ବରଗଡ଼ : ନଭେମ୍ବର ମାସର ପ୍ରଥମ ସକାଳ ବରଗଡ଼ ଜିଲ୍ଲା ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ବରଗଡ଼ ସଦର ବ୍ଲକ କଳାପାଣି ଗ୍ରାମର ଭାଗଚାଷୀ ବୃନ୍ଦାବନ ସାହୁ ଶେଷରେ ବିଷପିଇ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ସଂଧ୍ୟାରେ ଚକଡା ପୋକ ଲାଗିବାରୁ ବୃନ୍ଦାବନ ନିଜ ଫଳନ୍ତି ଜମିରେ ନିଅାଁ ଲଗାଇ ଦେଇଥିଲେ। ହେଲେ ବୁଧବାର ସକାଳୁ ସେ ବିଲରେ କୀଟନାଶକ ପିଇ ଦେଇଥିଲେ। ଆଖପାଖ ଅଂଚଳର ଚାଷୀମାନେ ବୃନ୍ଦାବନଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ତାଙ୍କୁ ଉଦ୍ଧାର କରି ତୁରନ୍ତ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ଆଜି ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି। ବିଭିନ୍ନ ରାଜନୈତିକ ଦଳ, ସାମାଜିକ ଏବଂ ଚାଷୀ ସଂଗଠନ ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଚକଡ଼ା ପୋକର ନିରାକରଣ ପାଇଁ ଦାବି କରିଛନ୍ତି। ଏହା ସହିତ ମୃତକଙ୍କ ପରିବାରବର୍ଗଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଓ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।
ମଙ୍ଗଳବାର ସଂଧ୍ୟାରେ ବୃନ୍ଦାବନ ଧାନ କିଆରିରେ ନିଅାଁ ଲଗାଇବା ପରେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ବିଧାୟକ ଦେବେଶ ଆଚାର୍ଯ୍ୟ, ତହସିଲଦାର ପ୍ରତିଭା ଦୋରା ଏବଂ ଜିଲ୍ଲା କୃଷି ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ତାଙ୍କୁ ବୁଝାଶୁଝା କରିଥିଲେ। କାଳେ ବୃନ୍ଦାବନ ଆତ୍ମହତ୍ୟା କରିଦେବେ ଭାବି ପରିବାର ଲୋକେ ଏବଂ ପାଖ ପଡ଼ୋଶୀ ତାଙ୍କୁ ସାରାରାତି ଜଗି ରହିଥିଲେ। ହେଲେ ଆଜି ସକାଳୁ ବୃନ୍ଦାବନ ବିଲକୁ ପଳାଇ କୀଟନାଶକ ପିଇ ଦେଇଥିଲେ।
ଭାଗଚାଷୀ ବୃନ୍ଦାବନ ପ୍ରାୟ ୧୫ ଏକର ଜମିରେ ଧାନ ଚାଷ କରିଥିଲେ। ଆଉ କିଛି ଦିନ ପରେ ଧାନ କାଟିବା ପାଇଁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଚକଡ଼ା ପୋକ ସବୁ ଫସଲ ନଷ୍ଟ କରି ଦେଇଥିଲା। ଚାଷ ପାଇଁ ସୋସାଇଟି ଏବଂ ହାତ ଉଧାରି କରିଥିବା ବୃନ୍ଦାବନ ଋଣ ବୋଝ ଯୋଗୁଁ ମାନସିକ ଚିନ୍ତାଗ୍ରସ୍ତ ଥିଲେ ବୋଲି ପରିବାରଲୋକ ଅଭିଯୋଗ କରିଛନ୍ତି। ତାଙ୍କ ମୁଣ୍ଡରେ ଥିବା ଋଣତକ ସଂପୂର୍ଣ୍ଣ ଛାଡ଼ କରିବା ପାଇଁ ପରିବାରବର୍ଗ ଓ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ମାମଲାର ବିଧିବଦ୍ଧ ଯାଂଚ ଓ ରିପୋର୍ଟ ପରେ ସରକାରୀ ନିୟମାନୁଯାୟୀ ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା ଓ କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଚକଡ଼ା ପୋକ ଯୋଗୁ ଫସଲ ନଷ୍ଟକୁ ନେଇ ଧାନ କ୍ଷେତରେ ନିଆଁ ଲଗାଇବା ଭଳି ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କର୍ଡୋଲା ଗ୍ରାମପଂଚାୟତର କୁଡ଼ାପାଲିରେ ଚାଷୀ ସତ୍ୟାନନ୍ଦ ସେଟ ତାଙ୍କ ବିଲରେ ନିଆଁ ଲଗାଇ ଦେଇଛନ୍ତି। ସେହିପରି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ଅଏଁଲାପଡ଼ାର ଚାଷୀ ଡିଲେଶ୍ୱର ପ୍ରଧାନ ମଧ୍ୟ ନିଜ ଜମିରେ ନିଆଁ ଲଗାଇ ଦେଇଛନ୍ତି।