ଗଠନ ହେଲା ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ
ୟୁଏଲ୍‌ସି ଓ ସିଏଲ୍‌ସି ଗଠନ କରିବାକୁ ନିର୍ଦେଶ
ଖୁବ୍‌ଶୀଘ୍ର ଆସିବ ‘ମୋ କଲେଜ’ ଆପ୍‌

Advertisment

ଭୁବନେଶ୍ବର : ‘ମୋ କଲେଜ’ରେ ସାମିଲ ହେବ ବିଶ୍ବବିଦ୍ୟାଳୟ। ‘ମୋ ବିଶ୍ବବିଦ୍ୟାଳୟ’ ଭଳି କୌଣସି ଅଲଗା ଢାଞ୍ଚା ରହିବ ନାହିଁ। ବରଂ ‘ମୋ କଲେଜ/ବିଶ୍ବବିଦ୍ୟାଳୟ’ ବୋଲି ସବୁଠି ଉଲ୍ଲେଖ କରାଯିବ। ‘ମୋ ସ୍କୁଲ’କୁ କ୍ରିୟାଶୀଳ କରିବା ପରେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୋ କଲେଜ’କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ତାହା କିଭଳି ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ(କଲେଜ) ଓ ବିଶ୍ବବିଦ୍ୟାଳୟରେ କାର୍ଯ୍ୟକ୍ଷମ ହୋଇପାରିବ ସେଥିପ୍ରତି ଗୁରୁତ୍ବାରୋପ କରାଯାଇଛି। ଇତି ମଧ୍ୟରେ ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକ ବିଭିନ୍ନ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କ ସହ ଏବିଷୟରେ ଆଲୋଚନା କରିଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକ ଆସନ୍ତା ୧୫ ଦିନ ମଧ୍ୟରେ ବିଶ୍ବବିଦ୍ୟାଳୟସ୍ତରୀୟ କମିଟି(ୟୁଏଲ୍‌ସି), କଲେଜସ୍ତରୀୟ କମିଟି(ସିଏଲ୍‌ସି) ଗଠନ କରିବାକୁ କୁହାଯାଇଛି।

