ଶୀତଳଷଷ୍ଠୀର ୪ ଦିନ ପରେ ବି ହ୍ରାସ ପାଉନି ତାପମାତ୍ରା, ସମ୍ବଲପୁରର ପାରଦ ୪୩.୩ ଡିଗ୍ରି ଚଢ଼ିଲା

ଭୁବନେଶ୍ବର/ସମ୍ବଲପୁର: ଭଗବାନ ଶିବ ଓ ମା’ ପାର୍ବତୀଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସରିଛି। ଶୀତଳଷଷ୍ଠୀ ସମୟରେ ଲୋକ ବିଶ୍ବାସ ଅନୁସାରେ ସାମାନ୍ୟ ବର୍ଷା ବି ହୋଇଥିଲା। ହେଲେ ତାହା ପାଣିପାଗରେ ପରିବର୍ତ୍ତନ ପାଇଁ ଯଥେଷ୍ଟ ନଥିଲା। ଶୀତଳଷଷ୍ଠୀକୁ ୪ ଦିନ ବିତି ସାରିଥିଲେ ବି ତାତିରୁ ନିସ୍ତାର ମିଳି ନାହିଁ। ପ୍ରଚଣ୍ଡ ରୌଦ୍ରରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାବାସୀ ଏବେ ବି ଆଉଟୁପାଉଟୁ ହେଉଛିନ୍ତି। କିମ୍ବଦନ୍ତୀ ଅନୁଯାୟୀ ଶୀତଳଷଷ୍ଠୀ ଯାତ୍ରା ପରଠାରୁ ତାପମାତ୍ରା ହ୍ରାସ ପାଏ ଓ ଧରା ଶୀତଳ ହୁଏ। କିନ୍ତୁ ଏଥର ଏହି ଧାରାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଜି ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ‌ହୋଇଛି। ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରର ପାରଦ ଏବେ ବି ଯଥେଷ୍ଟ ଉପରେ ରହିଛି। ମଙ୍ଗଳବାର ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୪୩.୩ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ବୌଦ୍ଧରେ ଦ୍ବିତୀୟ ସହର ଭାବେ ୪୨.୯ ଡିଗ୍ରି ପାରା ଛୁଇଁଛି। ଝାରସୁଗୁଡ଼ାରେ ୪୨.୪, ହୀରାକୁଦରେ ୪୨.୨, ରାଉରକେଲା ଓ ବରଗଡ଼ରେ ୪୧.୬, ଟିଟିଲାଗଡ଼ରେ ୪୧.୫, ସୋନପୁରରେ ୪୧.୨, ସୁନ୍ଦରଗଡ଼ରେ ୪୦.୭, ଭବାନୀପାଟଣାରେ ୪୦.୫, ଯାଜପୁରରେ ୪୦.୫ ଓ ନୟାଡ଼ରେ ୪୦ ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବରରେ ୩୮.୬ ଓ କଟକରେ ୩୭.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ସୂର୍ଯ୍ୟଙ୍କ ପ୍ରଖର କିରଣରେ ସାରା ଓଡ଼ିଶା  ଜଳୁଛି । ଲୋକେ ପ୍ରବଳ ଖରାରେ ଭାଜି ହେଉଛନ୍ତି। ଗରମ ପବନରେ ଛଟପଟ ହେଉଛନ୍ତି ଜନତା। ଗ୍ରୀଷ୍ମ ପ୍ରବାହ କାରଣରୁ କେବଳ ପଶ୍ଚିମ ଓଡ଼ିଶା ନୁହେଁ। ବରଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ଲୋକେ ଖରାରେ ଛଟପଟ ହେଉଛନ୍ତି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୮ଟା ହୋଇଯିବା ମାତ୍ରେ ନିଦାଘ ମାଡ଼ି ଆସୁଛି। ଅପରାହ୍‌ଣ ୪ଟା ଯାଏଁ ତାପମାତ୍ରା ଲୋକଙ୍କୁ କଲବଲ କରୁଛି। ପଶ୍ଚିମଓଡ଼ିଶାରେ ସ୍ଥିତି ଆହୁରି ଖରାପ। ଶୀତଳଷଷ୍ଠୀ ପର୍ବ ଶେଷ ହୋଇଯାଇଛି ସତ। କିନ୍ତୁ ଧରିତ୍ରୀ ଶୀତଳ ପଡ଼ିନାହିଁ।

ସମ୍ବନ୍ଧିତ ଖବର