ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ସଚିବଙ୍କୁ ବଦଳି କଲେ ସରକାର, ବିଷ୍ଣୁପଦ ସେଠୀ ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ନିଯୁକ୍ତ

ଭୁବନେଶ୍ୱର: ସକାଳେ ମନ୍ତ୍ରୀ ଆଉ ସନ୍ଧ୍ୟା ହେଉ ହେଉ ସଚିବ | ଆଜି ସକାଳେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଥିବାବେଳେ ଏବେ ସଚିବଙ୍କୁ ବଦଳି କରାଯାଇଛି | ଉଚ୍ଚଶିକ୍ଷା ବିଭାଗର ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି(ଅଫିସର ଅନ ସ୍ପେଶାଲ ଡ୍ୟୁଟି) ଭାବେ ବଦଳି କରାଯାଇଛି | ଵିଷ୍ଣୁପଦଙ୍କ ସ୍ଥାନରେ ଆଇଏଏସ୍‌ ଅରବିନ୍ଦ ଅଗ୍ରଓ୍ବାଲଙ୍କୁ ଉଚ୍ଚଶିକ୍ଷା ଦାୟିତ୍ବ ଦିଆଯାଇଥିବାବେଳେ ଅର୍ଥ ସଚିବ ବିଶାଳ ଦେବଙ୍କୁ ଓଏଚ୍‌ପିସିର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି |

ଉଲ୍ଲେଖ ଥାଉ କି ଆଜି ସକାଳେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିଲେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ। ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଥିଲେ । ଉଚ୍ଚଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ବାଦ୍ ଦେଇଥିବା କୁହାଯାଇଥିଲା । ଏହାପରେ ଚର୍ଚ୍ଚା ଜୋର ଧରିଥିଲା ଯେ ବିଭାଗର ଖରାପ ପ୍ରଦର୍ଶନ ପାଇଁ ଯଦି ମନ୍ତ୍ରୀ ଦାୟୀ ତେବେ ସଚିବ କାହିଁକି ନୁହଁନ୍ତି | ଏହାପରେ ରାଜ୍ୟ ସରକାର ସଚିବଙ୍କୁ ମଧ୍ୟ ବଦଳି କରିଛନ୍ତି |

ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ବିଷ୍ଣୁପଦ ସେଠୀ ଉଚ୍ଚଶିକ୍ଷା ବିଭାଗ ପୂର୍ବରୁ  ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇ ଥିଲେ । ତେବେ ପୂର୍ବରୁ ମଧ୍ୟ ଅନେକ ବଡ଼ ବିଭାଗରେ ଦାୟିତ୍ୱ ନିର୍ବାହ କରିଆସିଛନ୍ତି ଶ୍ରୀ ସେଠୀ । ଯେତେବେଳେ ଭୟଙ୍କର ସାମୁଦ୍ରିକ ଝଡ ଓଡ଼ିଶା ଆଡକୁ ମାଡିଆସୁଥିଲା, ଲୋକଙ୍କୁ ସତର୍କ କରାଇବା ସହ ବିଭିନ୍ନ ପଦକ୍ଷେପ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ସେତେବେଳେ ଏସଆରସି ପଦରେ ଥିବା ଏହି ବରିଷ୍ଠ ଆଇଏଏସ ଅଫିସର । ଏହା ପରେ ତାଙ୍କୁ ଶକ୍ତି ବିଭାଗର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା । କୋଭିଡ୍ ଭଳି ଘଡିସନ୍ଧି ମୁହୂର୍ତ୍ତରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି ବିଷ୍ଣୁପଦ ସେଠୀ ।

ସମ୍ବନ୍ଧିତ ଖବର