ହସ୍ପିଟାଲରୁ ଫେରି ସତ ଉଗାରିଲା ଜଗନ୍ନାଥ: ହଁ..ମୁଁ ରିଙ୍କିକୁ ମାରିଛି

୪ଦିନ ପୂର୍ବରୁ ରଚିଥିଲା ହତ୍ୟା ଷଡ୍‌ଯନ୍ତ୍ର
ଘର ଛାଡ଼ି ସାଙ୍ଗରେ ନ ଯିବାରୁ ମାରିଦେଲା
ହତ୍ୟା ପୂର୍ବରୁ ରିଙ୍କି ଓ ପୁଅ ସହ ନେଇଥିଲା ସେଲ୍‌ଫି
ହତ୍ୟା ପରେ ରିଙ୍କି ମଥାରେ ସିନ୍ଦୂର ପିନ୍ଧାଇଥିଲା

ଭୁବନେଶ୍ବର : ରାଜଧାନୀର ଭୀମଟାଙ୍ଗିରେ ରହୁଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ଓରଫ୍‌ ରିଙ୍କିଙ୍କୁ ହତ୍ୟା କରିଥିବା କଥା ସ୍ବୀକାର କରିଛି ଅଭିଯୁକ୍ତ ଜଗନ୍ନାଥ। କେବଳ ସେତିକି ନୁହେଁ, ‌କଲେଜ ବେଳରୁ ପ୍ରେମ କରୁଥିବା ରିଙ୍କିଙ୍କୁ ସେ କାହିଁକି ହତ୍ୟା କଲା ଏବଂ କେମିତି ହତ୍ୟାକାଣ୍ଡ ଭିଆଇଲା, ତାହା ଗୋଟିଗୋଟି କରି ପୁଲିସ ଆଗରେ ପ୍ରକାଶ କରିଛି। ହତ୍ୟାକାଣ୍ଡର ୪ଦିନ ପୂର୍ବରୁ ଜଗନ୍ନାଥ ରିଙ୍କିକୁ ହତ୍ୟା କରିବା ପାଇଁ ସ୍ଥିର କରିସାରିଥିଲା। ଆଉ ଏଥିପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ କରିଥିଲା। ଦୋକାନରୁ ଧାରୁଆ ଛୁରି, ବିଷ ବୋତଲ, ଥଣ୍ଡାପାନୀୟ, ସିନ୍ଦୂର, ଫରୁଆ ଏପରିକି ଛୁଆ ପାଇଁ ଚକୋଲେଟ୍ କିଣିଥିଲା। ଏହା ସହିତ ହତ୍ୟା ପରେ ନିଜ ମଧ୍ୟ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିବାରୁ ଜଗନ୍ନାଥ ଏକ ଚିଠି ୪ଦିନ ପୂର୍ବରୁ ଲେଖି ରଖିଥିବା ପୁଲିସ ଆଗରେ ପ୍ରକ‌ାଶ କରିଛି। ଆଜି ଏମ୍ସରୁ ସୁସ୍ଥ ହୋ‌ଇ ଡିସ୍‌ଚାର୍ଜ ହେବା ପରେ ଜଗନ୍ନାଥର ଏଭଳି ଚାଞ୍ଚଲ୍ୟକର ସ୍ବୀକ‌ାରୋକ୍ତି ଯୋଗୁଁ ସବୁକିଛି ସ୍ପଷ୍ଟ ହୋଇଯିବାରୁ ପୁଲିସ ତା’କୁ ଗିରଫ କରି ‌କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାକୁ ତା’କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ପୁଲିସର ଜେରାବେଳେ ଜଗନ୍ନାଥ ଜୁଲାଇ ୫ ତାରିଖ ଦିନ ହତ୍ୟାକାଣ୍ଡ ପୂର୍ବ ଓ ପରର ସମସ୍ତ ଘଟଣା ବର୍ଣ୍ଣନା କରିଥିଲା। ଜଗନ୍ନାଥ କହିଥିଲା; ସେଦିନ ସକାଳ ପ୍ରାୟ ୯ଟା ବେଳେ ରିଙ୍କିଙ୍କ ସ୍ବାମୀ ଅଫିସ୍ ବାହାରିଯିବା ପରେ ପରେ ସେ ଭୀମଟାଙ୍ଗି ଲେନ୍‌-୧ସ୍ଥିତ ତାଙ୍କ ଘରେ ପହଞ୍ଚିଥିଲା। ସେହି ସମୟରେ ରିଙ୍କି ଓ ତାଙ୍କ ପୁଅ ସାଙ୍ଗରେ ଥିଲେ। ଜଗନ୍ନାଥ ଉଭୟଙ୍କ ସହ ମୋବାଇଲ୍‌ରେ ଏକ ସେଲ୍‌ଫି ନେଇଥିଲା। ଏହା ପରେ ସେ ରିଙ୍କିଙ୍କୁ ଘର ଛାଡ଼ି