ବବିଙ୍କ ବଙ୍ଗଳା ପରେ ଜିତୁଙ୍କ ଢାବା: ବିନା କାଗଜପତ୍ରରେ ଦିଆଯାଇଥିଲା ଲିଜ୍‌

ସମୀକ୍ଷା ବେଳେ ଧରିଲେ ଧର୍ମଶାଳା ବିଧାୟକ, ସିଲ୍‌ କରିବାପାଇଁ ନିର୍ଦ୍ଦେଶ ଦେଲେ

ଯାଜପୁର/ଧର୍ମଶାଳା: ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଭୁବନେଶ୍ବରସ୍ଥିତ ସରକାରୀ କ୍ବାର୍ଟରକୁ ବିଳାସପୂର୍ଣ୍ଣ ଭବନରେ ପରିଣତ କରିବା ଘଟଣାକୁ ନେଇ ଏବେ ବି ଚର୍ଚ୍ଚା ଜାରି ରହିଛି। ସେହିପରି, ଯାଜପୁର ସହରସ୍ଥିତ କୁସୁମା ପ୍ରକଳ୍ପ ଭିତରେ ଶିଶୁଉଦ୍ୟାନକୁ ହଟାଇ ଆଲିସାନ ବଙ୍ଗଳା ନିର୍ମାଣ କରିବା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଏବେ ଚର୍ଚ୍ଚାକୁ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ (ଜିତୁ)ଙ୍କ ଶୀତତାପ ନିୟନ୍ତ୍ରିତ ‘ବଲେ ବଲେ ଢାବା’ ଓ ଲଜ୍। ନବନର୍ବାଚିତ ବିଧାୟକ ହିଂମାଶୁ ଶେଖର ସାହୁ(ଲିକୁ) ବ୍ଲକ୍‌ ଉନ୍ନୟନ କାମର ସମୀକ୍ଷା ବେଳେ ବିନା କାଗଜପତ୍ରରେ ଏହି ଢବାକୁ ଲିଜ୍‌ ଦିଆଯାଇଥିବା ଜଣାପଡ଼ିଛି। ଏହାକୁ ତୁରନ୍ତ ସିଲ୍‌ କରିବାକୁ ସେ ବ୍ଲକ୍‌ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।

୧୬ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ନିକଟ ନେଉଳପୁରଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନିର୍ମାଣ ହୋଇଛି ‘ଧର୍ମଶାଳା ଭବନ’। ପୂର୍ବତନ ବିଧାୟକ ସ୍ବର୍ଗତ କଳ୍ପତରୁ ଦାସଙ୍କ ଅମଳରେ ଏହା ନିର୍ମିତ ହୋଇଥିଲା। ଏହି ଧର୍ମଶାଳାରେ ଭବନରେ ରହିଛି ‘ବଲେ ବଲେ ଢାବା’ ଓ ଲଜ୍‌। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ଢାବା ଓ ଲଜ୍ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରାଯାଇଛି ଏବଂ ସେହି ଅର୍ଥ ବିଧାୟକ ଓ ସାଂସଦ ପାଣ୍ଠିରୁ ଦିଆଯାଇଛି। ନିଜେ ସ୍ଥାନୀୟ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ସ୍ବୀକାର କରି କହିଛନ୍ତି ଯେ ସାଂସଦ ଓ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ସହିତ ଅନ୍ୟାନ୍ୟ ଅନୁଦାନରୁ ଏହି ଢାବା ନିର୍ମାଣ କରାଯାଇଛି। ରାଜସ୍ବ ଆୟ ପାଇଁ ଏପରି କରାଯାଇଛି ବୋଲି ବିଡିଓ ଶ୍ରୀ ବଳ ସଫେଇ ଦେଇଛନ୍ତି। ତେବେ, ବିନା କାଗଜପତ୍ରରେ ଲିଜ୍‌ ଦିଆଯାଇଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବାକୁ ବିଧାୟକ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ଏ ସମ୍ପର୍କରେ ବିଧାୟକ ଶ୍ରୀ ସାହୁ କହିଛନ୍ତି, ‘ବଲେ ବଲେ’ ଢାବା ସହିତ ଧର୍ମଶାଳା ଭବନରେ ୪ଟି ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠ, ୨ଟି ସାଧାରଣ ପ୍ରକୋଷ୍ଠ ରହିଛି। ସରକାରୀ ଅନୁଦାନରେ ହୋଇଥିଲେ ହେଁ ଏହାକୁ ଲିଜ୍ ଦିଆଯାଇଛି। କୌଣସି କାଗଜପତ୍ର ନକରି ଭୁବନେଶ୍ବରର ଜଣେ ବିଜେଡି ନେତ୍ରୀଙ୍କ ନାମରେ ଏହି ଢାବା ଦିଆଯାଇଛି। ‌ତେଣୁ, ଆସନ୍ତାକାଲି ସୁଦ୍ଧା ଏହାକୁ ସିଲ୍ କରିବାକୁ ବ୍ଲକ୍ ପ୍ରଶାସନକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ବିଧାୟକ ଶ୍ରୀ ସାହୁ କଳ୍ପତରୁ ଦାସ ଷ୍ଟାଡିୟମ୍, ହେଲ୍‌ଥ କ୍ଲବ୍, ଚିତ୍ତ ବିନୋଦନ କେନ୍ଦ୍ର ଇତ୍ୟାଦି ସହିତ ଧର୍ମଶାଳା ଭବନ ସମ୍ପର୍କିତ କାଗଜପତ୍ର ସେ ମାଗିଥିଲେ। ମାତ୍ର, ଏ ସମ୍ପର୍କିତ ଆବଶ୍ୟକ କାଗଜପତ୍ରରେ ଅଧିକାରୀ ଦେଖାଇ ପାରିନାହାନ୍ତି। ଅନ୍ୟପକ୍ଷରେ, ସାଂସଦ ଓ ବିଧାୟକ ପାଣ୍ଠି ଲୋକମାନଙ୍କ ସର୍ବନିମ୍ନ ମୌଳିକ ସୁବିଧାସୁଯୋଗ ଯୋଗାଇ ଦେବାପାଇଁ ବିନିଯୋଗ କରିବାକୁ ନିୟମ ଥିବାବେଳେ ବ୍ୟବସାୟ କରି ଅର୍ଥ ଉପାର୍ଜନ ପାଇଁ କିପରି ବ୍ୟୟ କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ବିକାଶ ନାମରେ କେବଳ ଚାକଚକ୍ୟ ଓ ଠିକାଦାରିଭିତ୍ତିକ କାର୍ଯ୍ୟକ୍ରମ ଚାଲିଥିଲା ବୋଲି ବିଜେପି ନେତା ସର୍ବେଶ୍ବର ବେହୁରା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର