ଗଡ଼ପୋଷ: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡ଼ପୋଷ ପଞ୍ଚାୟତ ଅନ୍ତର୍ଗତ କରଲାଖମନ ବୁଲାଣିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସିମଡେଗାରୁ ସୋମବାର ରାତି ପ୍ରାୟ ୯ ଟାରେ ପିଣ୍ଡାପଥର ପଞ୍ଚାୟତ ପରମାଣପୁର ଢେଟୋପଡ଼ାକୁ ଏକ ବୋଲେରୋ ଯୋଗେ ଫେରୁଥିବା ସମୟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଗାଡ଼ିଟି ସଂପୂର୍ଣ୍ଣ ପୋଡ଼ି ଯାଇଛି। ଦୁର୍ଘଟଣା ସମୟରେ ଗାଡ଼ିରେ ଚାଳକଙ୍କ ସମେତ ଚାରିଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗିଯିବାରୁ ପଛପଟେ ବସିଥିବା ସୁରେଶ ଲୁଗୁନ୍ ବାହାରି ପାରି ନଥିଲେ।
ଭାଇକୁ ବଞ୍ଚାଇବାକୁ ଯାଇ ଦୁଇ ଭାଇଙ୍କ ସମେତ ୩ ଗୁରୁତର, ଚାଳକ ଫେରାର୍,
ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିଲେ
ତାଙ୍କୁ ବାହାର କରିବାକୁ ତାଙ୍କ ଦୁଇ ଭାଇ ସୁଲେ ଲୁଗୁନ, ନବୀନ ଲୁଗୁନ ଓ ପ୍ରମୋଦ ଏକ୍କା ଉଦ୍ୟମ କରିଥିଲେ। ସେମାନେ ଗୁରୁତର ଆହତ ହୋଇଥିବା ସତ୍ତ୍ବେ ଭାଇକୁ ବଞ୍ଚାଇବା ପାଇଁ ପୂର୍ଣ୍ଣ ପ୍ରୟାସ କରିଥିଲେ। ମାତ୍ର ନିଆଁ ତୀବ୍ର ହେବାରୁ ସେମାନେ ବିଫଳ ହୋଇଥିଲେ। ସୁରେଶ ନିଆଁରେ ପୋଡ଼ି ମୃତ୍ୟୁବରଣ କରିଥିଲେ। ଖବର ପାଇ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ସାହୁ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଗୁରୁତର ଆହତ ତିନିଜଣଙ୍କୁ ଗଡ଼ପୋଷ ମେଡିକାଲକୁ ନେଇଥିଲେ। ଅବସ୍ଥା ଉଦ୍ବେଗଜନକ ହେବାରୁ ତିନି ଜଣଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କୁତ୍ରା ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେମାନେ ଜଣେ ସଂପର୍କୀୟ ଯୁବତୀଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମ(ବଡ଼କୁଟୁମ୍ବ)ରେ ଯୋଗଦେଇ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଗୋବିନ୍ଦପୁର ଥାନାଧିକାରୀ ବିଧୁ ଭୂଷଣ ମିଶ୍ର ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଦୁର୍ଘଟଣା ପରେ ବଲେରୋର ଚାଳକ ଫେରାର୍ ହୋଇଯାଇଥିବା ଜଣାଯାଇଛି ।