ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ବେସାହାରା ପୂରା ପରିବାର: କେମିତି ବୋହିବେ ୩ ଝିଅଙ୍କ ବୋଝ, ଚିନ୍ତାରେ ତମାଳ

ଗଂଜାମ: ଦିଗପହଣ୍ଡି ବ୍ଳକର ଭ୍ରମରପୁର ରଘୁନାଥ ବିଦ୍ୟାପୀଠରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ ଫକୀର ବେହେରା

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଭ୍ରମରପୁରସ୍ଥିତ ରଘୁନାଥ ବିଦ୍ୟାପୀଠରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁ ଥିବା ଫକୀର ମୋହନ ବେହେରା (୫୪)ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଂପୂର୍ଣ୍ଣ ରୂପେ ବେସାହାରା ହୋଇଯାଇଛି। ଫକୀରଙ୍କ ପତ୍ନୀ ତମାଳ ବେହେରୋ (୪୫)ଙ୍କ ଉପରେ ୩ ଝିଅ (ସୁଦେଷ୍ଣା, ସସ୍ମିତା ଓ ସୁନୀତା)ଙ୍କ ବୋଝ। ଫକୀର ଗାଁର ମହାଜନ ଓ ବନ୍ଧୁବାନ୍ଧବଙ୍କଠାରୁ ଋଣ ୨ ଝିଅ (ସୁଦେଷ୍ଣା ଓ ସସ୍ମିତା)ଙ୍କୁ ବିବାହ କରାଇଥିଲେ। ଏବେ ବି ଋଣ ପରିଶୋଧ ହୋଇପାରି ନାହିଁ। ଗୋଟିଏ ପଟେ ସ୍ୱାମୀଙ୍କୁ ହରାଇବାର ଦୁଃଖ ଓ ଅନ୍ୟପଟେ ତିନି ଝିଅଙ୍କୁ ନେଇ ପରିବାର ଚଳାଇବା ତମାଳଙ୍କ ପାଇଁ ବୋଝ ଉପରେ ନଳିତା ବିଡା ଭଳି ହୋଇଛି। ସରକାରୀ ସହାୟତା ତାଙ୍କ ପାଇଁ ସାତ ସପନ ହୋଇଯାଇଛି। ଫକୀର ଏକ ବ୍ଲକ ଗ୍ରାଣ୍ଟ ସ୍କୁଲରେ କାର୍ଯ୍ୟରତ ଥିବାରୁ ସେ ନେଇ ମଧ୍ୟ ଆଶା ଆଶଙ୍କା ରହିଛନ୍ତି ତମାଳ।

ସୁଦେଷ୍ଣା ଓ ସସ୍ମିତା ବିବାହିତା ହୋଇଥିଲେ ବି ଶାଶୁ ଘରୁ କୌଣସି କାରଣରୁ ଚାଲି ଆସି ଏବେ ମା’ଙ୍କ ପାଖରେ ରହୁଛନ୍ତି। ଅନ୍ୟପଟରେ ସାନ ଝିଅର ବାହା ଘର ମଧ୍ୟ ହୋଇପାରି ନାହିଁ। ତମାଳ ବେହେରାଙ୍କ ଜମିବାଡ଼ି କିଛି ନାହିଁ। ଘରର ଏକମାତ୍ର ରୋଜଗାରିଆ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି।

ସୂଚନା ଅନୁସାରେ ଫକୀର ବେହେରା ରଘୁନାଥ ବିଦ୍ୟାପୀଠରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ। ଏହି ବିଦ୍ୟାଳୟ ବ୍ଲକ ଗ୍ରାଣ୍ଟ ଅନ୍ତର୍ଭୁକ୍ତ ଥିଲା। ଦୀର୍ଘ ୨୦ ବର୍ଷ ଯାଏଁ ଫକୀର ସ୍ପଳ୍ପ ଦରମାରେ କାମ କରୁଥିଲେ। ଶେଷରେ ଗତବର୍ଷ ଏହି ସ୍କୁଲ ବ୍ଲକ ଗ୍ରାଣ୍ଟ ଅନୁଦାନ ପାଇଥିଲା। ବିଦ୍ୟାଳୟକୁ ବ୍ଳକ ଗ୍ରାଣ୍ଟ ଅନୁଦାନ ମିଳିବା ପରେ ଫକୀର ମାସକୁ ୧୮ ହଜାର ଟଙ୍କା ଲେଖାଏଁ ଦରମା ପାଉଥିଲେ। କିନ୍ତୁ ଗତ ମାର୍ଚ୍ଚ ମାସରେ କରୋନା ଭାଇରସ ମହାମାରୀ ବ୍ୟାପିବା ଯୋଗୁଁ ସ୍କୁଲ ବନ୍ଦ ହୋଇଯାଇଥିଲା। ସରକାର ରଘୁନାଥ ବିଦ୍ୟାପୀଠରେ କ୍ୱାରେନ୍‌ଣ୍ଟାଇନ ସେଣ୍ଟର କରିଥିଲେ।

ରଘୁନାଥ ବିଦ୍ୟାପୀଠରେ ପରିଚାଳିତ କ୍ୱାରେଣ୍ଟାଇନ ସେଣ୍ଟରେ ଫକୀର କାମ କରିଥିଲେ। ଏହି ସମୟରେ ଅର୍ଥାତ ଗତ ଜୁନ ମାସ ୨୦ ତାରିଖରେ ତାଙ୍କୁ ଥଣ୍ଡା, କାଶ ଓ ଜ୍ୱର ହୋଇଥିଲା। ତାଙ୍କୁ ଦିଗପହଣ୍ଡି ମେଡିକାଲ ନିଆଯାଇଥିଲା। କିନ୍ତୁ ଜୁନ ୨୩ରେ ତାଙ୍କର ମୃତ୍ୟୁ ଘଟିଥିଲା।

ଫକୀରଙ୍କ ସ୍ତ୍ରୀ ତମାଳ ବେହେରାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ କେମିତି ମଲେ ଜାଣି ନାହାନ୍ତି। ନିକଟରେ ସେ ବ୍ରହ୍ମପୁର ଆସି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ୱାମୀଙ୍କ ସ୍ଥାନରେ ତାଙ୍କ ପରିବାର ଯେକୌଣସି ଜଣଙ୍କୁ ନିଯୁକ୍ତି ଦେବାକୁ ଅନୁରୋଧ କରିଥିଲେ। ସେହିଭଳି ସ୍ୱାମୀଙ୍କ ପେନସନ ସରକାରୀ ଅନୁସାରେ ବିଧି ବ୍ୟବସ୍ଥା କରିବାକୁ କହିଥିଲେ। ସରକାରୀ ବିଧି ବ୍ୟବସ୍ଥା ଯାହା ଥିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଥିଲେ।

ସମ୍ବନ୍ଧିତ ଖବର