ପ୍ରଶାସନର ବେଖାତିର ଭାବ : ବିଦାୟ ନେଲା ଅହିଂସା ରଥ, ଶୋଭାଯାତ୍ରା ପରେ ଫିଙ୍ଗିଦେଲେ ଜାତୀୟ ପତାକା

ବୈପାରିଗୁଡ଼ା: ଦେଶ ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ଅହିଂସା ରଥ ସମଗ୍ର ରାଜ୍ୟରେ ବୁଲୁଛି। ଅହିଂସାର ବାର୍ତ୍ତା ଦେଉଛି। ଏହି ପରିପ୍ରେକ୍ଷୀରେ ଗତ ୧୩ ତାରିଖ ଦିନ ଅହିଂସା ରଥ କୋରାପୁଟ ଜିଲ୍ଲାର ସହିଦ୍ ପୀଠ ତେନ୍ତୁଳିଗୁମ୍ମା ଠାରେ ପହଞ୍ଚିଥିଲା। ସହିଦ୍ ଲକ୍ଷ୍ମଣ ନାୟକଙ୍କୁ ସମ୍ମାନ ଜଣାଇବା ପରେ ବୈପାରିଗୁଡା ଠାରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ସ୍ବାଗତ କରାଯାଇଥିଲା। ବ୍ଲକର ବିଭିନ୍ନ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ସମସ୍ତଙ୍କ ହାତରେ ଥିଲା ଜାତୀୟ ପତାକା ଏବଂ ମନରେ ଥିଲା ପ୍ରବଳ ଆଗ୍ରହ। ବିଶାଳ ପଟୁଆରରେ ଅହିଂସା ରଥକୁ ସ୍ଥାନୀୟ ବୀରଖମ୍ବ ବ୍ରିଜ ଯାଏ ପହଞ୍ଚିବା ପରେ ଚନ୍ଦ୍ରପଡାସ୍ଥିତ ଗୁମ୍ମା ଆଦର୍ଶ ବିଦ୍ୟାଳୟରେ ରାତ୍ରିଯାପନ କରିଥିଲେ। ପରଦିନ ବୈପାରିଗୁଡା ବ୍ଲକ ସୀମା କୋଟା ଛକ ଠାରେ ବିଦାୟ ଦିଆଯାଇଥିଲା।

ପଟୁଆରରେ ଯୋଗଦେଇଥିବା ମହିଳା-ପୁରୁଷଙ୍କ ସମେତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ ବ୍ଲକ ପ୍ରଶାସନ ତରଫରୁ ବଣ୍ଟା ଯାଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଯେ, ଅହିଂସା ରଥକୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିବା ପରେ ନିଜ ଦାୟିତ୍ୱ ସରିଯାଇଥିବା ଭାବି ପ୍ରଶାସନ ଜାତୀୟ ପତାକା କଥା ସଂପୂର୍ଣ୍ଣ ଭୁଲିଗଲେ। ଏହାରି ଭିତରେ ଦୁଇଦିନ ବିତିଯାଇଥିଲେ ମଧ୍ୟ ଜାତୀୟ ପତାକା ପ୍ରତି କିପରି ସମ୍ମାନ ଦିଆଯାଏ, ଜାଣିପାରିଲେ ନାହିଁ। ବ୍ଲକ କାର୍ଯ୍ୟାଳୟ ପରିସରରେ  ଜାତୀୟ ପତାକା ତଳେ ପଡ଼ିଥିବା ଦେଖିବାକୁ ମିଳିଛି।

ସେହିପରି ବାହାରେ ପଡ଼ିଥିବା କିଛି ଜାତୀୟ ପତାକାକୁ ବେପରୁଆ ଭାବେ ରଖାଯାଇଛି। ଯେଉଁ ଜାତୀୟ ପତାକା ଦେଶ ଏବଂ ଜାତିର ଗର୍ବ ତଥା ଗୈାରବର ବାର୍ତ୍ତା ବହନ କରେ, ତାହାକୁ ପ୍ରଶାସନ ଯେଉଁ ଭଳି ଭାବେ ବେଖାତିର ଭାବ ଦେଖାଇ ଯତ୍ନ ନେଇ ନାହାନ୍ତି, ତାହା ସାଧାରଣରେ ଆଶ୍ଚର୍ଯ୍ୟ ଏବଂ ଅସନ୍ତୋଷ ସୃଷ୍ଟି କରିଛି। ବ୍ଲକ ପରିସର ମଧ୍ୟରେ ବିଭିନ୍ନ ବିଭାଗର ବହୁ କର୍ମଚାରୀ ରହୁଥିଲେ ମଧ୍ୟ ଏଭଳି ଅସମ୍ମାନ ଜଣାଇ ଅବହେଳିତ ଅବସ୍ଥାରେ ଫିଙ୍ଗି ଦିଆଯାଇଛି, ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ଏଠାରେ ସ୍ମରଣଯୋଗ୍ୟ, ଗତ ସ୍ବାଧୀନତା ଦିବସ ପାଳନ ଅବସରରେ ଦଣ୍ଡାବାଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ୍ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିକୁ କନାରେ ଢାଙ୍କି ରଖାଯାଇ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ପ୍ରତିମୂର୍ତ୍ତି ଉନ୍ମୋଚନ କରାନଯାଇ ସ୍ବାଧୀନତା ଦିବସ ପାଳନ କରି ସହିଦଙ୍କ ପ୍ରତି ଘୋର ଅସମ୍ମାନ ପ୍ରଦର୍ଶନ କରାଯାଇଥିବା ନେଇ ତେନ୍ତୁଳିଗୁମ୍ମା ଗ୍ରାମବାସୀ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ପରଦିନ ବିଡ଼ିଓଙ୍କୁ ଭେଟିଥିଲେ। ତେବେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ପ୍ରଶାସନ ତରଫରୁ ଏପରି ଗୁରୁତର ତ୍ରୁଟି ପାଇଁ ତେନ୍ତୁଳିଗୁମ୍ମା ଗ୍ରାମବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ। ଏହି ଘଟଣାର ଏକ ମାସ ପରେ ପୁଣି ଜାତୀୟ ପତାକା ପ୍ରତି ଅସମ୍ମାନ ଜଣାଇଥିବାରୁ ସାଧାରଣରେ ଏହାର ତୀବ୍ର ନିନ୍ଦା କରାଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର