନ୍ଜିତ କହିଛନ୍ତି। ସୋମବାର ରୋମାନିଆ ସମୟ ଦିନ ୧୦ଟା (ଭାରତୀୟ ସମୟ ଦିନ ୧ଟା ୩୦) ବେଳେ ପ୍ରସନ୍ଜିତ ଓ ତାଙ୍କ ସାଥୀ ଛାତ୍ରଛାତ୍ରୀ ମାନେ ବୁଚାରେଷ୍ଟ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ବାହାରିବେ ବୋଲି ଜଣା ପଡ଼ିଛି। ଖାର୍କିଭ୍ରୁ ସୁରକ୍ଷିତ ଭାବେ ବାହାରିଥିବାରୁ ପ୍ରସନ୍ଜିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଗ୍ଲୋବାଲ୍ ଫୋକସ୍ର ସ୍ବାଧୀନ ମହାପାତ୍ର ଏବଂ ଅବଦୁଲ୍ ଜାହିଦ୍ଙ୍କୁ କୃତଜ୍ଞତା ଜଣାଇଛନ୍ତି।