ମହାନଦୀ ପରେ ପୋଲାଭରମ୍‌ ଅଡ଼ୁଆ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ବିବାଦ ଥମିନି। କେନ୍ଦ୍ର ସରକାର ସଂସଦ ଓ ସୁପ୍ରିମକୋର୍ଟରେ ରଖିଥିବା ଦୁଇ ଦୁଇଟି ପୃଥକ୍‌ ଆଭିମୁଖ୍ୟକୁ ନେଇ ଏବେ ବିତର୍କ ମୁଣ୍ଡ ଟେକିଛି। ଏହା ଉପରେ ରାଜ୍ୟ ସରକାର ପ୍ରଶ୍ନ ଉଠାଇଛନ୍ତି ଓ ସୁପ୍ରିମକୋର୍ଟ ବି। ସମଗ୍ର ରାଜ୍ୟରେ ଚର୍ଚ୍ଚା ଆଲୋଚନା ଜାରି ରହିଛି ଓ ମାମଲା ବିଚାରାଧୀନ ରହିଛି। ଠିକ୍‌ ଏମିତି ଏକ ସମୟରେ ପୋଲାଭରମ୍‌ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ପୁଣି ଏକ ବିବାଦ ମୁଣ୍ଡ ଟେକିଛି। କେନ୍ଦ୍ର ସରକାର ଅଡ଼ୁଆ ଭିତରକୁ ଟାଣି ହୋଇଛନ୍ତି। ପୋଲାଭରମ୍‌ ପ୍ରସଙ୍ଗରେ ପୂର୍ବରୁ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ପ୍ରକଳ୍ପ ବନ୍ଦ କରିବା ପରିବର୍ତ୍ତେ ତୁରନ୍ତ କାର୍ଯ୍ୟ ସାରିବା ଲାଗି ଜୋରଦାର ଉଦ୍ୟମ ଚଳାଇଛନ୍ତି ଆନ୍ଧ୍ରପ୍ରଦେଶ ସରକାର। ଏଣେ କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏହି ପ୍ରକଳ୍ପ ନେଇ ଦୁଇଟି ସ୍ଥାନରେ ଦୁଇଟି ଭିନ୍ନ ଆଭିମୁଖ୍ୟ ରଖିଥିବା କାରଣରୁ ରାଜ୍ୟ ସରକାର ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡି ଆପତ୍ତି ଜଣାଇବା ସହିତ ପ୍ରକଳ୍ପ ବନ୍ଦ ଲାଗି ଆନ୍ଧ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ ପାଇଁ ନିବେଦନ କରିଛନ୍ତି।
ଏଥିସହିତ ଏହି ପୋଲାଭରମ୍‌ ପ୍ରକଳ୍ପକୁ ନେଇ ରାଜନୀତି ଜମିଛି। ସେପଟେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି ଘଟଣାରେ ତତ୍କାଳ ପ୍ରତିକ୍ରିୟା ପ୍ରକାଶ କରି ମନ୍ତ୍ରୀ ଶ୍ରୀ ମାଝୀଙ୍କୁ ପାଲଟା ଚିଠି ଲେଖିଛନ୍ତି। କହିଛନ୍ତି, ରାଜ୍ୟ ଯେଉଁ ତଥ୍ୟ ଦେଉଛି, ତାହା ବୋଧହୁଏ ଆନ୍ଧ୍ରପ୍ରଦେଶ ସରକାର କିମ୍ବା ପୋଲାଭରମ୍‌ ପ୍ରକଳ୍ପ ପ୍ରାଧୀକରଣ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇନାହାନ୍ତି। ପୂର୍ବରୁ ମହାନଦୀ ପ୍ରସଙ୍ଗରେ ମଧ୍ୟ ଓଡ଼ିଶା ତଥ୍ୟ ଦେଇନଥିବା ନେଇ କେନ୍ଦ୍ର ଅଭିଯୋଗ କରିଥିଲା। ଶ୍ରୀ ମାଝୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ସାଂସଦ ଡି. ରାଜା ରାଜ୍ୟସଭାରେ ପୋଲାଭରମ୍‌ ଉପରେ ଏକ ପ୍ରଶ୍ନ ଉତ୍‌ଥାପନ କରିଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଉତ୍ତର ରଖିଥିଲେ ଯେ ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ଓଡ଼ିଶାର କୌଣସି ଜନଜାତି ପ୍ରଭାବିତ ହେବେ ନାହିଁ। ହେଲେ ଏହି ଉତ୍ତରଟି ତଥ୍ୟ ଉପରେ ଆଧାରିତ ନୁହେଁ। ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ମାଣାଧୀନ ପୋଲାଭରମ୍‌ ପ୍ରକଳ୍ପ ଅନେକ ପ୍ରଚଳିତ ନିୟମକୁ ଉଲ୍ଲଂଘନ କରି ନିର୍ମାଣ କରାଯାଉଛି। ଏହାଦ୍ୱାରା ଓଡ଼ିଶାର ୫୯୧୬ ଜନଜାତି ବର୍ଗଙ୍କ ସମେତ ୬୮୧୮ ଜଣ କ୍ଷତିଗ୍ରସ୍ତ ହେବେ। ଏହି ପ୍ରକଳ୍ପ ସ୍ୱତନ୍ତ୍ର ଭାବେ ମାଲକାନଗିରି ମୋଟୁ ଅଞ୍ଚଳରେ ୭୬୫୬ ହେକ୍ଟର ପରିମିତ ଜମି ସହ ୧୦ଟି କ୍ଷୁଦ୍ର ଜନବସତି ଓ ୧୫ଟି ରାଜସ୍ୱ ଗ୍ରାମ ସମେତ ୨୫ଟି ଜନବସତିକୁ କ୍ଷତିଗ୍ରସ୍ତ କରିବ।
ଶ୍ରୀ ଓରାମ ୨୦୧୪ ଜୁନ୍‌ ୮ ତାରିଖରେ ଆଉଟଲୁଟ୍‌ ପତ୍ରିକାକୁ ଦେଇଥିବା ସାକ୍ଷାତକାର ସଂପର୍କରେ ସ୍ମରଣ କରାଇ ଶ୍ରୀ ମାଝୀ ବିବାଦ ଟାଣିଛନ୍ତି। ଜଣାଇଛନ୍ତି ଯେ ଏହି ସାକ୍ଷାତକାରରେ ନିଜେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ରାଜ୍ୟର ବହୁ ସଂଖ୍ୟକ ଲୋକ କ୍ଷତିଗ୍ରସ୍ତ ହେବେ। ଏକଥା ବି କହିଥିଲେ, ରାଜ୍ୟ ଓ ଏହାର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷାରେ ଓଡ଼ିଶା ସରକାର ଗ୍ରହଣ କରିଥିବା ଯେ କୌଣସି ପଦକ୍ଷେପକୁ କେନ୍ଦ୍ର ସମର୍ଥନ କରିବ। ଗତ ୪ ତାରିଖରେ ରାଜ୍ୟ ସଭାରେ ରଖିଥିବା ବକ୍ତବ୍ୟ କିନ୍ତୁ ଏହାକୁ ବିରୁଦ୍ଧାଚରଣ କରୁଛି।ଏହି ଚିଠିରେ ଶ୍ରୀ ମାଝୀ ଜଣାଇଛନ୍ତି, ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଜନଜାତି ବର୍ଗର ମନ୍ତ୍ରୀ ରୂପେ ରାଜ୍ୟର ସ୍ୱାର୍ଥ ଦିଗରେ କେନ୍ଦ୍ରମନ୍ତ୍ରୀ ଲଢେଇ ଜାରି ରଖିବେ ବୋଲି ରାଜ୍ୟବାସୀଙ୍କର ବିଶ୍ୱାସ ରହିଛି। ମାତ୍ର ଏମିତି ହେଉଥିବା ଲକ୍ଷ୍ୟ କରାଯାଉନାହିଁ। ରାଜନୈତିକ ସ୍ୱାର୍ଥରୁ ଉର୍ଧ୍ୱକୁ ଯାଇ ଏହି ବର୍ଗର ସ୍ୱାର୍ଥର ସୁରକ୍ଷାକୁ ଗୁରୁତ୍ୱ ଦେବା ଲାଗି ଶ୍ରୀ ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏଥିସହିତ କ୍ଷମତା ଉପଯୋଗ କରି କେନ୍ଦ୍ର ସରକାରଙ୍କ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରିବା ଲାଗି କୁହାଯାଇଛି।

ଜୁଏଲଙ୍କୁ ବିବାଦକୁ ଭିଡ଼ିଲେ ରାଜ୍ୟ ମନ୍ତ୍ରୀ ରମେଶ
କେନ୍ଦ୍ରମନ୍ତ୍ରୀଙ୍କ ପାଲଟା ଚିଠି, ରାଜ୍ୟ ବୋଧେ ତଥ୍ୟ ଦେଇନି
ଉପା ଓ ବିଜେଡି ଉପରକୁ ଅଙ୍ଗୁଳି ଉଠାଇଲେ

