ଭୁବନେଶ୍ବର: ରାଜ୍ୟରେ ଭିନ୍ନକ୍ଷମମାନଙ୍କ ପାଇଁ କାମ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଠିକ୍ ସମୟରେ ଆର୍ଥିକ ସହାୟତା ପ୍ରଦାନ କରାଯାଉନାହିଁ, ଏମିକି ଏକ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଆଜି ଭଦ୍ରକ ଗସ୍ତରେ ଯାଇ ଖୋଦ୍ ୫‘ଟି’ ସଚିବ ଭି. କାର୍ତିକେୟନ୍ ପାଣ୍ଡିଆନ୍ ଏହି କଥା ଜାଣିବା ପରେ ରାଜ୍ୟ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି। ଏମିତି ଯେ ୩ ମାସର ବକେୟା ଅର୍ଥ ୩ ଘଣ୍ଟାରେ ବାବୁମାନେ ପ୍ରଦାନ କରିଛନ୍ତି। ହେଲେ, କେଉଁ କାରଣ ପାଇଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ତଥା ଜୀବନ ସହିତ ପ୍ରଶାସନିକ ଅଧିକାରୀମାନେ ଖେଳ ଖେଳିଲେ, ଏଥିପାଇଁ ନିର୍ଦିଷ୍ଟ ଭାବେ କିଏ ଦାୟୀ, ସେ ନେଇ ପ୍ରଶାସନିକ ସ୍ତରରେ ଖୋଳତାଡ଼ ଆରମ୍ଭ କରାଯାଇଛି। ବିଭାଗୀୟ ତଦନ୍ତ ରିପୋର୍ଟ ମିଳିବା ପରେ ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି। ତେବେ ଏହି ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ବିଭାଗ କିଭଳି ଚାଲିଛି ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରଶାସନିକସ୍ତରରେ ବାବୁମାନେ କେତେ ଯତ୍ନବାନ।
ଆଜି ଭଦ୍ରକ ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇଥିଲେ ୫ଟି ସଚିବ ଓ ସରକାରୀ ଟିମ୍।
ଚରମ୍ପା ସ୍ଥିତ ସିଆରଏସଆର ଭିନ୍ନକ୍ଷମ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ଥିବା ଅନ୍ତେବାସୀଙ୍କ ସହ ବସି କିଛି ସମୟ ଆଲୋଚନା କରିବା ପରେ ସେହିଠାରେ ହିଁ ମଧ୍ୟାହ୍ନଭୋଜନ କରିଥିଲେ। ଜଣାପଡିଥିଲା ଯେ ପ୍ରଶାସନ ନଜର ଆଢୁଆଳରେ ଏହି କେନ୍ଦ୍ରଟି କିଭଳି ଦୟନୀୟ ପରିସ୍ଥିତିର ସାମ୍ନା କରୁଛି। କାରଣ ଗତ ତିନି ମାସ ହେଲା, ସେମାନଙ୍କ ପାଇଁ ଆବଶ୍ୟକ ଖର୍ଚ୍ଚ ଦିଆଯାଇନାହିଁ। ଏହି କେନ୍ଦ୍ର ଦାୟିତ୍ବରେ ଥିବା ସମ୍ପୃକ୍ତ ଏନଜିଓକୁ ରାଜ୍ୟ ସରକାର ସହାୟତା ପ୍ରଦାନ କରିନଥିବା ଜାଣିବାକୁ ପାଇଥିଲେ। ଲୋକସେବା ଭବନ ଫେରିବା ପରେ ଏ ନେଇ ସରକାରୀ ତନାଘନା ଆରମ୍ଭ ହୋଇଥିଲା।ତୁରନ୍ତ ଭଦ୍ରକର ସେଣ୍ଟର୍ ଫର୍ ରିହାବିଲିଟେସନ ସର୍ଭିସେସ୍ ଆଣ୍ଡ୍ ରିସର୍ଚ୍ଚ୍ (ସିଆରଏସଆର୍)କୁ ୨୨ ଲକ୍ଷ ୨୦ ହଜାର ଟଙ୍କା ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀରଣ ବିଭାଗ ପ୍ରଦାନ କରିଛି। ସେହିପରି ୩ ମାସ ହେଲା ସହାୟତା ପ୍ରଦାନରୁ ବଞ୍ଚିତ ଥିବା ପୁରୀ ଜିଲ୍ଲା ପଣସପଦାର ଇନଷ୍ଟିଚ୍ୟୁଟ୍ ଫର୍ ସେଲ୍ଫ ଏମ୍ପ୍ଲୟମେଣ୍ଟ ଆଣ୍ଡ ରୁରାଲ୍ ଡେଭଲପମେଣ୍ଟ ସଂସ୍ଥାକୁ ୫ ଲକ୍ଷ ୪୦ ହଜାର ଓ ଅନୁଗୁଳର ଶିବାଙ୍ଗୀ ଇନଷ୍ଟିଚ୍ୟୁଟ୍ ଅଫ୍ ଚାଇଲ୍ଡ ଡେଭଲପମେଣ୍ଟ୍(ଏସଆଇସିଡି)କୁ ବିଭାଗ ୫ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି।
ଗୁରୁତ୍ବପୂର୍ଣ୍ଣ କଥାହେଉଛି, ସାମାଜିକ ସୁରକ୍ଷା ଯୋଜନାରେ ଭିନ୍ନକ୍ଷମମାନଙ୍କୁ ମାନସିକ ସ୍ତରରେ ସଶକ୍ତ କରିବାକୁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏସବୁ ଯୋଜନାକୁ ଏନଜିଓମାନଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଉଛି। ଅଥଚ ବାବୁମାନଙ୍କ ବେପରୁଆ ମନୋଭାବ ଯୋଗୁଁ ଠିକ୍ ସମୟରେ ସମ୍ପୃକ୍ତ ଏନଜିଓମାନଙ୍କୁ ସହାୟତା ରାଶି ମିଳିପାରୁନାହିଁ। ଭଦ୍ରକର ଏହି ଘଟଣା ସଙ୍କେତ ଦେଉଛି, ଭିନ୍ନକ୍ଷମଙ୍କ ପାଇଁ କାମ କରୁଥିବା ଏନଜିଓମାନଙ୍କୁ ସରକାରୀ ସ୍ତରରେ କେତେ ଦହଗଞ୍ଜ ହେବାକୁ ପଡ଼ୁଛି। ଲଗାମଛଡ଼ା ହୋଇଥିବା ଏଭଳି ସରକାରୀ ବାବୁଙ୍କ ପାଇଁ ଖୋଦ ସରକାର ବଦନାମ ମୁଣ୍ଡାଉଛନ୍ତି।