ଗୋପାଳପୁର : ଗଞ୍ଜାମ ଜିଲ୍ଲା ପ୍ରଶାସନ ଡିସେମ୍ବର ୨୪ରୁ ୫ଦିନ ଧରି ଗୋପାଳପୁର ବେଳାଭୂମି ମହୋତ୍ସବର ଆୟୋଜନ କରି ପ୍ରଶଂସା ସାଉଁଟିଲା। ନାମୀ କଳାକାର, କଣ୍ଠଶିଳ୍ପୀଙ୍କୁ ଆଣି ଲୋକଙ୍କୁ ମନୋରଂଜନ କରାଇଲା। ହଜାର ହଜାର ସଂଖ୍ୟାରେ ଦର୍ଶକ ଏଥିରେ ଅଂଶଗ୍ରହଣ କରି ମହୋତ୍ସବର ମଜା ଉଠାଇଲେ। କିନ୍ତୁ ମହୋତ୍ସବ ପରେ ସୃଷ୍ଟି ହୋଇଥିବା ଆବର୍ଜନାକୁ ସଫା କରିବା ପାଇଁ ସମସ୍ତେ ଭୁଲିଗଲେ। ଏବେ ମହୋତ୍ସବ ସ୍ଥଳ ସମେତ ବେଳାଭୂମିରେ କୁଢ଼ କୁଢ଼ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳିଛି।
ଗୋପାଳପୁର ବେଳାଭୂମି ସଫେଇ ଉପରେ ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ବ ଦେଉଥିବା ବେଳେ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି। କିନ୍ତୁ ବର୍ତ୍ତମାନ ବେଳାଭୂମିରେ ଯେପରି କୁଢ଼କୁଢ଼ ଅଳିଆ ସାଙ୍ଗକୁ ପ୍ଲାଷ୍ଟିକ୍ ବୋତଲ, ମଦ ବୋତଲ ପଡ଼ିଛଇ, ତା’କୁ ଦେଖି ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏଥିସହ ବେଳାଭୂମିରେ ବହୁ ସମୟ ରହିବା ପାଇଁ ଇଚ୍ଛା ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି। ତାହାସହ ଡଷ୍ଟବିନ୍ ମାନଙ୍କରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିବାରୁ ପବନରେ ଉଡ଼ି ବାହାରେ ପଡୁଥିବା ଦେଖିବାକୁ ମିଳିଛି। ଡିସେମ୍ବର ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଳାଭୂମି ମହୋତ୍ସବର ଆୟୋଜନ କରାଯାଇଥିଲା। ଏହା ମଧ୍ୟରେ ବେଳାଭୂମି ମହୋତ୍ସବ ଓ ନୂତନ ବର୍ଷ ପରେ ବେଳାଭୂମି ସମେତ ମହୋତ୍ସବ ସ୍ଥାନରେ ଅଳିଆ ଆର୍ବଜନା ଭରି ରହିଥିବା ବେଳେ ବେଳାଭୂମିରେ ଡଷ୍ଟବିନକୁ ସଫେଇ କରାଯାଇ ନଥିବାରୁ ତାହ ନଷ୍ଟ ହୋଇ ପୁତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ସୂଚନାଯୋଗ୍ୟ ଯେ, ମହୋତ୍ସବ ପରିଚାଳନା ନିମନ୍ତେ ପ୍ରଶାସନ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ମହୋତ୍ସବ ସମୟରେ ସଫେଇ କାର୍ଯ୍ୟର ତଦାରଖ କରିବା ନିମନ୍ତେ ଏନ୍ଏସିର ପୂର୍ବତନ ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଥିଲା।
ମହତ୍ସୋବ ୫ ଦିନ ସବୁ ଠିକ୍ଠାକ୍ ଚାଲିଥିବା ବେଳେ ଏହା ପରେ ବେଳାଭୂମି ଅଞ୍ଚଳ ସଫେଇ କରିବାକୁ ଏନଏସି ପ୍ରଶାସନ ସମ୍ପୂର୍ଣ୍ଣ ଭୁଲି ଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଗୋପାଳପୁରରେ କେବଳ ସଫେଇ କାର୍ଯ୍ୟ କରିବା ନିମନ୍ତେ ୫୦ରୁ ଊର୍ଦ୍ଧ୍ବ ସଫେଇ କର୍ମଚାରୀ ସମେତ ସୁପରଭାଇଜର ପ୍ରମୁଖ ନିୟୋଜିତ ରହିଥିଲେ ସୁଦ୍ଧା ସଫେଇ କାର୍ଯ୍ୟପ୍ରତି ଧ୍ୟାନ ଦେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅନେକ ଅଭିଯୋଗ କରିଛନ୍ତି। ଏହା ସହ ଅତିରିକ୍ତ ଦାୟିତ୍ବରେ ରହିଥିବା ଚିକିଟି ଏନ୍ଏସି ନିର୍ବାହୀ ଅଧିକାରୀ ମଧ୍ୟ ଛୁଟିରେ ଥିବାରୁ କର୍ମଚାରୀଙ୍କୁ ତାଗିଦ କରିବା ପାଇଁ କୈାଣସି ଅଧିକାରୀ ନଥିବା କାରଣରୁ ବେଳାଭୂମିର ଅନେକ ସ୍ଥାନରେ କୁଢ଼କୁଢ଼ ଅଳିଆ ଆବର୍ଜନା ଜମି ରହିଛି। ଏବେ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପ୍ରତି ଦିନ ଓଡ଼ିଶା ସମେତ ବାହାର ରାଜ୍ୟରୁ ଅନେକ ପର୍ଯ୍ୟଟକ ଗୋପାଳପୁର ବୁଲିବାକୁ ଆସୁଥିବା ବେଳେ ପୁତି ଗନ୍ଧମୟ ପରିବେଶ ଦେଖି ଏକ ଅଲଗା ଅନୁଭୂତି ନେଇ ଫେରୁଥିବା ଦେଖିବାକୁ ମିଳିଛି। ଏଣୁ ପ୍ରଶାସନ ପକ୍ଷରୁ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l