ସୁନ୍ଦରଗଡ଼: ସୁନ୍ଦରଗଡ଼ ରଙ୍ଗାଢିପାର ୧୦ ବର୍ଷର ଝିଅ ଆରିକା ଫାତିମାଙ୍କ ବୃକକ୍ ପ୍ରତିରୋପଣ ହେବ। ‘ସମ୍ବାଦ’ ସମେତ ବିଭିନ୍ନ ଗଣମାଧ୍ୟମରେ ଆରିକାଙ୍କ ସମ୍ବେଦନଶୀଳ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲିଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି। ଇତିମଧ୍ୟରେ ଶିଶୁଟିକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରି ଚିକିତ୍ସା ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି।
ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦପ୍ତର ସହ ଯୋଗାଯୋଗ କରିବା ପରେ କେଉଁ ପଞ୍ଜିକୃତ ଚିକିତ୍ସାଳୟରେ ଶିଶୁଟିର ସଫଳ ବୃକକ୍ ପ୍ରତିରୋପଣ କରାଯାଇପାରିବ ତାହା ଅନୁଧ୍ୟାନ କରାଯିବ। ଏହା ପରେ ଦାତାଙ୍କ ସନ୍ଧାନ ତଥା ଆବଶ୍ୟକ ପରୀକ୍ଷାନିରୀକ୍ଷା ପରେ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରାଯିବ। ଏହା ଏକ ସମୟ ସାପେକ୍ଷ ଜଟିଳ ଅସ୍ତ୍ରୋପଚାର ପଦ୍ଧତି ହୋଇଥିବାରୁ ଶିଶୁଟିର ଡାଏଲିସିସ ପ୍ରକ୍ରିୟା ଏବଂ ସମୁଚିତ ଚିକିତ୍ସା ଜିଲ୍ଲାପାଳଙ୍କ ନିରୀକ୍ଷଣରେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ପୂର୍ବବତ ଚାଲୁରହିବ ବୋଲି ଡ. ମିଶ୍ର କହିଛନ୍ତି। ଆରିକାଙ୍କ ଖବର ପ୍ରକାଶ ପରେ ଜିଲ୍ଲାପାଳ ‘ସମ୍ବାଦ’ର ଖବରକୁ ଟ୍ୟାଗ୍ କରି ଜିଲ୍ଲା ମୁଖ୍ୟଚିକିତ୍ସଧିକାରୀଙ୍କୁ ଆବଶ୍ୟକ ଜରୁରୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଝିଅ ଆରିକା ଓ ତାଙ୍କ ବାପା ସଇଦ ମୋଇନୁଲ୍ଲାଙ୍କୁ ଚିକିତ୍ସାଜନିତ ନଥିପତ୍ର ଆଣିବାକୁ ଅନୁରୋଧ କରାଯାଇଥିଲା। ସେ ସମସ୍ତ ଡାକ୍ତରୀ କାଗଜାତ ଧରି ଆସିବା ପରେ ରୋଗର ସ୍ଥିତି ସମ୍ପର୍କରେ ଜାଣି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।
ସମାଜସେବୀ ସିଦ୍ଧାନ୍ତ ପଣ୍ଡା ଆଲୋଚନା ବେଳେ ଉପସ୍ଥିତ ଥିଲେ ଏବଂ ରୋଗୀର ଚିକିତ୍ସା କାର୍ଯ୍ୟକ୍ରମରେ ସହଯୋଗିତାର ହାତ ବଢେ଼ଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଜିଲ୍ଲା ପ୍ରଶସନ ସଦାସର୍ବଦା ଚିକିତ୍ସା କ୍ଷେତ୍ରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଅସହାୟ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେଇ ଆସୁଥିବା ସ୍ବାସ୍ଥ୍ୟ ବିଭାଗ ପ୍ରକାଶ କରିଛି। ରଙ୍ଗାଢିପାର ସଇଦ ମୋଇନୁଲ୍ଲା ଓ ନାଜିଆଙ୍କ ବଡ଼ ଝିଅ ଆରିକାଙ୍କ ୩ ବର୍ଷ ତଳୁ ଦୁଇଟି ଯାକ ବୃକକ ଖରାପ ହୋଇଯାଇଛି। ସେ ଦିନଠାରୁ ସେ ନିୟମିତ ଡାଏଲିସିସ୍ ଓ ରକ୍ତରେ ବଞ୍ଚିଛି। ପରୀ ଭଳି ଖୁସିରେ ଡେଇଁ ବୁଲୁଥିବା ଝିଅ ମାରାତ୍ମକ ବୃକକ୍ ରୋଗରେ ଆକ୍ରାନ୍ତ ହେବା ମୋଇନ ଓ ନାଜିଆଙ୍କୁ ମ୍ରିୟମାଣ କରିଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ ସେମାନଙ୍କ ପରିବାରରେ ଖୁସି ଆଣିଦେବ ବୋଲି କୁହାଯାଉଛି।