ଇତିମଧ୍ୟରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଗତ ସପ୍ତାହରେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଆଲୁମିନିକୁ କ୍ରିୟାଶୀଳ କରିବାକୁ ନିର୍ଦେଶ ଦେଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶରେ ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରମୁଖ ଭୂମିକା ରହିଛି। ତେଣୁ ସେମାନଙ୍କୁ ଶିକ୍ଷାନୁଷ୍ଠାନ ସହ ଯୋଡ଼ିବା ଲାଗି ୨୦୧୯ ନଭେମ୍ବର ପହିଲାରେ ‘ମୋ କଲେଜ ଅଭିଯାନ’ର ଆରମ୍ଭ ହୋଇଥିଲା। ଏବେ ତାହାକୁ କ୍ରିୟାଶୀଳ କରାଯାଇଛି। ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ(ଏମ୍‌ସିଏପିଏସ୍‌) ଗଠନ କରାଯାଇଛି। ଯେଉଁଥିରେ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଅଧ୍ୟକ୍ଷ ଥିବା ବେଳେ ଉଚ୍ଚଶିକ୍ଷା ସଚିବ ଉପାଧ୍ୟକ୍ଷ, ମୋ କଲେଜ ଓଏସ୍‌ଡି ଶାନ୍ତନୁ ମହାନ୍ତି, ଅଫିସ୍‌ ମ୍ୟାନେଜର ହରିହର ବଡ଼ପଣ୍ଡା, ଅଫିସ୍‌ ଆସିଷ୍ଟାଣ୍ଟ ସୌମ୍ୟ ରଞ୍ଜନ ଉଦ୍‌ଗାତା, ମନୀଷା ଦାଶ, ପିପି ପ୍ରଧାନ ଏହାର ସଦସ୍ୟ ରହିଛନ୍ତି। ତୋଷାଳୀ ଭବନରେ ଏହା କାର୍ଯ୍ୟକ୍ଷମ ହେଉଛି। ତେଣୁ ଆପଣମାନେ ୟୁଏଲ୍‌ସି ଓ ସିଏଲ୍‌ସି ଗଠନରେ ପ୍ରାଥମିକତା ଦିଅନ୍ତୁ। ଏସମ୍ପର୍କିତ ତଥ୍ୟ ତୁରନ୍ତ ଏମ୍‌ସିଏପିଏସ୍‌କୁ ପ୍ରଦାନ କରନ୍ତୁ। ଏମ୍‌ସିଏପିଏସ୍‌ର ସଦସ୍ୟମାନେ ନିୟମିତ ଭାବେ ଶିକ୍ଷାନୁଷ୍ଠାନଗୁଡ଼ିକ ସହ ଯୋଗାଯୋଗରେ ରହିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଅନ୍ୟପକ୍ଷରେ ଏମ୍‌ସିଏପିଏସ୍‌ ଅଫିସ୍‌ରେ ବିଭିନ୍ନ ପଦ ପଦବିରେ ନିଯୁକ୍ତି ଦିଆଯାଇଛି। ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ସରକାରୀ ସଂଯୋଜକ ତଥା ଓଏସ୍‌ଡି, କଲେଜ ସଂଯୋଜକ, ବିତ୍ତ ଅଧିକାରୀ, ପିଏ ଟୁ ଚେୟାରପର୍ସନ, କନ୍‌ସଲ୍‌ଟାଣ୍ଟ, ସୋସିଆଲ୍‌ ମିଡିଆ ବିଶେଷଜ୍ଞ, ଅଫିସ୍‌ ମ୍ୟାନେଜର, ଅଫିସ୍‌ ଆସିଷ୍ଟାଣ୍ଟ, ପିଅନ, ସୁରକ୍ଷା କର୍ମୀ ଓ ଝାଡ଼ୁଦାର ନିଯୁକ୍ତ ହୋଇଛନ୍ତି। ସେହିପରି ‘ମୋ ସ୍କୁଲ’ ଆପ୍‌ ପରି ମୋ କଲେଜ ଅଭିଯାନ ପାଇଁ ଏକ ସ୍ବତନ୍ତ୍ର ଆପ୍‌ ବିକାଶ କରାଯିବ। ଯେଉଁ ସଂସ୍ଥା ମୋ ସ୍କୁଲ ଆପ୍‌ କରିଛି ସେହି ମୋ କଲେଜ ଆପ୍‌ ପ୍ରସ୍ତୁତ କରିବ ବୋଲି ସୂଚନା ମିଳିଛି।

ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ଯେ ଦେଶ ବିଦେଶରେ ରହୁଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ସହ ଯୋଡ଼ିବା ଲାଗି ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ ପକ୍ଷରୁ ଖୁବ୍‌ଶୀଘ୍ର ଏକ ଆଲୁମିନି ୱେବସାଇଟ୍‌ ପ୍ରସ୍ତୁତ କରାଯାଉଛି। ଏହା ଆସନ୍ତା ମାର୍ଚ୍ଚ ମାସରେ ବିଧିବଦ୍ଧ ଉନ୍ମୋଚନ ହେବ। ଏହି ୱେବସାଇଟ୍‌ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ନିଜ ଶିକ୍ଷାନୁଷ୍ଠାନ ସହ ନିଜେ ନିଜେ ପଞ୍ଜୀକୃତ ହୋଇପାରିବେ। ସେମାନେ ଶିକ୍ଷାନୁଷ୍ଠାନକୁ ସହଯୋଗ କରିବା ସହ ଭାବଗତ ଭାବେ ଯୋଡ଼ି ହୋଇରହିବେ। ସେମାନଙ୍କ ଦ୍ବାରା ହିଁ ଶିକ୍ଷାନୁଷ୍ଠାନର ବିକାଶ ହୋଇପାରିବ। ଆମେରିକା, ଇଂଲଣ୍ଡ ପରି ଦେଶରେ ବିଶ୍ବବିଦ୍ୟାଳୟ ବିକାଶରେ ପୁରାତନ ଛାତ୍ରଛାତ୍ରୀ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ତେଣୁ ଏଠାକାର ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିବା ଦରକାର। ମୋ କଲେଜ ସହ ବିଶ୍ବବିଦ୍ୟାଳୟଗୁଡ଼ିକୁ ସାମିଲ କରାଯିବ। ମୋ କଲେଜ ପାଖରେ ସ୍ଲାସ ଦିଆଯାଇ ବିଶ୍ବବିଦ୍ୟାଳୟ ଲେଖା‌ଯିବ।