ଭୁବନେଶ୍ବର: ୨୦୧୩ରେ ନନ୍ଦକାନନ ପ୍ରାଣୀଉଦ୍ୟାନକୁ ଅନୁପ୍ରବେଶ କରିଥିବା ମହାବଳ ‘ନନ୍ଦନ’ ଓଡ଼ିଶା ଜଙ୍ଗଲରେ ନ ଥିଲା। ବରଂ କେନ୍ଦ୍ରୀୟ ଭାରତୀୟ ‌ଲ୍ୟାଣ୍ଡସ୍କେପ୍‌ର ମହାରାଷ୍ଟ୍ର କିମ୍ବା ମଧ୍ୟପ୍ରଦେଶର କୌଣସି ଏକ ଜଙ୍ଗଲରୁ ସେ ଓଡ଼ିଶାମୁହାଁ ହୋଇଥିଲା। ଚଳିତବର୍ଷ ମେ’ ୧୧ ତାରିଖରେ ୧୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ‘ନନ୍ଦନ’ର ଜେନେଟିକ୍‌ ଉପରେ ଗବେଷଣା କରୁଥିବା କର୍ଣ୍ଣାଟକସ୍ଥିତ ସେଣ୍ଟର ଫର୍‌ ମଲିକୁଲାର ବାୟୋଲୋଜିର ବୈଜ୍ଞାନିକମାନେ ଏଭଳି ତଥ୍ୟ ହାସଲ କରିଛନ୍ତି। ଗବେଷଣାର ଚୂଡ଼ାନ୍ତ ରିପୋର୍ଟ ମିଳି ନ ଥିଲେ ମଧ୍ୟ ପ୍ରାରମ୍ଭିକ ଭାବେ ବୈଜ୍ଞାନିକଙ୍କ ଏଭଳି ତଥ୍ୟ ଓଡ଼ିଶାର ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଓ ବଂଶବିସ୍ତାର ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ମହାବଳ ‘ନନ୍ଦନ’ର ବାସସ୍ଥଳୀକୁ ନେଇ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି। ସର୍ବସାଧାରଣରେ ବିଶ୍ୱାସ କରାଯାଉଥିଲା ଯେ ୨୦୧୩ ମାର୍ଚ୍ଚରେ ସାତକୋସିଆ ଅଭୟାରଣ୍ୟରୁ ବାହାରି ମହାବଳଟି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସାଥୀ ଖୋଜିବା ପାଇଁ ଆସିଥିଲା। ଆଉ କେହି କେହି କହୁଛନ୍ତି ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ନିଜର ବାସସ୍ଥଳୀ ସୃଷ୍ଟି କରିଥିଲା। ତେବେ ବୈଜ୍ଞାନିକଙ୍କ ଜେନେଟିକ୍ ଅଧ୍ୟୟନ ବର୍ତ୍ତମାନ ପ୍ରମାଣିତ କରିଛି ଯେ ଏହା କେନ୍ଦ୍ରୀୟ ଭାରତୀୟ ଲ୍ୟାଣ୍ଡସ୍କେପ୍‌ରୁ ଆସିଥିଲା।

Advertisment

୧୧ ବର୍ଷ ଧରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପା‌ଲଟିଥିବା ‘ନନ୍ଦନ’ ନନ୍ଦନକାନନରେ ବାଘ ବଂଶ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ୨୦୧୩ରେ ନନ୍ଦନକାନନର ବାଘୁଣୀ ‘ମେଘା’ ପ୍ରତି ଆକୃଷ୍ଟ ହୋଇ ନନ୍ଦନ ଖୁଆଡ଼ ଡେଇଁଥିଲା। ତେବେ ‘ମେଘା’ ସହିତ ତାକୁ ମିଳନର ସୁଯୋଗ ଦେଇ ନଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ। ବରଂ ଭୋପାଳରୁ ନନ୍ଦନକାନନକୁ ଅଣାଯାଇଥିବା ଜଙ୍ଗଲୀ ବାଘୁଣୀ ‘ସାରା’ ସହ ‘ନନ୍ଦନ’ର ମିଳନ କରାଇବାକୁ ଯୋଜନା କରିଥିଲେ। ମାତ୍ର ‘ସାରା’ ଓ ‘ମେଘା’ ମଧ୍ୟରେ ଲଢ଼େଇ ହେବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ବାଧ୍ୟ ହୋଇ ‘ନନ୍ଦନ’ ସହ ‘ମେଘା’କୁ ମିଳନର ସୁଯୋଗ ଦେଇଥିଲେ। ୨୦୧୬ ଏପ୍ରିଲ୍‌ ୨୦ ତାରିଖରେ ‘ମେଘା’ର ପ୍ରଥମ ଗର୍ଭରୁ ‘ବାହୁବଳୀ’ ଓ ‘କୁନ୍ଦନ’ ଜନ୍ମ ହୋଇଥିବା ବେଳେ ୨୦୨୧ ଏପ୍ରିଲ୍‌ ୧୪ରେ ‘ବିବେକ’, ‘ଅଭୟ’ ଓ ‘ସୋହିନୀ’ ନାମକ ୩ଟି ଶାବକ ଜନ୍ମ ନେଇଥିଲେ।

