ଟାଙ୍ଗୀ: ପୂଜକଙ୍କୁ ପାଉଣା ମିଳିଲାନି ବୋଲି ଜଗତର ନାଥ ଜଗନ୍ନାଥ ବଡ଼ଠାକୁର ବାହୁଡ଼ା ପରଠାରୁ ସେମିତି ରଥରେ ରହିଛନ୍ତି। ଏଭଳି ବିଡ଼ମ୍ବନା ଦେଖିବାକୁ ମିଳିଛି ଟାଙ୍ଗୀ ଥାନା ଅଧୀନ ମଙ୍ଗଳାଯୋଡ଼ିରେ। ମଙ୍ଗଳାଯୋଡ଼ିରେ କାହିଁ କେଉଁକାଳରୁ ପତିତପାବନ ମନ୍ଦିର ପ୍ରତିଷ୍ଠା ହୋଇଛି। ବହୁ ବର୍ଷ ହେବ ପାରମ୍ପରିକ ରୀତିନୀତି ଅନୁସାରେ ପାଳିତ ହୋଇଆସୁଛି ରଥଯାତ୍ରା। କିଛି ଅସୁବିଧା ପାଇଁ ୭/୮ବର୍ଷ ହେବ ରଥଯାତ୍ରା ବନ୍ଦ ରହିଥିଲା। ଚଳିତ ବର୍ଷ କେତେକ ଯୁବକଙ୍କ ଉଦ୍ୟମରେ ପୁଣି ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା। ମାତ୍ର ପୂଜକ ତାଙ୍କ ଦାବି ମୁତାବକ ପାଉଣା ନ ପାଇବାରୁ ବାହୁଡ଼ା ଯାତ୍ରାକୁ ୧୮ ଦିନ ବିତି ଯାଇଥିଲେ ହେଁ ରଥରେ ବିଜେ ଜଗତର ନାଥ ଜଗନ୍ନାଥ, ବଡ଼ଭାଇ ବଳଦେବ, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସେମିତି ରଥରେ ଛାଡ଼ି ଦେଇଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ଏବେ ଖରାବର୍ଷାରେ ରଥରେ ରହିଛନ୍ତି। ଏହି ଅଭାବନୀୟ ଘଟଣା ଜଣାପଡ଼ିବା ପରେ ଜଗନ୍ନାଥପ୍ରେମୀ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Advertisment

ଯାହା ସୂଚନା ମିଳିଛି ପୂଜକ ୮ ହଜାର ଟଙ୍କା ଦାବି କରିଥିଲେ। ଯୁବକମାନେ ଚାନ୍ଦା କରି ପୂଜକଙ୍କୁ ଦୁଇହଜାର ଟଙ୍କା ଦେଇଥିଲେ। ଏହାକୁ ନେଇ ବିବାଦ ଘନୀଭୂତ ହୋଇଥିଲା। ପୂଜକ ନିଜ ଜିଦରେ ଅଟଳ ରହିବା ସହିତ ଠାକୁରଙ୍କୁ ମନ୍ଦିର ବାହାରେ ଛାଡ଼ି ଦେଇଛନ୍ତି। ଗ୍ରାମର ପୂର୍ବତନ ୱାର୍ଡସଭ୍ୟ ବିକାଶ ପଟ୍ଟନାୟକଙ୍କ କହିବା କଥା ହେଲା, ଗ୍ରାମରେ କୌଣସି କମିଟି ନାହିଁ। ମନ୍ଦିର ବି ଦେବୋତ୍ତର ବିଭାଗ ଅଧୀନରେ ନାହିଁ। ପ୍ରାୟ ୭/୮ ବର୍ଷ ହେବ ରଥଯାତ୍ରା ବନ୍ଦ ରହିଥିଲା। ଗ୍ରାମର କିଛି ଉତ୍ସାହୀ ଯୁବକ ଚଳିତ ବର୍ଷ ପୂଜକଙ୍କୁ କୁହାବୋଲା କରି ରଥଯାତ୍ରାର ଆୟୋଜନ କରିଥିଲେ। ରଥଯାତ୍ରାରେ କିଛି ଅବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି। ଅନ୍ୟପଟେ ମଙ୍ଗଳାଯୋଡି ସରପଞ୍ଚ ବିକାଶ ସାମନ୍ତରାୟଙ୍କୁ ଏ ସଂପର୍କରେ ପଚରାଯିବାରୁ ପୂଜକକୁ ଏନେଇ ଚାରିଚାରି ଥର କୁହାଗଲାଣି କିନ୍ତୁ ସେ କିଛି ଶୁଣୁ ନାହାନ୍ତି। ଆସନ୍ତାକାଲି ଏନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।