କିଏ ହେବେ ସାହା: ବାପା-ମା’ ପରେ ଭାଇଙ୍କୁ ହରାଇଲେ ଯାଜ୍ଞସେନୀ, କାଟୁଛନ୍ତି ନିସଙ୍ଗ ଜୀବନ

କଲମପୁର: ମଣିଷ ଜୀବନରେ ଦୁଃଖ କେତେବେଳେ ଓ କେଉଁ ରୂପରେ ଆସିପାରେ ତାହା କେହି କହିପାରିବେ ନାହିଁ। ମଣିଷ ଯାହା ଭାବୁଥାଏ ବିଧିର ବିଧାନ ଆଉ ଗୋଟିଏ ହୁଏ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଭେଳା ଗାଁର ଯାଜ୍ଞସିନୀଙ୍କ ଜୀବନରେ ମା’ ଓ ବାପାକୁ ହରାଇ ଥିବା ଯାଜ୍ଞସିନୀ ଏବେ ଏକମାତ୍ର ଭାଇଙ୍କୁ ହରାଇ ଭାଙ୍ଗିପଡ଼ିଛନ୍ତି। ତାଙ୍କ ଭାଇ ଦାଦନ ଖଟି ଯାଇଥିବା ବେଳେ ତାମିଲନାଡୁରେ ମୃତ୍ୟୁ ଘଟିଛି। ଯାଜ୍ଞସିନୀ ନିଜ ଭାଇଙ୍କ ମୃତଦେହ ମଧ୍ୟ ଦେଖିପାରି ନାହାନ୍ତି। ବର୍ତ୍ତମାନ ଭାଇକୁ ହରାଇ ଯାଜ୍ଞସିନୀ ଅସହାୟ ଅବସ୍ଥାରେ ଦିନ କାଟୁଥିବା ବେଳେ ତାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ବୁଡିରହିଛନ୍ତି।

ଗତ କିଛି ବର୍ଷ ପୂର୍ବେ କୋକସରା ବ୍ଲକ କନ୍ଦାବୁଟରା ଗ୍ରାମର ହୁକୁମି ନାଏକ କଲମପୁର ବ୍ଲକ ଭେଳାଗାଁର ବବିତା ନିଆଳଙ୍କୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବେଳେ ଭେଳାଗାଁରେ ସେ ଘରଜ୍ବାଇଁ ଭାବରେ ପରିବାରକୁ ନେଇ ବସବାସ କରୁଥିଲେ। ସ୍ୱାମୀ, ସ୍ତ୍ରୀ, ଝିଅ ଯାଜ୍ଞସିନୀ ଓ ପୁଅ ଧନିରାମ ଚାରି ପରିବାର ସୁଖଦୁଃଖରେ ଚଳି ଆସୁଥିଲେ। କିନ୍ତୁ ଗତ ୨୦୨୨ ଜୁନ ମାସରେ ହଠାତ ବବିତାଙ୍କ ମୃତ୍ୟୁ ଘଟିଥିଲା। ପରିବାର ଗୁଜୁରାଣ ପାଇଁ ଶେଷରେ ପୁଅ ଧନିରାମ ଦାଦନ ଯିବାକୁ ପଡିଥିଲା। ହେଲେ ମା’ଙ୍କ ମୃତ୍ୟୁର ଚାରିମାସ ପରେ ବାପା ହୁକୁମିଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା।

ବାପାଙ୍କ ମୃତ୍ୟୁରେ ଧନିରାମ ଘରକୁ ଫେରି ଆସିଥିବା ବେଳେ ବର୍ତ୍ତମାନ ଭଉଣୀର ବିବାହ ପାଇଁ କିଛି ଟଙ୍କା ରୋଜଗାର ଉଦେଶ୍ୟରେ ଗତ ଜାନୁଆରି ୫ ତାରିଖରେ ଚେନ୍ନାଇ ଦାଦନ ଖଟି ଯାଇଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଏହି ଯେ ସେଠାରେ ତାଙ୍କର ଅକସ୍ମାତ ମୃତ୍ୟୁ ହୋଇଛି।ଏପଟେ ଆର୍ଥିକ ଅବସ୍ଥା ଗୁରୁତର ଜଗୁ ଗାଁକୁ ଫେରିଲାନି ତାଙ୍କରି ଶବ। ମଲାମୁହଁ ମଧ୍ୟ ଦେଖିପାରିଲେନି ଭଉଣୀ ଯାଜ୍ଞସିନୀ।ବର୍ତ୍ତମାନ ଯାଜ୍ଞସିନୀଙ୍କ ସବୁ ସପ୍ନ ଛାରଖାର ହୋଇଥିବା ବେଳେ ସେ ଅସହନୀୟ ଦୁଃଖରେ ଭାଙ୍ଗି ପଡିଛନ୍ତି। ସରକାରୀ ସ୍ତରରେ କିଛି ସହାୟତା ଯୋଗାଇ ଦେଲେ ମଉଳି ଯାଇଥିବା ଯାଜ୍ଞସିନୀ ଭାଇଙ୍କ ସପ୍ନ ପୂରଣ ହୋଇପାରନ୍ତା ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର