ଭୁବନେଶ୍ୱର: ବାତ୍ୟା ‘ଫନି’ ଗଲାପରେ ଅନ୍ଧକାରରେ ଜୀବନଯାପନ କରୁଛନ୍ତି ପୁରୀ, ଭୁବନେଶ୍ୱର ଓ କଟକବାସୀ। ଆଉ ଭୟଙ୍କର ବାତ୍ୟାରେ ପୁରୀ ଓ ଭୁବନେଶ୍ୱରରେ ଉପୁଡ଼ି ପଡ଼ିଛି 1ଲକ୍ଷ ୫୬ ହଜାର ବିଦ୍ୟୁତ୍ ଖୁଣ୍ଟି। ଯାହାଫଳରେ ବିଦ୍ୟୁତ୍ ସେବା ଏକ ପ୍ରକାର ଠପ୍ ହୋଇ ପଡ଼ିଛି। ତେବେ ଏହି ପ୍ରମୁଖ ସ୍ଥାନରେ ବର୍ତ୍ତମାନ ସୁଦ୍ଧା କେତେ ପ୍ରତିଶତ ବିଦ୍ୟୁତ୍ ସଂଯୋଗୀକରଣ କରାଯାଇଛି ସେନେଇ ପ୍ରତିକ୍ରିୟା ରଖିଛନ୍ତି ସେସୁ ଏସଜିଏମ୍ ସୁବ୍ରତ ମିଶ୍ର। ସେ କହିଛନ୍ତି କି, ଭୁବନେଶ୍ୱରରେ ଏବେ ସୁଦ୍ଧା ୧୫ ପ୍ରତିଶତ ବିଦ୍ୟୁତ୍ ମରାମତି କାମ ହୋଇଛି। ଆଜି ସୁଦ୍ଧା ଭୁବନେଶ୍ୱରରେ ୨୫ ପ୍ରତିଶତ ବିଦ୍ୟୁତ୍ ଯୋଗାଣ କରିବାକୁ ଲକ୍ଷ୍ୟ ରହିଛି।
ସେହିଭଳି କଟକରେ ମଧ୍ୟ ଭୁବନେଶ୍ୱର ଭଳି ସ୍ଥିତି ରହିଛି। ତେଣୁ ସେଠାରେ ମଧ୍ୟ ଆଜି ସୁଦ୍ଧା ୨୫ ପ୍ରତିଶତ ବିଦ୍ୟୁତ୍ ଯୋଗାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ କଟର ବିଭିନ୍ନ ଜରୁରୀକାଳୀନ ସ୍ଥାନ ଯଥା ଶିଶୁଭବନ, ପାଣି ପମ୍ପିଙ୍ଗ୍ ଷ୍ଟେସନ୍ ଏବଂ ଏସସିବି ମେଡ଼ିକାଲ ଭଳି ସ୍ଥାନରେ ବିଦ୍ୟୁତ୍ ଯୋଗାଣ ଚାଲୁ ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ଡାଇରେକ୍ଟ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇନାହିଁ। କାରଣ ଏବେ ସୁଦ୍ଧା ଏଲ.ଟି ଲାଇନ୍ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ତେଣୁ କୌଣସି ଉଭୋକ୍ତା ଉପକୃତ ହୋଇପାରିବେ ନାହିଁ ବୋଲି କହିଛନ୍ତି ସୁବ୍ରତ ମିଶ୍ର।
ଅନ୍ୟପଟେ ଭୁବନେଶ୍ୱରର ବିଭିନ୍ନ ସର୍ଭିସ୍ ସ୍ଥାନ ଯଥା- ବିଏସଏନଏଲ, ଦୂରଦର୍ଶନ ଭଳି ସ୍ଥାନ ଗୁଡ଼ିକରେ ବିଦ୍ୟୁତ୍ ସେବା ଆଜି ସୁଦ୍ଧା ସ୍ୱାଭାବିକ ହୋଇଯିବ। ତେବେ ବିନା ବିଜୁଳିରେ ମୋବାଇଲ ସେବା ବାଧାପ୍ରାପ୍ତ ହେଉଛି। ଯାହାଫଳରେ ଯୋଗାଯୋଗ ବିଚ୍ଛୀନ୍ନ ହୋଇପଡ଼ିଛି। ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଟ୍ଵିନ୍ସିଟିବାସୀ। କାରଣ ଗତ ୩ ତାରିଖରେ ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ପୁରୀରେ ତାଣ୍ଡବଲୀଳା କରିବା ପରେ ଭୁବନେଶ୍ୱର ଓ ପରେ କଟକ ସହରକୁ ନିଜ କବଳକୁ ନେଇଯାଇଥିଲା।