ତା’ ସହ ଅନ୍ୟତ୍ର ପଳାଇଯିବାକୁ ବୁଝାଇଥିଲା। ମାତ୍ର ରିଙ୍କି ତା’ ସହ ଯିବାକୁ ଅରାଜି ହେବାରୁ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଝଗଡ଼ା ବଢ଼ିଥିଲା। ଏତିକିବେଳେ ରିଙ୍କି ରହୁଥିବା ଭଡ଼ାଘରର ମାଲିକ ତାଙ୍କ ଘରକୁ ଆସିଥିଲେ। କବାଟ ଠକ୍ ଠକ୍ ଶବ୍ଦ ଶୁଣି ଜଗନ୍ନାଥ ରିଙ୍କିଙ୍କ ସ୍ବାମୀ ଫେରିଆସିଥିବା ଭୟରେ ଦୌଡ଼ି ଯାଇ ଘର ବାଥରୁମ୍‌କୁ ଯାଇ ଲୁଚିଯାଇଥିଲା। ଜଗନ୍ନାଥଙ୍କ ଉପସ୍ଥିତି ସଂପର୍କ‌‌ରେ କିଛି ଟେର୍ ପାଇ ନ ଥିବା ଘର ମାଲିକ ରିଙ୍କିଙ୍କ ପରିବାର ପାଇଁ ଆଣିଥିବା ଦହିବରା ଦେବା ସହ ତାଙ୍କ ୩ବର୍ଷର ପୁଅକୁ ଖେଳାଇବା ତାଙ୍କ ଘରକୁ ନେଇଯାଇଥିଲେ। ଘର ମାଲିକ ଚାଲିଯିବା ପରେ ଜଗନ୍ନାଥ ବାଥରୁମ୍‌ରୁ ବାହାରି ପୁଣି ରିଙ୍କିଙ୍କ ସହ ଝଗଡ଼ା କରିଥିଲା ଏବଂ ଆଉ କାଳବିଳମ୍ବ ନକରି ରିଙ୍କିଙ୍କୁ ହତ୍ୟା କରିବା ପାଇଁ ମନରେ ୪ ଦିନ ପୂର୍ବରୁ ରଚିଥିବା ଷଡ଼୍‌ଯନ୍ତ୍ରକୁ ବାସ୍ତବ ରୂପ ଦେଇଥିଲା। ପ୍ରଥମେ ସେ ସାଙ୍ଗରେ ଆଣିଥିବା ଛୁରିରେ ଦାଣ୍ଡଘରେ ରିଙ୍କିର ଗଳାକାଟି ହତ୍ୟା କରିବା ପରେ ତାଙ୍କୁ ଘୋଷାରି ଘୋଷାରି ଭିତର ଘରକୁ ନେଇଥିଲା। ସେଠାରେ ରିଙ୍କିଙ୍କ ମଥାରେ ସିନ୍ଦୂର ଦେବା ସହ ତାଙ୍କ ଶବ ଫଟୋ ଉଠାଇ ହ୍ବାଟ୍‌ସଆପ୍‌ରେ ତାଙ୍କ ସ୍ବାମୀ ପାଖକୁ ପଠାଇଥିଲା। ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଏହି ଜଘନ୍ୟ କାଣ୍ଡ ଭିଆଇବା ପରେ ଜଗନ୍ନାଥ ନିଜ ପାରିବାରିକ ହ୍ବାଟ୍‌ସଆପ୍ ଗ୍ରୁପ୍‌ରେ ରିଙ୍କିକୁ ନେଇ ତ‌ା’ ମନରେ ଥିବା ଆକ୍ରୋଶ ଏବଂ ରିଙ୍କିର ହତ୍ୟା ପରେ ନିଜେ ଆତ୍ମହତ୍ୟା କରିବାକୁ ଯାଉଛି ବୋଲି ମେସେଜ୍ ପଠାଇଥିଲା। ଏହାପରେ ସେ ସାଙ୍ଗରେ ଆଣିଥିବା ଥଣ୍ଡାପାନୀୟରେ ବିଷ ମିଶାଇ ପିଇବା ସହ ନିଜ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଗନ୍ନାଥର ଏହି ହାତର ଅ‌ପରେସନ୍ ପାଇଁ ତା’କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ମାତ୍ର କୌଣସି କାରଣରୁ ଅପରେସନ୍ ନ ହେବାରୁ ଗତକାଲି ରାତିରେ ଏମ୍ସରୁ ତାକୁ ଡିସ୍‌ଚାର୍ଜ କରି ଦିଆଯାଇଥିଲା। ଏହା ପରେ ଏକ ୪ଜଣିଆ ସ୍ବତନ୍ତ୍ର ଟିମ୍ ଜଗନ୍ନାଥକୁ ମାରାଥନ୍ ଜେରା କରିବା ଆରମ୍ଭ କରିଥିଲା। ହ୍ବାଟ୍ସଆପ୍ ଚାଟ୍, ପାରିପାର୍ଶ୍ବିକ ପରିସ୍ଥିତି ଓ ଅନ୍ୟାନ୍ୟ ଦିଗକୁ ଅନୁଧ୍ୟାନ କରି ଦୁଇଜଣ ଏସିପି, ଏୟାରଫିଲ୍ଡ ଥାନା ଅଧିକାରୀ ଓ ତଦନ୍ତକାରୀ ଅଧିକାରୀ ତା’କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲେ। ଏହାପରେ ଜଗନ୍ନାଥ ହତ୍ୟାର ପୂରା ବିବରଣୀ ପୁଲିସ ଆଗରେ ବଖାଣିଥିଲା। ସେ ଜାଣିଥିଲା ଯେ ରିଙ୍କି ତା’ ସହିତ ଯିବାକୁ କେବେ ବି ରାଜି ହେବ ନାହିଁ; ସେଥିପାଇଁ ସେ ଛୁରିଠୁ ଆରମ୍ଭ କରି ବିଷ ବୋତଲ ଏପରିକି ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଲେଖି ସାଙ୍ଗରେ ଆଣିଥିଲା। ମାତ୍ର ରିଙ୍କି ଓ ତା’ର ପ୍ରେମ ଓ ଧୋକା କଥା କହିଥିଲେ ମଧ୍ୟ ତାପସ ନାମକ ବ୍ୟକ୍ତିର ସଂପୃକ୍ତି ବିଷୟରେ କିଛି କହିନଥିଲା।

ପୁଅକୁ କାହିଁକି ମାରିବାକୁ ଚାହୁଥିଲା ଜଗନ୍ନାଥ?:
ରିଙ୍କିର ଛୋଟ ପୁଅକୁ ହତ୍ୟା କରିବା ପାଇଁ ଜଗନ୍ନାଥ କାହିଁକି ମାନସିକ ଭାବେ ପ୍ରସ୍ତୁତି କରିଥିଲା ତା’ର ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳିନାହିଁ। ସମ୍ଭବତଃ ଜଗନ୍ନାଥ ସହିତ ରିଙ୍କି ଫେରାର୍ ନ ହେବା ପଛରେ ତା’ ୩ ବର୍ଷର ପୁଅର ମମତା ବାଧକ ସାଜୁଥିଲା। ଯେଉଁ ପୁଅର ମୋହ ପାଇଁ ରିଙ୍କି ଆଜି ତା’ର ହୋଇପାରିଲା ନାହିଁ, ତା’କୁ ମଧ୍ୟ ଦୁନିଆରୁ ହଟାଇଦେବାକୁ ସେ ସ୍ଥିର କରିଥିଲା ବୋଲି ଅନୁମାନ କରାଯାଉଛି।

ଦହିବରା ପାଇଁ ବଞ୍ଚିଗଲା ତିନି ବର୍ଷର କୁନିପୁଅ
ଭୀମଟାଙ୍ଗିର ଭଡ଼ାଘରେ ରହୁଥିବା ରିଙ୍କିଙ୍କ ପରିବାର ସହିତ ଘର ମାଲିକଙ୍କର ନିବିଡ଼ ସଂପର୍କ ଥିଲା। ବିଭିନ୍ନ ସମୟରେ ରିଙ୍କିଙ୍କ ପୁଅ ଘର ମାଲିକଙ୍କ ଘରକୁ ଖେଳିବାକୁ ଯାଉଥିବାରୁ ଉଭୟ ପରିବର ଘନିଷ୍ଠତା ବଢ଼ିଯାଇଥିଲା। ଜୁଲାଇ ୫ ତାରିଖରେ ରିଙ୍କିଙ୍କ ହତ୍ୟାକାଣ୍ଡର କିଛି ସମୟ ପୂର୍ବରୁ ଘର ମାଲିକ ବଜାରରୁ ଦହିବରା କିଣି ଆଣିଥିଲେ ଏବଂ ଏହି ଦହିବରାରୁ କିଛି ରିଙ୍କିଙ୍କ ପରିବାରକୁ ଦେବାକୁ ତାଙ୍କ ଘରକୁ ଯାଇଥିଲେ। ଘର ମାଲିକକୁ ଦେଖି ରିଙ୍କିର ପୁଅ ତାଙ୍କ ପାଖକୁ ଦୌଡ଼ି ଆସିଥିଲା। ତେଣୁ ଘରମାଲିକ ରିଙ୍କିର ପୁଅକୁ ଖେଳାଇବାକୁ ନେବା ପାଇଁ କୋଳାଇ ନେଇଥିଲେ। ଫଳରେ କୁନିପୁଅ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲା ବୋଲି ଆଜି ହତ୍ୟା ଅଭିଯୁକ୍ତ ଜଗନ୍ନାଥର ବୟାନରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର