ଜୟପୁର: ରାଜ୍ୟର ଚତୁର୍ଥ ଏନସିସି( ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ)ର ଚତୁର୍ଥ ଗୃପ ମୁଖ୍ୟାଳୟ ଦୀର୍ଘ ୫୮ବର୍ଷ ପରେ ଗତ ୨୦୨୩ମସିହା ମାର୍ଚ୍ଚ ୨୦ତାରିଖ ଦିନ ଲୋକାର୍ପିତ ହୋଇଥିଲା। ଏନସିସି ପକ୍ଷରୁ ଏହି କାର୍ଯ୍ୟାଳୟର ସୁପରିଚାଳନା ପାଇଁ ସମସ୍ତ ଅଧିକାରୀ ମାନଙ୍କୁ ନିଯୁକ୍ତି ଦିଆସରିଛି। ତେବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ମୁଖ୍ୟାଳୟକୁ ପରିଚାଳନା ପାଇଁ ଅମଲା(କିରାଣୀ)ଙ୍କ ନିଯୁକ୍ତି କରି ନାହିଁ। ଯାହା ଫଳରେ ଏଠାରେ ଅଧିକାରୀ ଓ ଗୃପ ମୁଖ୍ୟାଳୟ ରହିଥିଲେ ହେଁ ଯେଉଁ ଉଦ୍ଦେଶ୍ୟରେ ଏହାକୁ ଏଠାରେ ସ୍ଥାପନ କରାଯାଇଥିଲା ତାହା ବର୍ଷକ ହେବ କାର୍ଯ୍ୟକାରୀ ହୋଇ ପାରୁନି। ଏହି ଖୋଲିକି ନ ଖୋଲିବା ସମାନ ଅବସ୍ଥାରେ ରହିଛି। ପୂର୍ବ ଭଳି ବର୍ଷକ ହେବ ବ୍ରହ୍ମପୁର ଗୃପ ମୁଖ୍ୟାଳୟ ଅଧିନରେ ହିଁ ଅବିଭକ୍ତ କୋରାପୁଟ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାରେ ଥିବା ଏନସିସି ବାଟଲିଅନ୍ ଗୁଡିକ ରହି ଆସିଛି। ଏପରିକି ଏହି କାର୍ଯ୍ୟାଳୟ ପରିସରରେ ଚାଳିଥିବା (୧) ଇନଫେଣ୍ଟରୀ ଓ ବାଟଲିଅନ ମଧ୍ୟ ବ୍ରହ୍ମପୁର ଗୃପ ମୁଖ୍ୟାଳୟ ଅଧିନରେ ଚାଳିଛି।
ପ୍ରକାଶଯୋଗ୍ୟ, ରାଜ୍ୟରେ ୧୯୪୮ମସିହାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଏନସିସି ଆରମ୍ଭ ହୋଇଥିଲା। ୧୯୬୫ମସିହାରେ କଟକ, ବ୍ରହ୍ମପୁର ଓ ସମ୍ବଲପୁର ଏଭଳି ତିନୋଟି ସ୍ଥାନରେ ଗୃପ ମୁଖ୍ୟାଳୟ ରହିଥିଲା। ଦୀର୍ଘ ୫୮ବର୍ଷ ପରେ ରାଜ୍ୟର ଚତୁର୍ଥ ଓ ଦେଶର ୯୧ତମ ଗୃପ ମୁଖ୍ୟାଳୟ ଜୟପୁର ଠାରେ ବର୍ଷକ ତଳେ କାର୍ଯ୍ୟାଳୟ ଲୋକାର୍ପଣ କରାଯାଇଥିଲା। ଲୋକାର୍ପଣ ପରେ ଜୟପୁରରେ ଏନସିସି ଏକାଡେମୀ ଖୋଲିବା ଆଶା ବି ଉଜ୍ଜିବିତ୍ ହୋଇଥିଲା। ଜୟପୁରରେ ଗୃପ ମୁଖ୍ୟାଳୟ ସହ ଏନସିସି ଏକାଡେମୀ ଆରମ୍ଭ ହେବା ଦ୍ବାରା ଅବିଭକ୍ତ କୋରାପୁଟ ଜିଲ୍ଲାର ଅଧିକାରୁ ଅଧିକା ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ଏନସିସିରେ ସାମିଲ ହେବେ ବୋଲି ଆଶା ଦେଖାଦେଇଥିଲା। ଉତ୍ତମ ପ୍ରଶିକ୍ଷଣ ଓ ଅଧିକା ଛାତ୍ରଛାତ୍ରୀ କ୍ୟାଡେଟ୍ ହେବା ଦ୍ବାରା ଦେଶ ପ୍ରେମ ଅଧିକା ଜାଗ୍ରତ ହେବା ସହ ସ୍ଥଳ, ବାୟୁ ଓ ନୈସେନାର ବିଭିନ୍ନ ପଦ ଓ ପଦବୀରେ ନିଯୁକ୍ତି ପାଇବା ସହଜ ସାଧ୍ୟ ହୋଇ ପାରିବ ବୋଲି ଏନସିସି ଆଲୁମିନି, କ୍ୟାଡେଟ୍ ଓ ଅଭିଭାବକ, ଜିଲ୍ଲା ପ୍ରଶାସନ, ବୁଦ୍ଧିଜୀବୀ ମାନେ ଆଶା ପ୍ରକଟ କରିଥିଲେ। ତେବେ ଗୃପ ମୁଖ୍ୟାଳୟ ବର୍ଷକ ପରେ ବି ସଂପୁର୍ଣ୍ଣ ରୁପେ କାର୍ଯ୍ୟକାରୀ ହୋଇ ପାରିନଥିବା ବେଳେ ଏକାଡେମୀ ଆଉ କେବେ ହେବ ତାହାକୁ ନେଇ ଯେଉଁ ଆଶା ଦେଖାଦେଇଥିଲା ତାହା ମଉଳି ଯାଇଛି। ରାଜ୍ୟ ସରକାର ସୁନ୍ଦର ଭିତ୍ତିଭୂମି ଯୋଗାଇଲେ କିନ୍ତୁ ଅଳ୍ପ କିଛି ଅମଲାଙ୍କୁ ନିଯୁକ୍ତି ଦେଇଥିଲେ ସଂପୁର୍ଣ୍ଣ ରୁପେ ଗୃଫ ହେଡକ୍ବାର୍ଟର କାର୍ଯ୍ୟକ୍ଷମ ହୋଇ ପାରିଥାନ୍ତା ବୋଲି କହିଛନ୍ତି ଏନସିସି ଆଲୁମିନି ଓଡିଶା ଡାଇରେକ୍ଟରେଟ୍ ସଭ୍ୟ ନିଶାନ୍ ପଟ୍ଟନାୟକ । ଗୃପ ହେଡକ୍ବାର୍ଟର ସଂପୁର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଏବେ ରହିଥିବା ଆର୍ମିୱିଙ୍ଗ ସହ ନାଭାଲ ଓ ଏୟାର ୱିଙ୍ଗ ବି ଆସି ପାରିବ। ଯାହାକି ଅଭିବକ୍ତ କୋରାପୁଟ ଜିଲ୍ଲାର ଅନୁସୂଚିତ ଜନଜାତି, ଅନୁସୂଚିତଜାତି, ପଛୁଆବର୍ଗ ଓଗରିବ ପିଲା ବିଶେଷ ଭାବେ ଉପକୃତ ହୋଇପାରିଥାନ୍ତେ ବୋଲି ଶ୍ରୀ ପଟ୍ଟନାୟକ ଓ ଆଲୁମିନି ଦୀପକ ଷଡଙ୍ଗୀ କହିଛନ୍ତି।