ରାଇରଙ୍ଗପୁର: ଚଳିତ ବର୍ଷ ମହାଆଡମ୍ବର ସହିତ ରଥଯାତ୍ରା ପାଳିତ ହୋଇଥିଲା। ଏହି ଅବସରରେ ମୀନାବଜାରରେ ବିଭିନ୍ନ ରକମର ଦୋଳି, ଛୋଟ ଛୁଆରୁ ବଡ ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳ, ଡ୍ରାଗନ୍ ଟ୍ରେନ, ଟୋରାଟୋରା, ଦହିବରା, ଝାଲମୁଢି, ଦହିବରା, ଫାଷ୍ଟଫୁଡ୍, ଆଚାର, ମଥୁରା କେକ୍, ଆଇସ୍କ୍ରିମ୍, ଲଙ୍କା ଚପ୍ ସମେତ ବିଭିନ୍ନ ସ୍ୱାଦିଷ୍ଟ ଚଟପଟି ଖାଦ୍ୟ ଏବଂ ବିଭିନ୍ନ ରାଜ୍ୟରୁ ଆସିଥିବା ଶତାଧିକ ବ୍ୟବସାୟୀ ବହୁ ସାମଗ୍ରୀ ବିକ୍ରି କଲେ ଗ୍ରାହକମାନେ ମଧ୍ୟ ମନଭରି ବୁଲିଲେ, ବିଭିନ୍ନ ସାମଗ୍ରୀ କିଣାକିଣି କରିବା ସହିତ ଖାଇଲେ ମଧ୍ୟ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ଲାଷ୍ଟିକ ବ୍ୟାନ୍ କରିଥିଲେ ମଧ୍ୟ ୯୫% ଦୋକାନୀ ଗ୍ରାହକ ମାନଙ୍କୁ ପ୍ଲାଷ୍ଟିକରେ ଜିନିଷ ଦେଇଥାନ୍ତି। ଗ୍ରାହକମାନେ ମଧ୍ୟ ତାକୁ ଆନନ୍ଦ ସହକାରେ ଗ୍ରହଣ କରିଥାନ୍ତି।
ତେବେ ଚଳିତ ବର୍ଷ ରାଇରଙ୍ଗପୁରର ମୀନାବଜାର ବ୍ଲକ୍ ପଡିଆ (ମହାବିଦ୍ୟାଳୟର ଖେଳ ପଡିଆ)ଠାରେ ହୋଇଥିଲା। ଚଳିତ ବର୍ଷ ଅଧିକାଂଶ ଦିନ ବର୍ଷା ହୋଇଥିଲେ ମଧ୍ୟ ପ୍ରତ୍ୟେକଦିନ ଲକ୍ଷ୍ୟାଧିକ ଲୋକଙ୍କ ଭିଡ ଜମୁଥିଲା। ଯାହା ଫଳରେ ଲୋକେ ମିନାବଜାର ପଡିଆ ମଧ୍ୟରେ ଏବଂ ରାଇରଙ୍ଗପୁର-ଗୋରୁମହିଷାଣୀ ମୂଖ୍ୟରାସ୍ତାରେ ପଲିଥିନ୍, ଅଇଁଠା ଖୋଲି, ଠୁଙ୍ଗା, ପତ୍ର ପ୍ରଭୃତି ପକାଇଥିଲେ। ଫଳରେ ସେହି ଅଂଚଳ ଅଳିଆ ଆବର୍ଜନାରେ ପରିବେଶ ଦୂଷିତ କରୁଛି ଏବଂ ଶୁଖିଲା ଅଇଁଠା ଖୋଲିପତ୍ର, ପଲିଥିନ୍ ଏଣେ ତେଣେ ଉଡୁଥିବାରୁ ରାସ୍ତା, ଘାଟ ମଧ୍ୟ ଦୂଷିତ ହେଉଛି। ରଥଯାତ୍ରା ସରିବାର ମାସେରୁ ଅଧିକ ହେଲାଣି ଏବଂ ମୀନାବଜାର ଉଠିବାର ମଧ୍ୟ ୧୫ ଦିନରୁ ଅଧିକ ହେଲାଣି କିନ୍ତୁ ଉକ୍ତ ଅଂଚଳ ସଫାସୁତୁରା ହୋଇନଥିବାରୁ ପରିବେଶ ଦୂଷିତ ହୋଇପଡିଛି। ଏହାବ୍ୟତୀତ ଉକ୍ତ ପଡିଆକୁ ଦୋକାନ ପାଇଁ ଖୁଣ୍ଟ ପୋତି ଥିବାରୁ ବଡ଼ବଡ଼ ଖାଳ ସୃଷ୍ଟି ହୋଇଛି । ସମ୍ପୂର୍ଣ ପଡିଆ ବଡ଼ବଡ଼ ଖାଲ ଯୋଗୁଁ ଉକ୍ତ ପଡିଆରେ ସକାଳ ପ୍ରାନ୍ତଭ୍ରମଣ ଓ ଖେଳିବାକୁ ଆସୁଥିବା ବ୍ୟକ୍ତିମାନେ ମଧ୍ୟ ଖେଳି ପାରୁନାହାଁନ୍ତି। ଏଣୁ ଯଥାଶିଘ୍ର ଉକ୍ତ ପଡିଆକୁ ସଫାସୁତୁରା କରିବା ସହିତ ଖାଲ ଗୁଡିକୁ ସମତୂଲ କରାଯାଉ ବୋଲି ଅଂଚଳବାସୀ ଦାବି କରିଛନ୍ତି।