ନୀଳଗିରି ବିଧାୟକଙ୍କୁ କରୋନା ପରେ ଆତଙ୍କ: ୫ ଶହ ଲୋକଙ୍କର ହେବ ସ୍ବାବ୍‌ ଟେଷ୍ଟ, ସଙ୍ଗରୋଧରେ ଗଲେ ବହୁ ନେତା

ମିଳୁନି ସଂକ୍ରମଣର ଉତ୍ସ, ଅଡ଼ୁଆରେ ପ୍ରଶାସନ, ନୀଳଗିରିରୁ ଭୁବନେଶ୍ବର ସବୁଆଡ଼େ ବୁଲୁଥିଲେ

ବାଲେଶ୍ବର: ନୀଳଗିରି ବିଧାୟକ ସୁକାନ୍ତ ନାୟକ କେମିତି ହେଲେ ସଂକ୍ରମିତ? କିଏ କିଏ ଆଉ ସଂକ୍ରମିତ ହୋଇଥାଇପାରନ୍ତି? ଏଥିପାଇଁ ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଛି ସତ, ସଂସ୍ପର୍ଶ‌ରେ ଆସିଥିବା ତାଲିକା ଖୋଜୁଖୋଜୁ ଏକପ୍ରକାର ବାୟା ହୋଇଯାଇଛନ୍ତି। କାରଣ ବିଧାୟକ ବିଭିନ୍ନ ସ୍ଥାନକୁ ଯାଇଛନ୍ତି। କେଉଁ ସବୁ ସ୍ଥାନକୁ ଯାଇଛନ୍ତି ଏବଂ ସେଠାରେ କାହା କାହା ସଂସ୍ପର୍ଶରେ ଆସିଛନ୍ତି, ତାହାକୁ ଠାବ କରିବା ବି ସହଜ ନୁହେଁ। ଏହା ମଧ୍ୟ ପ୍ରଶାସନ ନିକଟରେ ଆହ୍ବାନ ସୃଷ୍ଟି କରିଛି। ତେବେ, ୫ ଦିନ ମଧ୍ୟରେ ପାଖାପାଖି ୫୦୦ ଲୋକଙ୍କ ସ୍ବାବ୍‌ ପରୀକ୍ଷା ହେବ ବୋଲି ପ୍ରଶାସନ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ, ବିଧାୟକ ଶ୍ରୀ ନାୟକଙ୍କୁ ଆଜି ବାଲେଶ୍ବର କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।

