ପୁରୀ: ପୁରୀ ଓ ଶ୍ରୀମନ୍ଦିର ବିକାଶ ପାଇଁ ବର୍ତ୍ତମାନର ସରକାର ଯେପରି କରୁଛନ୍ତି ଭାରତ ସ୍ବାଧୀନ ହେବା ପରେ, ଉତ୍କଳ ପ୍ରଦେଶ ଗଠନ ହେବା ଦିନଠାରୁ ଏଭଳି ଚିନ୍ତନ କରାଯାଇନଥିଲା ବୋଲି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି।
ଗତକାଲି ପୁରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଅନୁଷ୍ଠିତ ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକ୍ରମରେ ଯୋଗଦେଇ ଗଜପତି ମହାରାଜ ବର୍ତ୍ତମାନ ସରକାରଙ୍କ ପୁରୀ ବିକାଶକୁ ପ୍ରଶଂସା କରିଥିଲେ। ବର୍ତ୍ତମାନ ସରକାର ଯେଉଁ କାମ କରୁଛନ୍ତି ତାହା ଅନ୍ୟ ସରକାରରେ ଦେଖିବାକୁ ମିଳିନଥିଲା। ୧୯୬୦ରେ ଶ୍ରୀମନ୍ଦିର ପରିଚାଳନା ଭାର ଗଜପତିଙ୍କ ପାଖରୁ ସରକାରଙ୍କ ପାଖକୁ ଯାଇଥିଲା। ଶ୍ରୀମନ୍ଦିରକୁ ନେଇ ଯେଉଁ ସମସ୍ୟା ଥିଲା ତାହା ଦୂର ହେବ ବୋଲି ଆଶା କରାଯାଉଥିଲା। ମାତ୍ର ଦେଶ, ବିଦେଶରେ ଥିବା ଭକ୍ତଙ୍କ ସେ ଆଶା ପୂରଣ ହୋଇନଥିଲା। ଏବେର ସରକାର ଶ୍ରୀମନ୍ଦିର ଓ ପୁରୀର ବିକାଶ ପାଇଁ ଯେଉଁ ଭଳି ଚିନ୍ତନ କରୁଛନ୍ତି ତାହା ସ୍ବାଗତଯୋଗ୍ୟ ବୋଲି ଗଜପତି ମହାରାଜ କହିଥିଲେ। ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଜଣେ ପଣ୍ଡିତ ଥିଲେ, ତାଙ୍କର ଜଗନ୍ନାଥ ସଂସ୍କୃତି ଉପରେ ଗଭୀର ଜ୍ଞାନ ଥିଲା। ତାଙ୍କ ମନରେ ଶ୍ରୀମନ୍ଦିରର ବିକାଶ ଭାବନା ଆସିବା ସ୍ବାଭାବିକ। ତେବେ ନବୀନ ବାବୁଙ୍କ ମନରେ ଏ ପ୍ରକାର ଭକ୍ତିଭାବ ଚକିତ କଲାଭଳି ଘଟଣା। ଏ ସବୁ କେବଳ ମହାପ୍ରଭୁ କରାଉଛନ୍ତି, ତାଙ୍କ ନିର୍ଦ୍ଦେଶରେ ସବୁ କିଛି ଘଟୁଛି ବୋଲି ଗଜପତି ମହାରାଜ କହିଥିଲେ। ଏବେ ଲୋକଙ୍କ ଧାରଣା ଯେ ନବକଳେବର ପରେ ଏ ଯେଉଁ ଠାକୁର ଆସିଛନ୍ତି ସେ କାହାକୁ ଛାଡ଼ିବେ ନାହିଁ, ସବୁ କାମ କରିକି ଦେଖାଇବେ। ମହାପ୍ରଭୁ ତାଙ୍କ ଯୋଜନା ନିଜେ କରନ୍ତି। କ’ଣ କରାଯିବ, କେମିତି ହେବ ଓ କାହା ମାଧ୍ୟମରେ କାର୍ଯ୍ୟ ହେବ ସେ ହିଁ କରାଉଛନ୍ତି। ସମସ୍ତଙ୍କ ମହାପ୍ରଭୁଙ୍କ ପାଦ ତଳେ ସମର୍ପଣ ଭାବ ରଖି କାମ କରିବାକୁ ଗଜପତି ମହାରାଜ ପରାମର୍ଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/d65h498h7fs89h74fs8h94sfhhhhhhhhhhhhhhhhhh.jpg)