ଜୟପୁର: ଦୁଇ ଦିନ ତଳେ ଆତ୍ମହତ୍ୟା କରିଥିବା ଜଣେ ନାବାଳିକାଙ୍କ ଶବ ଆଣିବାକୁ ଗାଁକୁ ଯାଇପାରିଲାନି ଶବବାହକ ଗାଡ଼ି। କାଦୁଅ ଭର୍ତ୍ତି ରାସ୍ତାରେ ଫସିଯିବାରୁ ଘୁଞ୍ଚିଲାନି। ଏମିତି ସ୍ଥିତିରେ ତଦନ୍ତ ପାଇଁ ଯାଇଥିବା ଜୟପୁର ସଦର ପୁଲିସ ଏବଂ ପ୍ରମାଣ ଖୋଜିବାକୁ ନବରଙ୍ଗପୁରରୁ ଆସିଥିବା ସାଇଣ୍ଟିଫିକ୍ ଟିମ୍ ଶବ ବୋହିଛନ୍ତି। ଜୟପୁର ବ୍ଲକ୍ ବାରିଣୀପୁଟ ପଞ୍ଚାୟତର ଏହି ଘଟଣା ପୁଲିସର ଦାୟିତ୍ବବୋଧ, ସାମାଜିକ ପ୍ରତିବଦ୍ଧତାକୁ ସାମ୍ନାକୁ ଆଣିଛି।
ଉପରୋକ୍ତ ପଞ୍ଚାୟତ ଅନ୍ତର୍ଗତ ଲାଠିଗୁଡ଼ା ଗାଁର କର୍ପୁର ମାଳି ପ୍ରାୟ ୬ମାସ ତଳେ କାକିରିଗୁମ୍ମା ନିକଟସ୍ଥ ଡେଙ୍ଗସିଲଗୁଡା ଗ୍ରାମର ନାବାଳିକା ରଜନୀ ଦିଶାରୀ (୧୭)ଙ୍କୁ ପ୍ରେମ ବିବାହ କରିଥିଲେ। ଏହାପରେ ଦୁଇ ମାସ ସେମାନେ ଜୟପୁର ସହରରେ ଘରଭଡ଼ା ନେଇ ରହିଥିଲେ। ୪ମାସ ତଳେ ଲାଠିଗୁଡ଼ା ଗାଁରେ ରହିବାକୁ ଯାଇଥିଲେ। ତେବେ ୨୭ତାରିଖ ରାତିରେ ନାବାଳିକା ଜଣକ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି।
କିନ୍ତୁ ନାବାଳିକାଙ୍କ ବାପା ସୀତା ଦିଶାରୀ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଜୟପୁର ସଦର ଥାନାରେ ଏତଲା ଦେଇଥିଲେ। ଆଜି ସକାଳେ ସଦର ଥାନା ଅଧିକାରୀ ଈଶ୍ବର ତାଣ୍ଡି, ବାରିଣୀପୁଟ ଫାଣ୍ଡି ଏଏସ୍ଆଇ ଗଣେଶ ପ୍ରସାଦ ବେହେରା, ଏସ୍ଆଇ ଗୌରବ ଦାଶ, ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ମନୋରଞ୍ଜନ ସୁନା ଓ ନବରଙ୍ଗପୁରରୁ ଆସିଥିବା ସାଇଣ୍ଟିଫିକ୍ ଟିମ୍ ଗାଁକୁ ଯାଇଥିଲେ। ଶବ ତଳକୁ ଓହ୍ଲାଇବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପଞ୍ଚନାମା କରାଯାଇଥିଲା। ଏହାପରେ ଶବ ବ୍ୟବଚ୍ଛେଦ କରିବାକୁ କହିବାରୁ ପରିବାର ଲୋକ କୌଣସି କଥା ଶୁଣି ନଥିଲେ। ଏପରିକି ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହ କର୍ପୁରକୁ ମାରପିଟ୍ ମଧ୍ୟ କରିଥିଲେ। ପୁଲିସ ବୁଝାସୁଝା କରିବାରୁ ଲୋକେ ଶାନ୍ତ ପଡ଼ିଥିଲେ।
ଅନ୍ୟପକ୍ଷରେ ଗାଁକୁ ପକ୍କା ରାସ୍ତା ନଥିବା ବେଳେ ପ୍ରାୟ ୩କିଲୋମିଟର ଦୂରରେ କାଦୁଅରେ ଫସିଥିଲା ଶବବାହକ ଗାଡ଼ି। ଏମିତି ସ୍ଥିତିରେ କେହି ସହଯୋଗ ନକରିବାରୁ ଶବବାହକ ଗାଡ଼ିରୁ ଷ୍ଟ୍ରେଚର ଆଣି ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଶବ ବୋହିଥିଲେ। ବହୁ କଷ୍ଟରେ ୩କିଲୋମିଟର ଆଣିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଜୟପୁର ଅଣାଯାଇଥିଲା। ଏସ୍ପିଙ୍କ ନିର୍ଦ୍ଦେଶରେ ଡିଏସ୍ପି ଗୁଣନିଧି ମଲ୍ଲିକ ଘଟଣାର ତଦନ୍ତ କରୁଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ, ଅନୁସୂଚିତ ଜାତି ଓ ଜନଜାତି ସହ ପକ୍ସୋ ଆଇନରେ ମାମଲା ରୁଜୁ କରି ପୁଲିସ କୋର୍ଟ ଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/56465fs465fsfhfhhf.jpg)