ସୁସ୍ଥ ହେବାପରେ ସହାୟତା ରାଶି ଫେରାଉଛନ୍ତି ଯୁବକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍‌ ବଡ଼ନଈ ପଞ୍ଚାୟତ ଗମ୍ଭାରିଆ ଗାଁର ସୁନାସିନ୍ଦୁର ମହାନ୍ତ ଅସୁସ୍ଥ ସମୟରେ ସୋସିଆଲ୍‌ ମିଡିଆରେ ସହଯୋଗ ମାଗି ଯେତିକି ଅର୍ଥ ପାଇଥିଲେ, ଏବେ ସୁସ୍ଥ ହେବା ପରେ ସେହି ଅର୍ଥକୁ ସଂପୃକ୍ତ ବ୍ୟକ୍ତିବିଶେଷକୁ ଫେରାଇ ବେଶ୍‌ ପ୍ରଶଂସା ସାଉଣ୍ଟୁଛନ୍ତି। ସୂଚନା ମୁତାବକ, ୨୮ ବର୍ଷୀୟ ସୁନାସିନ୍ଦୁର ଏକ ଖଣି ଠିକାଦାରଙ୍କ ପାଖରେ କାମ କରୁଥିଲେ। ଏହି ସମୟରେ ତାଙ୍କର ‘ଲିଗାମେଣ୍ଟ୍‌’ ସମସ୍ୟା ଦେଖାଦେଇଥିଲା। ସୁସ୍ଥ ହେବା ପାଇଁ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଆବଶ୍ୟକ ଥିଲା। ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା। ଲିଗାମେଣ୍ଟ ଅପରେସନ ବେଳେ ନିଜର ସଞ୍ଚିତ ଅର୍ଥ ସହିତ ନିଜ ଭାଇ ଏବଂ ବନ୍ଧୁବାନ୍ଧବଙ୍କ ଠାରୁ ଅର୍ଥ ନେଇ ଭଲ ହୋଇଥିଲେ।

ଏହାପରେ ହଠାତ୍‌ ତାଙ୍କର ‘ଆପେଣ୍ଡିସାଇଟ୍‌’ ବାହାରିଥିଲା। ସେ କଟକର ଏକ ନର୍ସିଂ ହୋମରେ ଭର୍ତ୍ତି ହୋଇଥିଲେ। ଅସ୍ତ୍ରୋପଚାର ପାଇଁ ତାଙ୍କ ପାଖରେ ଟଙ୍କାଟିଏ ବି ନ ଥିଲା। ସମାଜସେବୀ ସଂଜୀବ କୁମାର ସାହୁଙ୍କ ସହାୟତା ନେଇ ନିଜର ଅ‌ପରେସନ୍‌ ପାଇଁ ଟଙ୍କା ଆବଶ୍ୟକ ବୋଲି ସେ ସୋସିଆଲ୍‌ ମିଡିଆରେ ନିବେଦନ କରିଥିଲେ। ନିବେଦନ କରିବାର ମାତ୍ର କିଛି ଘଣ୍ଟା ପରେ ତାଙ୍କ ପାଖକୁ ଆର୍ଥିକ ସହଯୋଗ ଆସିବାକୁ ଲାଗିଥିଲା। ତାଙ୍କର ମାତ୍ର ୪୫ ହଜାର ଟଙ୍କା ଆବଶ୍ୟକ ଥିବା ବେଳେ ପ୍ରାୟ ଏକ ଲକ୍ଷ ଟଙ୍କାର ସହଯୋଗ ଆସିଥିଲା। ୧୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସହଯୋଗ ଆସିଥିଲା। ସୁନା ସିନ୍ଦୁର ସୁସ୍ଥ ହେବା ପରେ ଏହି ଟଙ୍କା ସହଯୋଗୀଙ୍କୁ ଫେରାଇ ଦେବାକୁ ସ୍ଥିର କରିଥିଲେ। ସେ ସୁସ୍ଥ ‌ହୋଇ ପୁଣି କାମ ଆରମ୍ଭ କରିବା ପରେ ସହାୟତା ଅର୍ଥ ଫେରାଇବାରେ ଲାଗିଛନ୍ତି। ନିଜର ‘ଫୋନ୍‌ ପେ’ ଇତିହାସ ଯାଞ୍ଚ କରି ଯେଉଁମାନେ ଟଙ୍କା ଦେଇଥିଲେ ସେମାନଙ୍କ ଟଙ୍କା ଫେରାଉଛନ୍ତି। ଇତିମଧ୍ୟରେ ସେ ପ୍ରାୟ ୬୫ ହଜାର ଟଙ୍କା ଫୋନ୍‌ ପେ ମାଧ୍ୟମରେ ଫେରାଇ ସାରିଲେଣି। ଆଉ କିଛି ବ୍ୟକ୍ତିଙ୍କ ଫୋନ୍‌ ପେ ନମ୍ବର କାମ କରୁ ନଥିବାରୁ ସେ ପଠାଇ ପାରିନାହାନ୍ତି। ସୁନା ସିନ୍ଦୁର ସମସ୍ତଙ୍କ ଟଙ୍କା ଫେରାଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର