କାର୍ତ୍ତିକ ମାସ ପରେ ଅବଢ଼ାର ଦର ନିର୍ଦ୍ଧାରଣ ହୋଇ ଅାନନ୍ଦ ବଜାରରେ ଦରତାଲିକା ଲଗାଯିବ

ପୁରୀ: କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଢ଼ା ମହାପ୍ରସାଦର ଦର ନିର୍ଦ୍ଧାରଣ କରାଯାଇ ଦର ତାଲିକା ଜାରି କରାଯିବ ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କିଶୋର ମହାପାତ୍ର କହିଛନ୍ତି। ମଙ୍ଗଳବାର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଶ୍ରୀ ମନ୍ଦିରରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ସଂସ୍କାର ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ନିଷ୍ପତ୍ତି ହୋଇଛି କି କାର୍ତ୍ତିକ ମାସ ପରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ ଲାଗି କତେ ଖର୍ଚ୍ଚ ହେଉଛି, ତାହା ତର୍ଜମା କରାଯିବ। ଏହାପରେ ଦର ନିର୍ଦ୍ଧାରଣ କରାଯାଇ ଆନନ୍ଦ ବଜାରରେ ରେଟଚାର୍ଜ ଲଗାଯିବ।

ଏହି ବୈଠକରେ ଶ୍ରୀ ମନ୍ଦିରର ପରିଚାଳନା ସମିତିର ସଦସ୍ୟ,ଜିଲ୍ଲା ପ୍ରଶାସନ ଓ ସେବାୟତମାନେ ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହୋଇ ନାହିଁ ବୋଲି ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି। ଭକ୍ତମାନଙ୍କୁ ସିଂହଦ୍ୱାରକୁ ମନ୍ଦିର ପର୍ଯ୍ୟନ୍ତ କେବଳ ଧାଡ଼ିରେ ନିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ଏଥିସହ ସେ କହିଛନ୍ତି, ‘ ପୁଷ୍ପାଳକ ଓ ସିଂହାରୀ ସେବାୟତଙ୍କ ପ୍ରସ୍ତାବ ଅନୁସାରେ  ଶ୍ରୀମନ୍ଦିରେ ନଷ୍ଟ ହୋଇ ଆସୁଥିବା  ୪ଟି ପ୍ରତିମାକୁ ବଦଳାଇବାକୁ ନିଷ୍ପତ୍ତି ହୋଇଛି। ଚଳନ୍ତି ପ୍ରତିମା ଭାବେ ପୂଜିତ  ଲକ୍ଷ୍ମୀ, ନାରାୟଣ, ମଦନ ମୋହନ ଓ ବାମନ ପ୍ରତିମାଙ୍କୁ ବଦଳା ଯାଇ ନୂଅା ପ୍ରତିମା ସ୍ଥାପିତ ହେବେ।’

ସମ୍ବନ୍ଧିତ ଖବର