ବିଧାୟକ ଶ୍ରୀ ନାୟକ କରୋନା ସଂକ୍ରମିତ ବୋଲି ଜଣାପଡ଼ିବା ପରେ ବାଳେଶ୍ବର ପ୍ରଶାସନ ପକ୍ଷରୁ ତତ୍‌ପରତା ପ୍ରକାଶ ପାଇଛି। ଆଜି ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବାଲେଶ୍ବର ଓ ନୀଳଗିରିରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି। ଏହାଛଡ଼ା ନୀଳଗିରି ସ୍ଥିତ ଶ୍ରୀ ନାୟକଙ୍କ କାର୍ଯ୍ୟାଳୟକୁ ସାନିଟାଇଜ କରାଯିବା ସହ ସେଠାରୁ ଓ ତାଙ୍କ ପରିବାର ଲୋକଙ୍କଠାରୁ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯେହେତୁ ବିଧାୟକ ଶ୍ରୀ ନାୟକ ସକ୍ରିୟ ରାଜନୀତିରେ ରହିଛନ୍ତି, ନିକଟରେ ଭୁବନେଶ୍ବର ଯାଇ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗଦେଇଥିଲେ। ସେଠାରେ ତାଙ୍କ ସହ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅତନୁ ସବ୍ୟସାଚୀ ନାୟକ, ଦେବୀ ମିଶ୍ର, ପ୍ରୀତିରଂଜନ ଘଡ଼େଇଙ୍କ ସମେତ ୮ଜଣ ବିଧାୟକ ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ଗତ ୩ ତାରିଖରେ ବାଲେଶ୍ବର ସଦରର ଦିବଂଗତ ବିଧାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା‌ରେ ସାମିଲ ହୋଇଥିଲେ। ସେଠାରେ ସେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ ନାଏକ, ଉପନେତା ବିଷ୍ଣୁ ସେଠୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବଡ଼ସାହି ବିଧାୟକ ସନାତନ ବିଜୁଳୀଙ୍କ ସମେତ ବିଭିନ୍ନ ଦଳର ବରିଷ୍ଠ ନେତୃବୃନ୍ଦ ଏବଂ ଦିବଂଗତ ବିଧାୟକଙ୍କ ପରିବାର ଲୋକଙ୍କ ସହ ବି ମିଶିଥିଲେ। ଏହାବ୍ୟତୀତ ବିଧାୟକ ଶ୍ରୀ ନାୟକ ନିଜ ନିର୍ବାଚନମଣ୍ଡଳୀ ତଥା ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ସଭା, ଦଳୀୟ ବୈଠକ, ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ଅନେକ ରାଜନେତା, ପ୍ରଶାସନିକ ଅଧିକାରୀ, ଦଳୀୟ କର୍ମୀ ଓ ଜନସାଧାରଣଙ୍କ ସଂସ୍ପର୍ଶରେ ଆସିସାରିଛନ୍ତି। ତାଙ୍କର ପୂର୍ବରୁ ଶ୍ବାସଜନିତ ରୋଗ ରହିଥିଲେ ବି ନିକଟରେ କରୋନା ସନ୍ଦେହରେ ସ୍ବାବ୍‌ ନମୁନା‌ ପରୀକ୍ଷା କରାଇ ନେଗେଟିଭ୍‌ ରିପୋର୍ଟ ପାଇଥିଲେ। ଗତ ୪ ତାରିଖରେ ସାମାନ୍ୟ ଥଣ୍ଡା ଓ ନାକ ବନ୍ଦ ହେବାରୁ ସନ୍ଦେହରେ ଶ୍ରୀ ନାୟକ ପୁଣିଥରେ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ଦେଇଥିବାବେଳେ ଗତକାଲି ପଜିଟିଭ୍‌ ରିପୋର୍ଟ ଆସିଥିଲା।

ଶ୍ରୀ ନାୟକଙ୍କ ଠାରେ କରୋନା ପଜିଟିଭ ବାହାରିବା ପରେ ଅନେକ ରାଜନେତା, ପ୍ରଶାସନିକ ଅଧିକାରୀ ଓ ଦଳୀୟ କର୍ମୀମାନେ ସ୍ବାବ୍‌ ନମୁନା ପରୀକ୍ଷା କରିବା ଓ କ୍ବା‌ରାଣ୍ଟିନ୍‌ରେ ରହିଛନ୍ତି। ଅନ୍ୟପକ୍ଷରେ ଆଜି ପ୍ରଥମ ପର୍ଯ୍ୟାୟରେ ବିଧାୟକ ଶ୍ରୀ ନାୟକଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇ ନୀଳଗିରିସ୍ଥିତ ତାଙ୍କ ଦଳୀୟ କାର୍ଯ୍ୟାଳୟ ଏବଂ ତାଙ୍କ ପରିବାରର ୩୦ ଜଣଙ୍କ ଠାରୁ ସ୍ବାବ ନମୁନା ସଂଗ୍ରହ କରାଯାଇ ସେମାନଙ୍କ କ୍ବାରାଣ୍ଟିନ୍‌ରେ ରହିବାକୁ କୁହାଯାଇଛି। ‌ପାଞ୍ଚଦିନ ପର୍ଯ୍ୟନ୍ତ ଏହି କଣ୍ଟାକ୍ଟ ଟ୍ରେସିଂ ଜାରି ରହିବା ସହିତ ଶ୍ରୀ ନାୟକଙ୍କ ସହ ମିଶିଥିବା ରାଜନେତା, ପ୍ରଶାସନିକ ଅଧିକାରୀ ଏବଂ ଜନସାଧାରଣଙ୍କ ଠାରୁ ସ୍ବାବ ନମୁନା‌ କରାଯିବ। ୫ ଦିନରେ ପାଖାପାଖି ୫ଶହ ସ୍ବାବ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡାକ୍ତର ଦୁଲାଲସେନ ଜଗଦ୍ଦେବ କହିଛନ୍ତି।

ସମ୍ବନ୍ଧିତ ଖବର