ଲକ୍‌ଡାଉନ୍ ପରେ…. ୩୬ ଶିବିରରେ ଅଛନ୍ତି ୫୫୪୭ ଶ୍ରମଜୀବୀ

ସମସ୍ତଙ୍କ ପାଇଁ ‌ହୋଇଛି ରହଣି ଓ ଖାଦ୍ୟପେୟ ବ୍ୟବସ୍ଥା, ଏଯାଏ ୨୫୬ ନମୁନାରୁ ୧୮୯ ରିପୋର୍ଟ ଆସିଛି

ଭୁବନେଶ୍ବର: ବିଭିନ୍ନ ରାଜ୍ୟରୁ ଓଡ଼ିଶାରେ ୫୫୪୭ ଶ୍ରମଜୀବୀ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ରାଜସ୍ଥାନ, କେରଳ, ତେଲେଙ୍ଗାନା, ବିହାର, ହରିୟାଣା, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶରୁ ଏହି ଶ୍ରମଜୀବୀମାନେ ଆସିଛନ୍ତି। ସେମାନଙ୍କୁ ୩୬ଟି ଶିବିରରେ ରଖାଯାଇଥିବା ବେଳେ ଲକ୍‌ଡାଉନ୍ ସମୟରେ ସେମାନଙ୍କର ରହଣି ଓ ଖାଦ୍ୟପେୟକୁ ସୁନିଶ୍ଚିତ କରାଯାଇଥିବା କହିଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବାଗଚୀ କହିଥିଲେ, କୋଭିଡ-୧୯କୁ ରାଜ୍ୟ ସରକାର ବିପର୍ଯ୍ୟୟ ଘୋଷଣା କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନୁସାରେ ରାଜ୍ୟ‌ର ସମସ୍ତ କର୍ତୃପକ୍ଷଙ୍କୁ ଏହାର ଆବଶ୍ୟକ ପରିଚାଳନା ପାଇଁ ନିର୍ଦେଶ ଦିଆଯାଇଛି। ଏହି ଅବସରରେ ବିଭିନ୍ନ ବିଭାଗର କିଭଳି କାର୍ଯ୍ୟ କରୁଛି ତାହା ସଂପର୍କରେ ସେ ବର୍ଣ୍ଣନା କରିଥିଲେ। ସେ ଆହୁରି କହିଥିଲେ ଯେ, ରାଜ୍ୟରେ ଏ ପର୍ଯ୍ୟନ୍ତ ୨୫୬ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ତହିଁରୁ ୧୮୯ଟି ନମୁନାର ରିପୋର୍ଟ ହସ୍ତଗତ ହୋଇଛି। ପ୍ରଥମ ଦୁଇ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୫୫ଜଣ ଆସିଥିବା ବେଳେ ଗତକାଲି ଚିହ୍ନଟ ହୋଇଥିବା ତୃତୀୟ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାହା ଖୋଜା ଚାଲିଛି। ଭୁବନେଶ୍ବରରେ ୧୦ଟି ମନିଟରିଂ ଦଳ କାର୍ଯ୍ୟ କରୁଥିବା ବେଳେ ରାଜ୍ୟରେ ୧୦୦ଟି ମନିଟରିଂ ଦଳ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ବ‌ାଗ୍‌ଚୀ ସୂଚନା ଦେଇଥି‌ଲେ। ଏହି ସାମ୍ବାଦିକ ସମ୍ମିନଳୀରେ ସଚିବ ସଂଜୟ ସିଂ ଉପସ୍ଥିତ ଥିଲେ।

ପ୍ରଥମ ଦୁଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୫୫ଜଣ
୩ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି

ଦକ୍ଷିଣ କୋରିଆର ସୁପର୍ ସ୍ପ୍ରେଡର ମହିଳା
ଜଣେ କରୋନା ଆକ୍ରାନ୍ତ ତଥ୍ୟ ଲୁଚାଇଲେ ବା ବେପରୱା ‌ହେଲେ କିପରି ଏକାଧିକ ଲୋକଙ୍କୁ ଏହି ଭୂତାଣୁ ସଂକ୍ରମିତ କରିପାରେ, ସେ ନେଇ ଆଜି କରୋନା ପାଇଁ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଗୁରୁତ୍ବପୂର୍ଣ୍ଣ ଦେବା ଅବସରରେ ଦକ୍ଷିଣ କୋରିଆର ଜଣେ ମହିଳାଙ୍କ ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ହାରାହାରି ୨.୪ରୁ ୩.୫୮ ଜଣ ବ୍ୟକ୍ତିଙ୍କୁ ଭୂତାଣୁ ସଂକ୍ରମିତ କରିଥାନ୍ତି। ମାତ୍ର କିଛି ଦେଶରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଯେପରି ଦକ୍ଷିଣ କୋରିଆରେ ଜଣେ ମହିଳା ମୋଟ ୧୧୬୦ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥିଲେ। ଯାହାଙ୍କୁ ସୁପର ସ୍ପ୍ରେଡର ବୋଲି କୁହାଯାଉଛି। ଏହି ସଂକ୍ରମିତ ମହିଳା ଜଣକ ବିଦେଶରୁ ଯେଉଁ ବିମାନରେ ଆସିଥିଲେ, ସେଥିରେ ୩୦ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା। ମାତ୍ର ମହିଳା ଜଣକ ଖସି ଯାଇଥିଲେ ଏବଂ ସଂଗରୋଧରେ ରହି ନଥିଲେ। ଫଳରେ ଏହି ମହିଳାଙ୍କ ସଂସ୍ପର୍ଶରେ ସିଧାସଳଖ ଆସିଥିବା ୧୧୬୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତେଣୁ କୋଭିଡ-୧୯ଏକ ଯୁଦ୍ଧ ହୋଇଥିବା ବେ‌ଳେ ସଙ୍ଗରୋଧରେ ଥିବା ବ୍ୟକ୍ତି ୧୦୪ ସହାୟତା ନମ୍ବରରୁ ନିର୍ଦେଶ ନ ଆସିବା ପର୍ଯ୍ୟନ୍ତ ଘରର ସୀମା ଡେଇଁବା ଉଚିତ ନୁହେଁ ବୋଲି ଶ୍ରୀ ବାଗଚୀ କହିଥିଲେ।

ସମ୍ବନ୍ଧିତ ଖବର