ବାଲେଶ୍ବର: ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଏବଂ ମୃତ୍ୟୁ ପରେ ଏବେ ବାଲେଶ୍ବର ଉପରେ ସାରା ରାଜ୍ୟର ନଜର । ଖାଲି ଓଡିଶାର ନୁହେଁ ବରଂ ଭାରତର ବି ନଜର ରହିଛି ବାଲେଶ୍ବର ଉପରେ । ସୌମ୍ୟାଶ୍ରୀଙ୍କ ପାଇଁ ଏବେ ସାରା ଦେଶର ଆଖି ବାଲେଶ୍ବର ପରି ଜିଲ୍ଲା ଉପରେ ରହିଛି । ଜାତୀୟ ଗଣମାଧ୍ଯମ ଠାରୁ ଆରମ୍ଭ କରି ଜାତୀୟ ଦଳ ଯାଏଁ । ସମସ୍ତେ ସୌମ୍ୟାଶ୍ରୀ, ଏଫଏମ କଲେଜ ଏବଂ ବାଲେଶ୍ବର ଉପରେ ଚର୍ଚ୍ଚା କରୁଥିବା ବେଳେ ଝିଅକୁ ନ୍ୟାୟ ଦେବାକୁ ଅଡ଼ି ବସିଛନ୍ତି । ଯଦିଓ ସୌମ୍ୟାଶ୍ରୀ ବଞ୍ଚିଥିବା ବେଳେ କାହାରି ଦେଖା ଦର୍ଶନ ନଥିଲା, କିନ୍ତୁ ମଲା ପରେ ମାଳମାଳ ସାହାଯ୍ଯ, ସହାନୁଭୂତି- ତାହା ପୁଣି କାହିଁକି ଜାଣନ୍ତି ରାଜନୀତି ପାଇଁ..
#WATCH | Balasore, Odisha | A BJD worker says, "...People in large numbers are joining our protest...The victim should get justice. The Chief Minister and the state Health Minister should resign...We have called for the Balasore Bandh from 6 am to 2 pm..." https://t.co/GEz4BOydN7pic.twitter.com/xdEf3A9Up1
— ANI (@ANI) July 16, 2025
ସୌମ୍ୟାଶ୍ରୀଙ୍କୁ ନେଇ କିଏ କେତେ ରାଜନୀତି କରିପାରିବ ? କିଏ କେତେ ରାଜନୈତିକ ଫାଇଦା ପାଇପାରିବ ସେ ନେଇ ପ୍ରତିଯୋଗିତା ଚାଲିଥିବା ବେଳେ ଏବେ ସମସ୍ତେ ବାଲେଶ୍ବର ମୁହାଁ । ଗତକାଲି ସୌମ୍ୟାଶ୍ରୀଙ୍କ ଶବ ଚାରିପଟେ ମାଳ ମାଳ ନେତାଙ୍କୁ ଦେଖିବାକୁ ମିଳିଥିବା ବେଳେ ଝିଅକୁ ନେଇ ଆଉ ରାଜନୀତି ନକରିବାକୁ ସୌମ୍ୟାଶ୍ରୀଙ୍କ ବାପା ସିଧାସିଧା କହିଦେବା ପରେ ଏବେ ରାଜନୀତିର ହଟସ୍ପଟ୍ ପାଲଟିଛି ବାଲେଶ୍ବର ।
ଆଜି ବାଲେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି । ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଓ ମୃତ୍ୟୁ ମାମଲାରେ ଆଜି ବାଲେଶ୍ଵର ବନ୍ଦ କରିଛି ବିଜେଡି । ବିଜେଡି ଏହି ଆନ୍ଦୋଳନକୁ ଜୋରଦାର କରିବା ସହ ବାଲେଶ୍ବରରୁ ଆରମ୍ଭ କରିଛି ଅଭିଯାନ । ଆଜି ସକାଳ ୬ଟାରୁ ଦିବା ୨ ଯାଏଁ ବନ୍ଦ ଡାକରା ଦିଆଯାଇଥିବା ବେଳେ ବାଲେଶ୍ବରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛି ବିଜେଡି । ବିଭିନ୍ନ ଛାମୁଆ ଏବଂ ଟାଣୁଆ ନେତାଙ୍କୁ ବାଲେଶ୍ବରରେ ଦେଖିବାକୁ ମିଳିଛି ।
ପୂର୍ବରୁ ମଧ୍ଯ ସୌମ୍ୟାଶ୍ରୀ ଆତ୍ମହୁତି ଉଦ୍ୟମ କରିବା ପରେ ପରେ ଏଫଏମ କଲେଜ ଆଗରେ ଧାରଣା ଏବଂ ବିକ୍ଷୋଭ କରିଥିଲେ ବିଜେଡି କର୍ମୀ । ଭୁବନେଶ୍ବରରୁ ଯାଇ ବାଲେଶ୍ବରରେ ନ୍ୟାୟ ପାଇଁ ଅଡ଼ି ବସିଥିଲେ । ଖାଲି ବାଲେଶ୍ବରରେ ନୁହେଁ ଆଜି ବିଜେଡି ପକ୍ଷରୁ ଭୁବନେଶ୍ବରରେ ଲୋକସେବା ଭବନ ଘେରାଉ ପାଇଁ ଉଦ୍ୟମ ହୋଇଛି । ପୋଲିସ ସହ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି । ପୋଲିସ ପକ୍ଷରୁ ସେମାନଙ୍କୁ ଅଟକାଇବାକୁ ପାଣି ମାଡ କରାଯାଇଛି ।
ସେପଟେ ସୌମ୍ୟାଶ୍ରୀ ମୃତ୍ୟୁ ମାମଲାକୁ ମଧ୍ଯ ଗୁରୁତ୍ବର ସହ ନେଇଛି କଂଗ୍ରେସ । ଆଜି ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ ରାହୁଲ ଗାନ୍ଧୀ କଥା ହୋଇଥିବା ବେଳେ ବାଲେଶ୍ବର ଘଟଣାରେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ପ୍ରିୟଙ୍କା ଗାନ୍ଧୀ ଓଡିଶା ଗସ୍ତରେ ଆସିପାରନ୍ତି ବୋଲି ସୂଚନା ମିଳିଛି । ତେବେ ଉଭୟ ବିଜେଡି ଓ କଂଗ୍ରେସ ଶାସକ ବିଜେପିକୁ ଘେରିବାକୁ ଉଦ୍ୟମ କରୁଥିବା ବେଳେ ସୌମ୍ୟାଶ୍ରୀଙ୍କ ପ୍ରସଙ୍ଗ ଏବେ ସେମାନଙ୍କ ପାଇଁ ବ୍ରହ୍ମାସ୍ତ୍ର ପାଟଲିଛି ଆଉ ବାଲେଶ୍ବର ରାଜନୀତିର ବାରୁଦ ଗଦା ପାଲଟିଛି ।