ବିଶେଷଜ୍ଞମାନଙ୍କ ଏଭଳି ଗବେଷଣା ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ୧୧ ବର୍ଷ ତଳେ ବି କେନ୍ଦ୍ରୀୟ ଭାରତୀୟ ‌ଲ୍ୟାଣ୍ଡସ୍କେପ୍‌ରୁ ଓଡ଼ିଶାକୁ ମହାବଳ ଆସୁଥିଲେ। ଏବେ ବାହାର ରାଜ୍ୟରୁ ଆସିଥିବା ଦୁଇଟି ମହାବଳ ଓଡ଼ିଶାକୁ ନିଜର ବାସସ୍ଥଳୀ ଭାବେ ଗ୍ରହଣ କରି ନେଇଛନ୍ତି। ମଧ୍ୟପ୍ରଦେଶର ସଞ୍ଜୟ ଡୁବୁରି ଜାତୀୟ ଉଦ୍ୟାନରୁ ପଳାଇ ଆସିଥିବା ମହାବଳଟି ଏବେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ନିଜର ଅଞ୍ଚଳ ବିସ୍ତାର କରି ଚାଲିଛି। ମାସ ପରେ ମାସ ବିତୁଥିଲେ ମଧ୍ୟ ମହାବଳଟି ଶିମିଳିପାଳ ଲ୍ୟାଣ୍ଡସ୍କେପ୍‌ ଛାଡ଼ି ବାହାରକୁ ଯାଉ ନାହିଁ, ଯାହାକି ଓଡ଼ିଶା ପାଇଁ ଏକ ଶୁଭ ସଙ୍କେତ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି। ସେପଟେ ଦୁଇ ଦଶନ୍ଧି ଧରି ବାଘ ଶୂନ୍ୟ ହୋଇଥିବା ଏକ ଜିଲ୍ଲାରେ ମହାବଳଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ମହାରାଷ୍ଟ୍ରରୁ ଆସିଥିବା ଏକ ମହାବଳଟି କିଛି ଦିନ ଧରି ଦକ୍ଷିଣ କେନ୍ଦ୍ରୀୟ ଓଡ଼ିଶାର ଏକ ଜଙ୍ଗଲରେ ରହିଥିଲା। ଏବେ ସେ ସ୍ଥାନ ବଦଳାଇଛି।

ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କ କହିବାନୁଯାୟୀ ବାଘ ବଂଶ ବୃଦ୍ଧି ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଜଙ୍ଗଲଗୁଡ଼ିକରେ ବନ୍ୟପ୍ରାଣୀଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି ସହ ଖାଦ୍ୟ ରହିଥିବାରୁ ସେମାନେ ସହଜରେ ଆପଣାଇ ନେଉଛନ୍ତି। କେନ୍ଦ୍ରୀୟ ଭାରତୀୟ ‌ଲ୍ୟାଣ୍ଡସ୍କେପ୍‌ରୁ ଓଡ଼ିଶାକୁ ମହାବଳଙ୍କ ପ୍ରବେଶ ବହୁ ଆଗରୁ ରହିଛି। ଏବେ ଯେଉଁ ଦୁଇଟି ମହାବଳ ରହିଛନ୍ତି ସେମାନଙ୍କୁ ସୁରକ୍ଷା ଦେବା ସହ ବାଘ ବଂଶ ବୃଦ୍ଧି ଓ ସଂରକ୍ଷଣ ଦିଗରେ ଆମକୁ ପଦକ୍ଷେପ ନେବାକୁ ପଡ଼ିବ।