ବାଲୁଗାଁ: ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସମାଗମକୁ ଆଖି ଆଗରେ ରଖି ବାଲୁଗାଁ ବନ ବିଭାଗ , ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଗତ ୫ ତାରିଖ ଦିନ ଗଣତି କାର୍ଯ୍ୟ ଶେଷ ହେବା ପରେ ସମଗ୍ର ଚିଲିକାକୁ ଚଳିତ ବର୍ଷ ୧୧ ଲକ୍ଷ ୫ହଜାର ୪୦ଟି ପକ୍ଷୀ ଆସିଥିବା ବନବିଭାଗେ ପକ୍ଷରୁ କୁହାଯାଇଥଇଲା। ସେଥିମଧ୍ୟରୁ ପକ୍ଷୀ ଅଭୟାରଣ୍ୟ ନଳବଣରେ ୪ଲକ୍ଷ ୬ ହଜାର ୩୦୮ଟି ପକ୍ଷୀ ଥିବା ସଦ୍ୟସମାପ୍ତ ପକ୍ଷୀଗଣନା ରିପୋର୍ଟରେ ଦର୍ଶାଯାଇଛି। ଚିଲିକାରେ ଗତ ୨୦୧୯ରେ ୧୮୧ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ୧୮୪ ପ୍ରଜାତିର ପକ୍ଷୀମାନଙ୍କର ସମାଗମ ହୋଇଥିବା ବିଭାଗୀୟ କତ୍ତୃର୍ପକ୍ଷ ଜଣାଇଛନ୍ତି। କିଛିଦିନ ହେବ ପ୍ରବଳ ଥଣ୍ତା ଅନୁଭୂତି ସହ ଅଷ୍ଟ୍ରେଲିଆରେ ବନାଗ୍ନି ଯୋଗୁଁ ପ୍ରାୟ ୫୦ କୋଟି ଜୀବଜନ୍ତୁ ସେଠାରେ ମୃତ୍ୟୁବରଣ କରିଛନ୍ତି। ବନାଗ୍ନି ଓ ପ୍ରଚଣ୍ଡ ତାପରୁ ନିଜକୁ ରକ୍ଷା କରିବାକୁ ଯାଇ ଏହି ପକ୍ଷୀମାନେ ଚିଲିକା ଅଭିମୁଖେ ଆସିଥିବା ବନ ଅଧିକାରୀ ଆଲୋକ ରଞ୍ଜନ ହୋତା ପ୍ରକାଶ କରିଛନ୍ତି। ପକ୍ଷୀଗଣନାର ଏକ ସପ୍ତାହ ମଧ୍ୟରେ ଅଧିକ ୩ ଳକ୍ଷ ବିଦେଶୀ ପକ୍ଷୀ ଚିଲିକାକୁ ଆସିଥିବା ଜଣାଯାଇଛି।
ଚିଲିକାକୁ ଖାଦ୍ୟ ଅନ୍ବେଷଣରେ ଆସିଥିବା ଏହି ପକ୍ଷୀମାନେ ବିଭିନ୍ନ ସ୍ଥାନରେ ବୁଲୁଥିବା ଦେଖାଦେଇଛି। ବାଲୁଗାଁ, ଟାଙ୍ଗୀ, ଚିଲିକା, ସାତପଡ଼ା ଓ ରମ୍ଭା ରେଞ୍ଜ୍କୁ ନେଇ ୧୧ହଜାର ୩୫ ହଜାର ବର୍ଗ କିଲୋମିଟର ପରିମିତ ଚିଲିକାରେ ପକ୍ଷୀମାନଙ୍କର ବିଚରଣ କରୁଥିବା ବିଭାଗୀୟ କର୍ମଚାରୀମାନେ କହିଛନ୍ତି। ପ୍ରଚୁରଭାବେ ଉପଲବ୍ଧ ଗୁଳ୍ମଜାତୀୟ ଖାଦ୍ୟ ସହ ଏହାର ପରିବେଶ ପକ୍ଷୀମାନଙ୍କୁ ଆକର୍ଷିତ କରିଥାଏ। ଏହି ବିଦେଶୀ ପକ୍ଷୀମାନେ ନିର୍ବିଘ୍ନରେ ନଭେମ୍ବର ମାସ ଠାରୁ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ଏହି ଚାରିମାସ ଚିଲିକାରେ ଅବସ୍ଥାନ କରିଥାଆନ୍ତି। ଅନ୍ୟପକ୍ଷରେ ଚିଲିକାରେ ବର୍ତ୍ତମାନ ପରିସ୍ଥିତିରେ ତାପମାତ୍ରା ୧୪ରୁ ୧୫ ଡିଗ୍ରି ଥିବା ବେଳେ ବିଭିନ୍ନ ଦେଶ ବିଦେଶରୁ ଏହି ପକ୍ଷୀମାନେ ଆସି ଏଠାରେ ଅବସ୍ଥାନ କରୁଛନ୍ତି। ତେବେ ଏବେ ବି ପକ୍ଷୀମାନଙ୍କ ଆଗମନ ଜାରି ରହିଛି। ପକ୍ଷୀ ଅଭୟାରଣ୍ୟ ନଳବଣ ସହ ବିଭିନ୍ନ ରେଞ୍ଜ୍ରେ ଏହି ପକ୍ଷୀମାନେ ଅବସ୍ଥାନ କରିଥିବା ବେଳେ ବାଲୁଗାଁ ଓ ତାର ନିକଟବର୍ତ୍ତୀ ଅଞ୍ଚଳର ଚାଷଜମି, ବିଲମାନଙ୍କ ମଧ୍ୟରେ ଏହି ବିଦେଶାଗତ ପକ୍ଷୀମାନେ ଖାଦ୍ୟ ଅନ୍ବେଷଣରେ ବୁଲୁଥିବା ଦେଖାଯାଉଛି। ଚଳିତ ବର୍ଷ ପକ୍ଷୀଗଣନା ପରେ ଏହାର ସଂଖ୍ୟା ଏକ ସପ୍ତାହ ମଧ୍ୟରେ ୩ ଲକ୍ଷରୁ ଊର୍ଦ୍ଧ୍ବ ବୃଦ୍ଧି ଘଟିଥିବା ସିଡିଏ କର୍ତ୍ତୃପକ୍ଷ କହିଛନ୍ତି। ବିଦେଶାଗତ ପକ୍ଷୀମାନଙ୍କ ମଧ୍ୟରୁ ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ଫ୍ଲେମିଙ୍ଗୋ, ଗଡ଼ୱାଲ, ନର୍ଦନ ପିଣ୍ଟେ୍ଲ ଓ ୟୁଜିଅନର ସଂଖ୍ୟା ଆଶାତୀତଭାବେ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/sf5h45sf9h74s9f87hsf98h7sf98hsfhsfsfsfsfsfsfsfsfsfsfsfsfsfsfsfsfsfsfsfsf.jpg)