‘ଫନି’ ତାଣ୍ଡବ ରଚିବା ପରେ ପରେ…

ଭୁବନେଶ୍ୱର: ଦୀର୍ଘ ୨୦ ବର୍ଷ ପରେ ଓଡ଼ିଶା ଆଉ ଏକ ମହାବାତ୍ୟାର ସାମ୍ନା କରିଛି। ୧୯୯୯ ମସିହା ପରେ ଓଡ଼ିଶା ଇତିହାସରେ ପ୍ରଳୟଙ୍କରୀ ବାତ୍ୟା ଭାବେ ସାମୁଦ୍ରିକ ଝଡ଼ ‘ଫନି’ ସବୁଦିନ ପାଇଁ ଲିପିବଦ୍ଧ ହୋଇଯାଇଛି। ଏହି ବାତ୍ୟା ପ୍ରଭାବରେ ଉପକୂଳୀୟ ଜିଲ୍ଳାଗୁଡ଼ିକ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି। ବିଶେଷ ପ୍ରଭାବିତ ହୋଇଥିବା ଜିଲ୍ଳାଗୁଡ଼ିକ ମଧ୍ୟରେ ପୁରୀ, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ରହିଛନ୍ତି।

୨୦୧୯ ମେ ୩ ତାରିଖ ସକାଳ ପ୍ରାୟ ୬ଟାରୁ ଝିପିଝିପି ବର୍ଷା ଆରମ୍ଭ ହୋଇ ୮ଟାରେ ପୁରୀରେ ଲ୍ୟାଣ୍ଡ୍‌ଫଲ୍‌ କରିବା ପରେ ପବନର ବେଗ ଘଣ୍ଟାପ୍ରତି ୧୮୦ କିଲୋମିଟର ଟପିଥିଲା। ପୁରୀରେ ପ୍ରାୟ ଚାରିରୁ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ତାଣ୍ଡବ ରଚିଥିଲା ‘ଫନି’। ସେହିପରି ରାଜଧାନୀ ଭୁବନେଶ୍ୱରରେ ସକାଳ ୧୦ଟାରେ ଏହି ବାତ୍ୟାର ପ୍ରଭାବ ଆରମ୍ଭ ହୋଇଥିଲା। ପ୍ରାୟ ଅଧଘଣ୍ଟା ୧୭୦ କିଲୋମିଟର ବେଗରେ ପବନ ବହିବା ପରେ ଟିକିଏ ଶାନ୍ତ ପଡ଼ି ଯାଇଥିଲା ରାଜଧାନୀ। ମାତ୍ର ସେଇଠି ଥମି ଯାଇନଥିଲା ‘ଫନି’। ପ୍ରାୟ ଅଧଘଣ୍ଟା ପରେ ‘ଫନି’ ପୁଣି ଲେଉଟି ତାଣ୍ଡବ ରଚିଥିଲା। ସେ ସମୟରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୨୦୦ ଟପି ଯାଇଥିଲା। ସେହିପରି ଅନ୍ୟ ଅତିରିକ୍ତ ପ୍ରଭାବିତ ଜିଲ୍ଳାଗୁଡ଼ିକରେ ପବନର ବେଗ ସର୍ବନିମ୍ନ ୧୫୦ କିଲୋମିଟର ରହିଥିବା ରେକର୍ଡ ହୋଇଛି।

ବାତ୍ୟା ‘ଫନି’ ପରେ ଶ୍ରୀହୀନ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ରାସ୍ତା ସାରା ଭଙ୍ଗା ଗଛ, କ୍ଷୁଦ୍ର ବେପାରୀମାନେ ହରାଇଛନ୍ତି ଜୀବିକା ନିର୍ବାହର ପନ୍ଥା, ବାଟେଘାଟେ ବିଦ୍ୟୁତ୍‌ ଖୁଣ୍ଟି ପଡ଼ିଥିବା ହେତୁ ଯାନବାହନ ଯାତାୟତରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀବାସୀ। ଏହାଛଡ଼ା ପାଣି, ବିଜୁଳି ଓ ଯାତାୟତ ଅବ୍ୟବସ୍ଥା ଲୋକଙ୍କ ଚିନ୍ତାର କାରଣ ପାଲଟିଛି।

ମେ ୪ ତାରିଖ ସକାଳୁ ଏହି ଅବସ୍ଥାରେ ସୁଧାର ଆଣିବା ପାଇଁ ଶତଚେଷ୍ଟାରେ ଲାଗିପଡ଼ିଛନ୍ତି ସ୍ଥାନୀୟ ପ୍ରଶାସକ। ରାସ୍ତାରେ ପଡ଼ିରହି ରାସ୍ତା ଅବରୋଧ କରୁଥିବା ଗଛଗୁଡ଼ିକୁ ହଟାଯାଇ ରାସ୍ତା ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ବିଳୁଳି ନ ଥିଲେ ବି ଲୋକଙ୍କୁ ଜଳ ଯୋଗାଣ ମଧ୍ୟ କରାଯାଇଛି। ଆଜି ସକାଳୁ ରାଜଧାନୀ ଭୁବନେଶ୍ୱରରେ ସବୁଠାରୁ ଭିଡ଼ ଦେଖିବାକୁ ମିଳିଥିଲା ଜଳଖିଆ ଦୋକାନମାନଙ୍କରେ। ତେବେ, ଏଟିଏମ୍‌ ସେବା ବନ୍ଦ ହେତୁ ଲୋକେ କିଛି ମାତ୍ରାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବସ୍‌ ଓ ଅଟୋଗୁଡ଼ିକ ଏ ପରିସ୍ଥିତିରେ ଲୋକଙ୍କଠାରୁ ମନ ଇଚ୍ଛା ଭଡ଼ା ନେଉଥିବାର ଲୋକେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର