ଫୁଲବାଣୀ: ଛତିଶଗଡ଼ରେ ମାଓ ନିପାତ ଅଭିଯାନକୁ ଆହୁରି ଜୋର୍ଦାର୍ କରାଯାଇଛି। ସୁରକ୍ଷାବାହିନୀର ଗୁଳିରେ ଗତ ଦୁଇ ସପ୍ତାହ ଭିତରେ ବରିଷ୍ଠ ନେତାଙ୍କ ସମେତ ୫୦ରୁ ଅଧିକ ମାଓବାଦୀ ନିହତ ହୋଇ ସାରିଛନ୍ତି। ଫଳରେ ଲାଲ୍ବାହିନୀ ଶିବିର ଛିନ୍ଛତ୍ର। ଏବେ ପୁଣି ଥରେ ସଂଗଠନକୁ ବଳ ଦେବାକୁ ଉଦ୍ୟମ ଆରମ୍ଭ କରୁଥିବା ବେଳେ ସେମାନେ ସୁରକ୍ଷିତ କରିଡର୍ ବୌଦ୍ଧ-କନ୍ଧମାଳ ସୀମାନ୍ତ ଘଞ୍ଚ ଜଙ୍ଗଲରେ ଠୁଳ ହେବା ସହ ଓଡ଼ିଶାମୁହାଁ ହୋଇଛନ୍ତି। ବୌଦ୍ଧ-କନ୍ଧମାଳ ସୀମାନ୍ତ କଣ୍ଟାମାଳ ଏବଂ ଫିରିଙ୍ଗିଆ ବ୍ଲକ୍ର ବାଲନ୍ଦାପଡ଼ା ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ସକ୍ରିୟ ରହିଥିବା ଡ୍ରୋନ୍ କ୍ୟାମେରା ଚିତ୍ର ମିଳିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଯାହା କନ୍ଧମାଳ ଓ ବୌଦ୍ଧ ପୁଲିସର ଚିନ୍ତା ବଢ଼ାଇଦେଇଛି। ଉଭୟ ଜିଲ୍ଲା ସୀମାନ୍ତରେ ଯେକୌଣସି ସମୟରେ ବିସ୍ଫୋରକ ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି। କାରଣ ଏହି ସୀମାନ୍ତ ଘଞ୍ଚ ଜଙ୍ଗଲରେ ମାଓବାଦୀମାନେ ସବୁ ସମୟରେ ପୁଲିସଠାରୁ ପାଦେ ଆଗରେ ରହି ଆସିଥିବା ପୂର୍ବରୁ ନଜିର୍ ରହିଛି। ଏଠାରେ ଗୁପ୍ତ ଶିବିର ନିର୍ମାଣ କରି ଭବିଷ୍ୟତ ପାଇଁ ରଣକୌଶଳ ତିଆରି ଚଳାଇଛନ୍ତି। ତେବେ ସୀମାନ୍ତବର୍ତ୍ତୀ ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିଛି ବୋଲି କନ୍ଧମାଳ ଏସ୍ପି ହରିଶ ବି.ସି. ସୂଚନା ଦେଇଛନ୍ତି।
କନ୍ଧମାଳ-ବୌଦ୍ଧ ସୀମାନ୍ତରେ ଥିବା କଣ୍ଟାମାଳ, ଗୋଛାପଡ଼ା, ଲୁଇସିଂ, ବାଲନ୍ଦାପଡ଼ା, ପାଇରାଜୁ, ସାଡ଼ିଙ୍ଗିଆ, ସୁମରବନ୍ଧ ଓ ସାଡ଼ିଙ୍ଗିଆ ଅଞ୍ଚଳରେ କେକେବିଏନ୍ ମାଓ ଡିଭିଜନ୍ ସକ୍ରିୟ ରହିଛି। କନ୍ଧମାଳ-କଳାହାଣ୍ଡି ସୀମାନ୍ତ ତୁମୁଡ଼ିବନ୍ଧ ବ୍ଲକ୍ର ବେଲଘର, ସିର୍ଲା, ମୁଣ୍ଡିଗଡ଼, ଭଣ୍ଡରଙ୍ଗି, ବାଲିଗୁଡ଼ାର ଖମନଖୋଲ, ବାରଖମା, କନ୍ଧମାଳ-ରାୟଗଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ କୋଟଗଡ଼ର ଦୁର୍ଗାପାଙ୍ଗା, ସୁବର୍ଣ୍ଣଗିରି ଏବଂ କନ୍ଧମାଳ-ଗଜପତି ଜିଲ୍ଲା ସୀମାନ୍ତ ଇଲାକା ଦାରିଙ୍ଗବାଡ଼ିର ବ୍ରାହ୍ମଣୀଗାଁ, ଗଜପତି ଜିଲ୍ଲାର ମୋହନା ଓ ଅଡ଼ବା ଜଙ୍ଗଲରେ ବି ମାଓବାଦୀମାନେ ସକ୍ରିୟ ରହିଛନ୍ତି। କନ୍ଧମାଳ-ବୌଦ୍ଧ, କନ୍ଧମାଳ-ରାୟଗଡ଼ା ଏବଂ କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ କେକେବିଏନ୍ ଏବଂ ବଂଶଧାରା-ଘୁମୁସର-ନାଗାବଳି ମାଓ ଗୋଷ୍ଠୀ ନିଜର ଉପସ୍ଥିତି ଜାରି ରଖିବା ସହ ନିଜର କାର୍ଯ୍ୟକଳାପ, ଗତିବିଧି ବଢ଼ାଉଛନ୍ତି। ଏସବୁ ଜଙ୍ଗଲ ଘଞ୍ଚ ହୋଇଥିବାରୁ ଛତିଶଗଡ଼ି ମାଓବାଦୀଙ୍କୁ ସୁହାଉଛି। ଫଳରେ ସେମାନେ ସେଠାରୁ ଆସି ଏଠାରେ ଡେରା ପକାଇଛନ୍ତି।
କେକେବିଏନ୍ ମାଓ ଡିଭିଜନ୍ର ଟପ୍ ନେତା ଦସୁରୁର ନିଧନ ପରେ ତା’ର ପତ୍ନୀ ମମତା ଏବେ ସଂଗଠନର ନେତୃତ୍ବ ନେଉଛି। ଅନ୍ୟପଟେ ଟପ୍ ମାଓନେତା ନିଖିଲ ଓ ତାର ପତ୍ନୀ ଇନ୍ଦୁ ବିଜିଏନ୍ ମାଓ ଡିଭିଜନ୍ର ନେତୃତ୍ବ ନେଉଛନ୍ତି। ମାଓନେତ୍ରୀ ମମତା ନେତୃତ୍ବରେ କେକେବିଏନ୍ ମାଓ ଡିଭିଜନ୍ ବର୍ତ୍ତମାନ ୪ଟି ପ୍ରମୁଖ ଏରିଆ କମିଟିରେ ବିଭକ୍ତ ହୋଇ ସେମାନଙ୍କ ନେଟ୍ୱର୍କକୁ ସଶକ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ମମତା ଏହି ୪ଟି ଏରିଆ କମିଟିର ସର୍ବୋଚ୍ଚ ନେତ୍ରୀ। ସୂଚନାଯୋଗ୍ୟ; ବାଘନଦୀ ଏରିଆ କମିଟି, ରାହୁଲ ନଦୀ ଏରିଆ କମିଟି, କାଡ଼ାଙ୍ଗ ଏରିଆ କମିଟି ଏବଂ ମହାନଦୀ ଏରିଆ କମିଟି ସଂପ୍ରତି କନ୍ଧମାଳ-ବୌଦ୍ଧ-କଳାହାଣ୍ଡି ଜିଲ୍ଲାରେ ସକ୍ରିୟ ରହିଛି।
ବଳ ଜୁଟାଉଛନ୍ତି ଲାଲ୍ ବାହିନୀ
କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ କମ୍ବିଂ ଅପରେସନ୍
ସରଣ୍ଡା ଜଙ୍ଗଲରେ ଗୁଳି ବିନିମୟ, ୨ ମାଓବାଦୀ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ
ବିଶ୍ରା: ସୁନ୍ଦରଗଡ଼ ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ସରଣ୍ଡା ଜଙ୍ଗଲରେ ବୁଧବାର ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ଗୁଳି ବିନିମୟରେ ଦୁଇ ନକ୍ସଲ ନିହତ ହୋଇଛନ୍ତି। ଏ ସଂପର୍କରେ ଝାଡ଼ଖଣ୍ଡ ପୁଲିସ ମହାନିର୍ଦ୍ଦେଶକ ଅନୁରାଗ ଗୁପ୍ତା ଚକ୍ରଧରପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୃତ ଦୁଇ ମାଓବାଦୀ ହେଲେ ମାଓ ସଙ୍ଗଠନର ଜୋନାଲ୍ କମିଟି ସଦସ୍ୟ ଝାଡ଼ଖଣ୍ଡ ଚତରା ଜିଲ୍ଲାର ବିନୟ ଗଞ୍ଜୁ ଓରଫ୍ ସଞ୍ଜୟ ଗଞ୍ଜୁ ଓ ଏରିଆ କମିଟି ସଦସ୍ୟ ବୋକାରୋ ଜିଲ୍ଲା ଗୋରଗୋବରା ଗାଁର ହେମନ୍ତି ମଝିୟାନ। ଘଟଣାସ୍ଥଳରୁ ୨ଟି ଇନ୍ସାସ୍ ରାଇଫଲ, ୫.୫୬ ଏମ୍ଏମ୍ର ୩୧୩ଟି ଅଫୁଟା ଗୁଳି, ୯ଟି ଇନ୍ସାସ୍ ମାଗାଜିନ୍, ୫ଟି ୱାକିଟାକି, ୨୮ଟି ଡିଟୋନେଟର, ମୋବାଇଲ୍, ପେନ୍ ଡ୍ରାଇଭ୍, ନକ୍ସଲ ପୋଷାକ ଓ ବିପୁଳ ସାମଗ୍ରୀ ଜବତ ହୋଇଛି। ପୁଲିସ ମହାନିର୍ଦେଶକ ଶ୍ରୀ ଗୁପ୍ତା କହିଛନ୍ତି ଯେ ବର୍ତ୍ତମାନ ଯେଉଁମାନେ ନିଜକୁ ମାଓବାଦୀ କହୁଛନ୍ତି ସେମାନେ କେବଳ ଗୁଣ୍ଡା। ଏହି ଗୁଣ୍ଡାମାନେ ନିରୀହ ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର କରି ସେମାନଙ୍କୁ ଡରାଇ ଧମକାଇ ଟଙ୍କା ଲୁଟୁଛନ୍ତି। ଖୁବ୍ଶୀଘ୍ର ଏହି ଗୁଣ୍ଡାରାଜ ସମଗ୍ର ରାଜ୍ୟରେ ସମାପ୍ତ ହୋଇଯିବ।
ହାର୍ଡକୋର୍ ନକ୍ସଲ ଅମିତ ମୁଣ୍ଡା ସରଣ୍ଡା ଜଙ୍ଗଲର ସୋନୁଆ ଥାନା ଅଞ୍ଚଳରେ ସକ୍ରିୟ ଥିବାର ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ଅମିତ ମୁଣ୍ଡରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଏହି ସୂଚନା ଆଧାରରେ ସୁରକ୍ଷାବାହିନୀ ସୋନୁଆ ଥାନା ନକ୍ସଲପ୍ରଭାବିତ ଅଞ୍ଚଳ ଲୋଞ୍ଜୋ ପାହାଡ଼ରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା। ବୁଧବାର ଭୋର ସମୟରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିବାବେଳେ ଏଥିରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିଲେ। ଘଟଣାସ୍ଥଳରୁ ପୁଲିସ ଉକ୍ତ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛି। ଏହି ଏନ୍କାଉଣ୍ଟରରେ ସିଆର୍ପିଏଫ୍ର ଜଣେ ଯବାନ ମଧ୍ୟ ଆହତ ହୋଇଥିବା ଖବର ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/30/w6QdU12iAhBva0cfb146.jpg)