ଦେବଗଡ଼: ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ଦେବଗଡ଼ରେ ରହିଛି ନିଆରା ପରମ୍ପରା। ସ୍ଥାନୀୟ ପୁରୁଣାଗଡ଼ସ୍ଥିତ ଜଗନ୍ନାଥ ମନ୍ଦିରରେ ୩ଦିନ ଧରି ହୁଏ ରଥଯାତ୍ରା। ଶ୍ରୀକ୍ଷେତ୍ର ପୁରୀ ସମେତ ପ୍ରାୟ ସବୁଆଡ଼େ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। କିନ୍ତୁ ପୁରୁଣାଗଡ଼ ଜଗନ୍ନାଥ ମନ୍ଦିରରରେ ଗୋଟିଏଦିନ ବିଳମ୍ୱରେ ରଥଟଣା ହୋଇଥାଏ।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ରଥଯାତ୍ରା ଦିନ କେବଳ ତିନି ଠାକୁରଙ୍କୁ ମନ୍ଦିରରୁ ପହଣ୍ଡି କରାଯାଇ ରଥକୁ ନିଆଯାଇଥାଏ। ସେ ଦିନ କେବଳ ଭକ୍ତମାନେ ତିନିଠାକୁରଙ୍କୁ ରଥରେ ହିଁ ଦର୍ଶନ କରିଥାନ୍ତି। ତା’ ପରଦିନଠାରୁ ୨ ଦିନ ଧରି ରଥଟଣା ହୋଇଥାଏ ଏବଂ ତିନି ଠାକୁର ମାଉସୀ ମା’ଙ୍କ ମନ୍ଦିରକୁ ଯାଇଥାନ୍ତି। ଠିକ୍ ସେହିପରି ଭାବେ ବାହୁଡ଼ା ଯାତ୍ରା ଦିନ କେବଳ ପହଣ୍ଡି କରି ତିନିଠାକୁରଙ୍କୁ ରଥକୁ ନିଆଯାଇଥାଏ ଏବଂ ଭକ୍ତମାନେ ତିନିଠାକୁରଙ୍କୁ ରଥରେ ହିଁ ଦର୍ଶନ କରିଥାନ୍ତି। ବାହୁଡା ଯାତ୍ରା ମଧ୍ୟ ୨ ଦିନ ଧରି ରଥଟଣା ହୋଇଥାଏ। ପରେ ତିନି ଠାକୁର ମନ୍ଦିରକୁ ଯାଇଥାନ୍ତି। ମନ୍ଦିର ପୂଜକଙ୍କ କହିବା ଅନୁଯାୟୀ, ୧୭୦୩ରେ ବାମଣ୍ଡାର ତତ୍କାଳୀନ ରାଜା ପ୍ରତାପ ରୁଦ୍ର ଦେବ ମନ୍ଦିର ନିର୍ମାଣ କରିଥିଲେ। ଏହା ସହିତ ଶ୍ରୀଜିଉଙ୍କ ପୂଜନ ଓ ଘୋଷଯାତ୍ରା ଆରମ୍ଭ କରିଥିଲେ। ଦେବଗଡ଼ ଜିଲ୍ଲାର ଶ୍ରଦ୍ଧାଳୁ ପୁରୀ ଶ୍ରୀକ୍ଷେତ୍ରର ରଥଟଣା ଦେଖିସାରି କିଭଳି ପୁରୁଣାଗଡ଼ ଜଗନ୍ନାଥ ମନ୍ଦିରରେ ଘୋଷଯାତ୍ରା ଦେଖିପାରିବେ ସେହି ପରିକଳ୍ପନା ନେଇ ତତ୍କାଳୀନ ରାଜା ଏହି ବ୍ୟବସ୍ଥା କରିଥିଲେ। ସେହି ଅନୁଯାୟୀ କେଉଁ ପୁରୁଣା କାଳରୁ ଏଠାରେ ୩ ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେଉଛି।
ଅନ୍ୟପଟେ ତତ୍କାଳୀନ ରାଜା ପ୍ରତାପ ରୁଦ୍ର ଦେବ ସେହି ସମୟରେ ଗଜପତିଙ୍କ ଅନୁମତିକ୍ରମେ ପୁରୀରୁ ଓଲଟ ବର ବୃକ୍ଷ ଆଣିଥିଲେ। ସେହି ବୃକ୍ଷକୁ ଆଣି ପୂଜାର୍ଚ୍ଚନା କରି ପୁରୁଣାଗଡ଼ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରୋପଣ କରିଥିଲେ। ରୋପଣ କରିବା ପରେ ବୃକ୍ଷର ପତ୍ରଗୁଡ଼ିକ ଓଲଟା ହୋଇଥିବା ଦେଖିବାକୁ ମିଳିଥିଲା। ଉକ୍ତ ପବିତ୍ର ବୃକ୍ଷ ଏବେ ମଧ୍ୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ‘ଓଲଟ ବର’ ବୃକ୍ଷ ନାମରେ ପରିଚିତ। ପୁରୁଣାଗଡ଼ସ୍ଥିତ ଜଗନ୍ନାଥ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର ଶୈଳୀରେ ନିର୍ମାଣ କରାଯାଇଛି। ରାଜା ପ୍ରତାପ ରୁଦ୍ର ଦେବଙ୍କ ଦେହାନ୍ତ ପରେ ରାଜା ସର୍ବେଶ୍ବର ଦେବ, ରାଜା ଅର୍ଜୁନ ଦେବ, ରାଜା ବାଲୁଙ୍କା ବୃଷଭ ଦେବ କ୍ରମାନ୍ବୟରେ ସମସ୍ତ ରାଜାମାନେ ରଥଯାତ୍ରା କରିଥିଲେ। ତତ୍କାଳୀନ ରାଜା ବ୍ରଜସୁନ୍ଦର ଦେବ ଜଗନ୍ନାଥ ମନ୍ଦିରର ସଂଲଗ୍ନ ମୁଖଶାଳା, ଭୋଗମଣ୍ଡପ ନିର୍ମାଣ କରିଥିଲେ। ସାର୍ ରାଜା ବାସୁଦେବ ସୁଢ଼ଳ ଦେବ ମନ୍ଦିର ପରିସରରେ ଝୁଲଣ ଗୃହ, କୁଞ୍ଜବନ ଓ ପୁଷ୍ପ ବାଟିକା ତିଆରି କରିଥିଲେ। ପୂର୍ବ ପ୍ରଚଳିତ ପ୍ରଥା ଓ ନିୟମକୁ ଦୃଷ୍ଟିରେ ରଖି ତତ୍କାଳୀନ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନଦେବ ୧୯୦୮ରେ ମନ୍ଦିରର ନିୟମାବଳୀ ପୁସ୍ତକ ପ୍ରକାଶ କରିଥିଲେ। ବର୍ତ୍ତମାନ ବି ମନ୍ଦିରର ପରିଚାଳନା ଦାୟିତ୍ବ ରାଜପରିବାର ହାତରେ ରହିଛି।