ଭୁବନେଶ୍ୱର: ଜାତୀୟ-ଅନ୍ତଜାର୍ତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ମନମୋହନଙ୍କ ଦେହାନ୍ତ ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ‘ଜାତୀୟ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଭାବେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପବିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।’
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ସଂଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ। ୬୯ବର୍ଷ ବୟସ୍କ ଶ୍ରୀ ମହାପାତ୍ର କ୍ରମାଗତ ଭାବେ ୮ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରି ଏକ ବିରଳ ଉପଲବ୍ଧିର ଅଧିକାରୀ ହୋଇଥିଲେ। ଭାରତୀୟ ସମାନ୍ତରାଳ ଚଳଚ୍ଚିତ୍ର କ୍ଷେତ୍ରକୁ ଋଦ୍ଧିମନ୍ତ କରିବାରେ ତାଙ୍କର ଅନନ୍ୟ ଅବଦାନ ରହିଛି।
ଜାତୀୟ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଭାବେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପବିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) January 13, 2020
ନିକଟରେ ସେ ‘ଭିଜା ମାଟିର ସ୍ୱର୍ଗ’ ଚଳଚ୍ଚିତ୍ର ଲାଗି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ପ୍ରଖ୍ୟାତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘କ୍ଲାନ୍ତ ଅପରାହ୍ନ’, ‘ନିରବ ଝଡ଼’, ‘ମଝିପାହାଚ’, ‘ନିଷିଦ୍ଧ ସ୍ୱପ୍ନ’, ‘ଶୀତରାତି’ ଓ ‘ଭିନ୍ନ ସମୟ’। ୧୯୭୬ ମସିହାରେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ‘ଶୀତରାତି’ ଦେଶ ବାହାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ଗୌରବ ଅର୍ଜନ କରିଥିଲା।