ଏଠାରେ ଉଲ୍ଲେଖଥାଉକି, ଛତିଶଗଡ଼ରେ ବିଜେପି ସରକାର ଥିବା ପରିପ୍ରେକ୍ଷୀରେ ମହାନଦୀ ପ୍ରସଙ୍ଗରେ ରାଜ୍ୟ ବିଜେପି କଠୋର ଆଭିମୁଖ୍ୟ ଗ୍ରହଣ କରିପାରୁନାହିଁ। ସେହିଭଳି ଆନ୍ଧ୍ରପ୍ରଦେଶରେ ଟିଡିପି ସରକାର ସହିତ କେନ୍ଦ୍ରର ନିବିଡ଼ତା କାରଣରୁ ପୋଲାଭରମ୍‌ ପ୍ରକଳ୍ପ କ୍ଷେତ୍ରରେ ମଧ୍ୟ ବିଜେପି ଅକଳରେ ପଡିଛି। ଅନ୍ୟପକ୍ଷରେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଏହାର ତୁରନ୍ତ ପ୍ରତିଜବାବ ରଖିଛନ୍ତି। ମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଚିଠି ଲେଖି ସଂସଦରେ ରଖିଥିବା ପ୍ରତିକ୍ରିୟାକୁ ପୁନଃ ଉଲ୍ଲେଖ କରିଛନ୍ତି। ଜଣାଇଛନ୍ତି, ରାଜ୍ୟ ସରକାର ଯେଉଁ ତଥ୍ୟକୁ ଆଧାର କରି ରାଜନୀତି କରୁଛନ୍ତି, ସେସବୁ ତଥ୍ୟ ବୋଧହୁଏ ଆନ୍ଧ୍ରପ୍ରଦେଶ ସରକାର କିମ୍ବା ପୋଲାଭରମ୍‌ ପ୍ରକଳ୍ପ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ ଏହାକୁ କଦର୍ଥ କରି ହୀନ ରାଜନୀତି କରିବାକୁ ଅପଚେଷ୍ଟା କରୁଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ସଂସଦରେ ଯାହା ତଥ୍ୟ ରଖନ୍ତି, ତାହା ରାଜ୍ୟ ସରକାର ବା ସଂପୃକ୍ତ ଏଜେନ୍‌ସି ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁସାରେ ଉପସ୍ଥାପନ କରାଯାଏ। ୪ ତାରିଖରେ ସେ ଯେଉଁ ତଥ୍ୟ ରଖିଥିଲେ, ତାହା ପୋଲାଭରମ୍‌ ପ୍ରକଳ୍ପ ପ୍ରାଧିକରଣଙ୍କ ଦ୍ୱାରା ତଥ୍ୟକୁ ଭିତ୍ତି କରି ରଖିଥିଲେ। ରାଜ୍ୟ ସରକାର ଯେଉଁ ତଥ୍ୟ ଦେଉଛନ୍ତି, ତାହା ପ୍ରାଧିକରଣ କିମ୍ବା ଆନ୍ଧ୍ର ପ୍ରଦେଶ ସରକାର ପାଖରେ ନାହିଁ। ହେଲେ ଏବେ ରାଜ୍ୟ ସରକାର ଯେଉଁ ତଥ୍ୟ ଦେଉଛନ୍ତି, ତାହା କେବେ ଓ କେଉଁ ଭାବରେ ଆନ୍ଧ୍ର ପ୍ରଦେଶ ସରକାର କିମ୍ବା ପୋଲାଭରମ୍‌ ପ୍ରକଳ୍ପ ପ୍ରାଧିକରଣ ତଥା କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟକୁ ଦେଇଛନ୍ତି, ତାହା ଜଣାଇବା ଲାଗି କେନ୍ଦ୍ରମନ୍ତ୍ରୀ ପାଲଟା ଦାବି ରଖିଛନ୍ତି କେନ୍ଦ୍ରମନ୍ତ୍ରୀ। ଶ୍ରୀ ଓରାମ ପ୍ରଶ୍ନ କରିଛନ୍ତି, ପୋଲାଭରମ ପ୍ରକଳ୍ପର ମଞ୍ଜୁରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ କିମ୍ବା ପୂର୍ବତନ ଜଳସଂପଦ ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ସମୟରେ ହୋଇଥିବା ସତ୍ୟ କି?
ଜନଜାତିଙ୍କ ସ୍ୱାର୍ଥ ପାଇଁ ସେ ସବୁବେଳେ ଲଢେଇ କରି ଆସିଛନ୍ତି ଓ ଜାରି ରଖିବେ ବୋଲି ସୂଚାଇ ଶ୍ରୀ ଓରାମ କହିଛନ୍ତି, ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ୱାର୍ଥ ରକ୍ଷାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କାରଣରୁ ଏ ପ୍ରକାର ସମସ୍ୟା ରାଜ୍ୟରେ ଉପୁଜିଛି। ତେବେ ରାଜ୍ୟ ସରକାରଙ୍କ ପାଖରେ ଯଦି ତଥ୍ୟ ରହିଛି, ତେବେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରକୁ ପ୍ରେରଣ କରିବା ଦରକାର।

 

ସମ୍ବନ୍ଧିତ ଖବର