ଭୁବନେଶ୍ବର: ରାଜ୍ୟରେ ସାଧାରଣ ନିର୍ବାଚନ ଶୃଙ୍ଖଳାର ସହିତ ଶେଷ ହୋଇଛି। ନକ୍ସଲ ଉପଦ୍ରୁତ ଅଞ୍ଚଳରେ ବି। ଏଥିପାଇଁ ଖୋଦ୍ ଜାତୀୟ ନିର୍ବାଚନ କମିସନ ଓଡ଼ିଶା ପୁଲିସକୁ ପ୍ରଶଂସା କରିଛନ୍ତି। ସେହିଭଳି ରଥଯାତ୍ରା ମଧ୍ୟ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟୟ ନେଇ ଏଯାଏ କୌଣସି ବଡ଼ ଅଭିଯୋଗ ବିରୋଧୀ କରିନାହାନ୍ତି। ଏହାସତ୍ତ୍ବେ ମୋହନ ମାଝୀ ସରକାର ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କୁ ଅପସାରଣ କରିବେ ବୋଲି କ୍ଷମତା କରିଡ଼ରରେ ଚର୍ଚ୍ଚା ଜୋର ଧରିଲାଣି। ଶୁକ୍ରବାର କେନ୍ଦ୍ର ସରକାର ୧୯୯୦ ବ୍ୟାଚ୍ ଆଇପିଏସ୍ ଵାଇ ବି ଖୁରାନିଆଙ୍କୁ ଓଡ଼ିଶା ଫେରାଇବା ସହିତ ୧୯୮୯ ବ୍ୟାଚ୍ ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦଙ୍କୁ ସିଆର୍ପିଏଫ୍ ସ୍ବତନ୍ତ୍ର ଡ଼ିଜି ନିଯୁକ୍ତ କରିବା ପରେ କିଛି ବରିଷ୍ଠ ପୁଲିସ ଅଧିକାରୀଙ୍କ ମତ ହେଉଛି, ଯେ କୌଣସି ମୁହୂର୍ତ୍ତରେ ନୂଆ ଡି଼ଜିଙ୍କ ନିଯୁକ୍ତି ପ୍ରକ୍ରିୟାକୁ ସରକାର ତ୍ବରାନ୍ବିତ କରିପାରନ୍ତି। ଶ୍ରୀ ଖୁରାନିଆଙ୍କୁ ନଜରରେ ରଖି ସରକାର ରାସ୍ତା ଫିଟାଉଛନ୍ତି। ପୂର୍ବ ସରକାର ସ୍ଥାୟୀ ଡିଜି ନିଯୁକ୍ତି ପାଇଁ ଦେଇଥିବା ପ୍ରସ୍ତାବ ଉପରେ ଆବଶ୍ୟକ ସ୍ପଷ୍ଟୀକରଣ ଦେଇ ନୂଆ ସରକାର ଏହି ପ୍ରକ୍ରିୟାକୁ ଆଗେଇନେବେ। ଅନ୍ୟପକ୍ଷରେ ଯଦି ଶ୍ରୀ ଖୁରାନିଆ ଡିଜି ହୁଅନ୍ତି, ତେବେ ବର୍ତ୍ତମାନର ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ପୁଲିସ ବ୍ୟବସ୍ଥା ବାହାରେ କୌଣସି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ନିଯୁକ୍ତି ଦେଇପାରନ୍ତି।
ଶନିବାର କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତିକ୍ରମେ ବିଏସ୍ଏଫ୍ର ସ୍ବତନ୍ତ୍ର ଡିଜି ପଦରେ ଥିବା ଶ୍ରୀ ଖୁରାନିଆଙ୍କୁ ଓଡ଼ିଶା ଫେରାଇ ଦେଇଥିଲେ। ତାଙ୍କ ସହିତ ବିଏସ୍ଏଫ୍ ଡିଜି ନୀତିନ ଅଗ୍ରୱାଲଙ୍କୁ ବି ତାଙ୍କ ମୂଳ କ୍ୟାଡର୍ କେରଳକୁ ପଠାଇ ଦିଆଯାଇଥିଲା। ଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଥିଲେ ଯେ ଜମ୍ମୁ ସୀମାରେ ବାରମ୍ବାର ଆତଙ୍କୀ ହମ୍ଲା ପରେ କେନ୍ଦ୍ର ସରକାର ଏହି ଦୁଇ ସର୍ବୋଚ୍ଚ ଅଧିକାରୀଙ୍କୁ ଫେରାଇ ଦେଇଛନ୍ତି। ହେଲେ ଓଡ଼ିଶାରେ କିନ୍ତୁ ଯେଉଁ ଚର୍ଚ୍ଚାଟି ଜୋର ଧରିଛି,ତାହା ହେଲା ପୁଲିସ ଡିଜି ବଦଳିବେ। ଏଠାରେ ସ୍ମରଣଥାଉକି, ୨୦୨୩ ଡିସେମ୍ବର ୩୧ ତାରିଖରେ ଓଡ଼ିଶାର ତତ୍କାଳୀନ ଡିଜି ସୁନିଲ ବଂଶଲଙ୍କ ଅବସର ପୂର୍ବରୁ ତତ୍କାଳୀନ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଡିଜି ନିଯୁକ୍ତି ସଂକ୍ରାନ୍ତ ପ୍ରସ୍ତାବ ଦେଇଥିଲେ। ଯେଉଁମାନଙ୍କର ୬ମାସ ବା ତତୋଧିକ ସମୟ ଚାକିରିଥିଲା ଅଥବା ୩୦ବର୍ଷ କାର୍ଯ୍ୟ କରିଛନ୍ତି, ସମସ୍ତ ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମ କେନ୍ଦ୍ରକୁ ପଠାଯାଇଥିଲା। ହେଲେ ୟୁପିଏସ୍ସି ବୈଠକ ବସିନଥିବାରୁ ୧୯୯୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ଡିଜି ଭାବେ ନିଯୁକ୍ତି ଦିଆଯାଇଥିଲା ଏବଂ ସେ ସାତ ମାସ ହେଲା ଏହି ପଦବିରେ ରହିଛନ୍ତି।
କେନ୍ଦ୍ରକୁ ଯିବା ପରେ ଦୌଡ଼ରୁ ଓହରିଲେ ଅମ୍ରିତ ମୋହନ
ପ୍ରଥମ ତିନିଜଣଙ୍କ ମଧ୍ୟରେ ଓଡ଼ିଆ ଅଫିସର ନାହାନ୍ତି
କାମ ଦେବନି ବିରୋଧୀଙ୍କ ‘ଓଡ଼ିଆ ଅସ୍ମିତା’ କାର୍ଡ
ମିଳିଥିବା ତଥ୍ୟ ଅନୁସାରେ, ଏବେ ବରିଷ୍ଠତା ଭିତ୍ତିରେ ଆଗରେ ଅଛନ୍ତି ୧୯୮୮ ବ୍ୟାଚ୍ ଆଇପିଏସ୍ ଅରୁଣ ରାୟ। ତାଙ୍କ ପରେ ୧୯୮୯ ବ୍ୟାଚ୍ର ଦୁଇ ଆଇପିଏସ୍ ଅଧିକାରୀ ଅର୍ଥାତ୍ ଅମ୍ରିତ ମୋହନ ପ୍ରସାଦ ଓ ଏସ୍ ଏମ୍ ନରବଣେ ଅଛନ୍ତି। ଉଭୟ ଅରୁଣ ରାୟ ଓ ନରବଣେଙ୍କୁ ରାଜ୍ୟ ସରକାର କୌଣସି ଏକ ଅଭିଯୋଗ କ୍ରମେ ଓଏସ୍ଡି ଭାବେ ବସାଇଛନ୍ତି। ଏବେ ଶ୍ରୀ ପ୍ରସାଦ କେନ୍ଦ୍ରକୁ ଯିବା ପରେ ପରବର୍ତ୍ତୀ ବରିଷ୍ଠ ଅଧିକାରୀ ହେଉଛନ୍ତି ୱାଇ ବି ଖୁରାନିଆ। ଅର୍ଥାତ୍ ଏ ଏମ୍ ପ୍ରସାଦଙ୍କୁ ବାଦ୍ ଦେବା ପରେ ତାଲିକାର ଶୀର୍ଷ ତିନିଜଣଙ୍କ ମଧ୍ୟରେ ଶ୍ରୀ ଖୁରାନିଆ ଆସିବେ। ଏମାନଙ୍କ ମଧ୍ୟରୁ ରାଜ୍ୟ ସରକାର ଯେ କୌଣସି ଜଣଙ୍କୁ ଡିଜିପି କରିପାରନ୍ତି। ଏଭଳି ସ୍ଥିତିରେ ଖୁରାନିଆଙ୍କ ନିଯୁକ୍ତି ସହଜ ହେବ। ଆହୁରି ସରଳ ଭାବେ କହିଲେ, ଯେହେତୁ ପ୍ରଥମ ତିନିଜଣଙ୍କ ମଧ୍ୟରେ କୌଣସି ଜଣେ ବି ଓଡ଼ିଆ ଅଫିସର ନାହାନ୍ତି, ଏଣୁ ଏହି କୌଶଳ ଦ୍ବାରା ବିରୋଧୀଙ୍କ ‘ଓଡ଼ିଆ ଅସ୍ମିତା’ ସ୍ଲୋଗାନକୁ ମଧ୍ୟ ସରକାର ଟାଳିଦେଇପାରିବେ। ପୂର୍ବରୁ ମନୋଜ ଆହୁଜାଙ୍କୁ ମୁଖ୍ୟଶାସନ ସଚିବ ନିଯୁକ୍ତି ବେଳେ ବିରୋଧୀ ଦଳ ‘ଅସ୍ମିତା’ କାର୍ଡ ଖେଳି ସରକାରଙ୍କୁ ଘେରିଥିଲେ। ଯେହେତୁ ତତ୍କାଳୀନ ମୁଖ୍ୟସଚିବ ପ୍ରଦୀପ ଜେନାଙ୍କ ବର୍ଧିତ କାର୍ଯ୍ୟକାଳ ଶେଷହୋଇଥିଲା, ଏଣୁ ଏହା ସେତେଟା ଜୋର ଧରିଲା ନାହିଁ। ଏବେ କିନ୍ତୁ ଏହି ପ୍ରସଙ୍ଗଟି ସରକାରଙ୍କୁ ଅଡ଼ୁଆରେ ପକାଇପାରେ। ହେଲେ ରାଜ୍ୟ ସରକାର ସୁପ୍ରିମ୍କୋର୍ଟଙ୍କ ନିୟମକୁ ମାନିବାକୁ ଯାଇ ସ୍ଥାୟୀ ଡିଜି ନିଯୁକ୍ତି ପ୍ରକ୍ରିୟାକୁ ଆପଣାଇବା ସହିତ ଏହି ପ୍ରସଙ୍ଗକୁ ପ୍ରଶମିତ କରିବା ଲାଗି ରାସ୍ତା କାଢ଼ୁଥିବା କୁହାଯାଉଛି। ଏଠାରେ ପ୍ରକାଶ ଥାଉକି, ଉତ୍ତରପ୍ରଦେଶ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଆଦି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଡିଜି ନିଯୁକ୍ତି ପାଇଁ ୟୁପିଏସ୍ସିକୁ ସୁପାରିସ କରୁନାହାନ୍ତି। ଏହି ଫର୍ମୁଲା ଆଧାରରେ ଶ୍ରୀ ଷଡ଼ଙ୍ଗୀଙ୍କୁ ମଧ୍ୟ ନବୀନ ସରକାର କାର୍ଯ୍ୟକାରୀ ଡିଜି ନିଯୁକ୍ତି ଦେଇଥିଲେ। େହଲେ ଏବେ ଶ୍ରୀ ଷଡ଼ଙ୍ଗୀଙ୍କୁ କାହିଁକି ନୂଆ ସରକାର ବଦଳାଇ ଦେବାକୁ ଚାହଁୁଛନ୍ତି ତାହା ବୁଝାପଡ଼ୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/sfhsfsfhsfh.jpg)