ଡାକ୍ତର ନିଯୁକ୍ତି ପରେ ତାଲପାଲି ରାସ୍ତାରୋକ ପ୍ରତ୍ୟାହୃତ

ଗାଇସିଲାଟ: ଗାଇସିଲାଟ ବ୍ଲକ୍‌ ତାଲପାଲି ଡାକ୍ତରଖାନାରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବି ନେଇ ଚାଲିଥିବା ଆନ୍ଦୋଳନ ଓ ରାସ୍ତାରୋକ ରବିବାର ପଞ୍ଚମ ଦିନରେ ପ୍ରତ୍ୟାହୃତ ହୋଇଛି। ଆଜି ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ସିଡିଏମ୍‌ଓ ପ୍ରକାଶ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ପଦ୍ମପୁର ଉପଜିଲ୍ଲାପାଳ ତପିରାମ ମାଝୀ ଓ ଡା. କଲ୍ଲୋଳା ବ୍ୟାଜ୍‌ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ ଗାଇନିକ୍‌ ସ୍ପେଶାଲିଷ୍ଟ ଡା. ବ୍ୟାଜ୍‌ଙ୍କୁ ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଥିବା ଘୋଷଣା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ପ୍ରକାଶଥାଉ କି ଏହା ପୂର୍ବରୁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରୁ ସପ୍ତାହକୁ ଦୁଇ ଦିନ ଡା. ସୁବର୍ଣ୍ଣ ପଣ୍ଡାଙ୍କୁ ତାଲପାଲି ଡାକ୍ତରଖାନାକୁ ଡେପୁଟେସନ୍‌ରେ ପଠାଯିବା ନିଷ୍ପତ୍ତିକୁ ଅଂଚଳବାସୀ ଅଗ୍ରାହ୍ୟ କରି ଦେଇଥିଲେ।
ସୂଚନାଯୋଗ୍ୟ ୧୯୬୪ ମସିହାରେ ସ୍ଥାପିତ ତାଲପାଲି ଡାକ୍ତରଖାନାରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ନେଇ ୧.୧୧.୨୦୦୬ରୁ କ୍ରମାଗତ ଆନ୍ଦୋଳନ ଚାଲି ଆସୁଛି। ଓଡ଼ିଶା ସରକାରଙ୍କ ଚିଠି ଅନୁସାରେ ୨୦୦୬-୦୭ ମସିହାରେ ଏହା ସିଏଚ୍‌ସିରେ ପରିଣତ ହେବା କଥା। ମାତ୍ର ପ୍ରଶାସନିକ ଅବହେଳା ଓ ଉଦାସିନତା ତଥା ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁଁ ପଦ୍ମ ଘୁଞ୍ଚି ଘୁଞ୍ଚି ଚାଲିଛି। ଏହାକୁ ନେଇ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି। ୨୦୦୯ରେ ତତ୍‌କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ପୂର୍ଣ୍ଣାଙ୍ଗ ସିଏଚ୍‌ସିର ପ୍ରତିଶ୍ରୁତି ଦେଇଥିଲେ, ତାହା ବି ଧୂଆଁବାଣ ପାଲଟିଛି। ପ୍ରତିବାଦ ସ୍ୱରୂପ ଗତ ୧୨.୧୨.୨୦୧୬ରେ ଅଂଚଳବାସୀ ତାଲପାଲି ବନ୍ଦ କରିଥିଲେ। ତେବେ ପ୍ରଶାସନର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲେ ଦାବି ପୂରଣ ନ ହେବାରୁ ପୁଣି ଥରେ ୧୦.୪.୨୦୧୭ରେ ତାଲପାଲିରେ ରାସ୍ତାରୋକ କରିଥିଲେ। ତତ୍କାଳୀନ ଜିଲ୍ଲାପାଳ ଡାକ୍ତର ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ସ୍ଥଗିତ ରହିଥିଲା। ମାତ୍ର ତାହା ବି ପୂରଣ ନ ହେବାରୁ ଶେଷରେ ଅଂଚଳବାସୀ ଗତ ୧୮ ତାରିଖରୁ ସିଏଚ୍‌ସି ଆଗରେ ଧାରଣା ଦେବା ସହ ୧୯ରୁ ପଦ୍ମପୁର-ବଲାଙ୍ଗୀର ରାସ୍ତା ଅବରୋଧ ଜାରି ରଖିଥିଲେ।

ସମ୍ବନ୍ଧିତ ଖବର