ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ ଅଧୀନ ମାଲିକାପୋଡ଼ି ପଞ୍ଚାୟତ କୁମ୍ଭାରକୁପା ଦେରିନାଯୁ ଗ୍ରାମରେ ଜଣେ ଯୁବକ ଅଭାବନୀୟ କାଣ୍ଡ ଘଟାଇଛନ୍ତି। ବଜାରରେ ଭାଇ ସହ ଗଣ୍ଡଗୋଳ କରିବା ପରେ ମାନସିକ ଭାରସାମ୍ୟ ହରାଇ ନିଜ ଅଶୋକ ଲେଲ୍ୟାଣ୍ଡ୍ ଡାଲା ଗାଡ଼ି ଜାଳିଦେବା ସହ ଏକ ଗଛରେ ଚଢ଼ି ବେକରେ ରଶିରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ବିଶ୍ୱରବା ପ୍ରଧାନ(୨୭)।
ସୂଚନା ପ୍ରକାରେ, ଘୁ.ଉଦୟଗିରି ବଜାରରେ ବିଶ୍ବରବା ଓ ତାଙ୍କ ଭାଇ ଗନ୍ଧର୍ବ ପ୍ରଧାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ବିଶ୍ବରବା ଘରକୁ ଚାଲି ଆସିଥିଲେ। ଘରୁ ତାଙ୍କର ଅଶୋକ ଲେଲ୍ୟାଣ୍ଡ୍ ଡାଲା ଗାଡ଼ି (ଓଡ଼ି ୧୨-୧୩୦୦)କୁ ଧରି ଦେରିନାଯୁସାହି ମୁଣ୍ଡିଆ ନିକଟକୁ ଚାଲି ଯାଇଥିଲେ। ସେଠାରେ ସେ ପ୍ରଥମେ ଗାଡ଼ିରେ ନିଆଁ ଲଗାଇ ଦେଇ ଭାଇ ଗନ୍ଧର୍ବଙ୍କୁ ଫୋନ୍ କରି କହିଥିଲେ। ଗନ୍ଧର୍ବ ଘଟଣା ସଂପର୍କରେ ଜାଣିପାରି ସଙ୍ଗେ ସଙ୍ଗେ ପରିବାର ଲୋକଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଡ଼ିଟି ଜଳୁଥିବା ଦେଖି ଗନ୍ଧର୍ବ ଓ ପରିବାର ଲୋକେ ନିଆଁ ଲିଭାଇବାରେ ଲାଗି ପଡ଼ିଥିଲେ। ତେବେ ଏହି ସମୟ ଭିତରେ ବିଶ୍ବରବା ସମସ୍ତଙ୍କୁ ତଟସ୍ଥ କରି ନିକଟସ୍ଥ ଏକ ବରଗଛର ଶିଖରକୁ ଚଢ଼ି ଯାଇଥିଲେ। ସାଙ୍ଗରେ ଗାଡ଼ିରେ ଥିବା ରଶି ଧରି ଯାଇଥିଲେ। ଗଛ ଡାଳରେ ରଶି ବାନ୍ଧି ଝୁଲି ପଡ଼ିଥିଲେ। ବିଶ୍ବରବା ଏତେ ଉଚ୍ଚରେ ଥାଇ ଆତ୍ମହତ୍ୟା କରିଥିଲେ ଯେ ପରିବାର ଲୋକେ ତାହା ଜାଣିପାରି ନଥିଲେ କି କିଛି କରିପାରି ନଥିଲେ। ପରେ ଖବର ପାଇ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ପାଢ଼ୀଙ୍କ ନେତୃତ୍ୱରେ ଏକ ଦଳ ପହଞ୍ଚି ଗାଡ଼ିରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ସହ ବିଶ୍ୱରବାଙ୍କ ଶବ ତଳକୁ ଆଣିଥିଲେ। ପରେ ସ୍ଥାନୀୟ ଥାନାଧିକାରୀ ଅଜୟ କୁମାର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।