ପ୍ରଶାସନର ପାଦ ପଡ଼ିଲା, ରାସ୍ତା ହେଲା

ପାଦଚଲା ବାଟରେ ଯାଉଥିଲେ ଗାଁ ଲୋକ, କିଡ୍‌ନି ‌ରୋଗରେ ପ୍ରାଣ ହରାଇଥିଲେ ୧୮

ଅନୁଗୁଳ, (ପତିତପାବନ ସାହୁ): ଅପନ୍ତରା ଅଞ୍ଚଳ ହୋଇଥିବାରୁ ଯେଉଁ ଗଁାକୁ ରାସ୍ତାଟିଏ ନଥିଲା, ପ୍ରଶାସନର ପାଦ ପଡ଼ିବା ପରେ ତାହାକୁ ନିର୍ମାଣ କରାଯାଇଛି। ଏହି ରାସ୍ତ‌‌ାରେ ଚାରିଚକିଆ ଯାନ ଯିବା ବି ସମ୍ଭବପର ହୋଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ଗଁା କିଡ୍‌ନି ରୋଗ ପାଇଁ ଚର୍ଚ୍ଚାରେ ଥିଲା। ଗତ ବର୍ଷକ ଭିତରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଯାଇ ପ୍ରଶାସନର ନିଦ ଭାଙ୍ଗିବା ସହିତ ଗଁାକୁ ପାଦ ପଡ଼ିଥିଲା।

ଏହି ଗାଁ ହେଉଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଳକ୍‌ ଠାକୁରଗଡ଼ ପଞ୍ଚାୟତର ଅମାସମା। ଗାଁରେ ପ୍ରାୟ ୩୫ଟି ପରିବାର ବାସ କରିନ୍ତି। ପାଖାପାଖି ଦେଢ଼ ଶହ ଲୋକ ରହୁଥିଲାବେଳେ ସମସ୍ତେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର। କିଡ୍‌ନି ରୋଗରେ ଗଁାର ବହୁ ଲୋକ ଆକ୍ରାନ୍ତ ହୋଇଥିଲା। ଏଥିପାଇଁ ଗତ ବର୍ଷକ ଭିତରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା। ସେପ୍ଟେମ୍ବର-ଅକ୍ଟୋବରରେ ଏହି ଗାଁରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଚର୍ଚ୍ଚା ହେବାପରେ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଥିଲେ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା। କିନ୍ତୁ, ଗାଁକୁ ଯିବାପାଇଁ ରାସ୍ତା ପାଇ ନ ଥିଲେ। ଗାଁକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ପାଖରେ ଅଟକି ରହିଥିଲେ। ପରେ କେତେଜଣ ଯୁବ ସ୍ବେଚ୍ଛାସେବୀଙ୍କ ସହାୟତାରେ ସେ ବାଇକ୍‌ରେ ଗାଁକୁ ଯାଇଥିଲେ। ଗାଁରେ ଲୋକଙ୍କ ଅସୁବିଧା ବୁଝିବା ପରେ ଫେରିଥିଲେ।

ପରେ ଗାଁକୁ ରାସ୍ତା ନ ହେବାର କାରଣ ଖୋଜାଯାଇଥିଲା। ଉପଜିଲ୍ଲାପାଳ ଶ୍ରୀସୁନା ଏଥିନେଇ ଅନ୍ୟ ଅଧିକାରୀ, ବ୍ଲକ୍‌ ପ୍ରଶାସନ ଓ ସରପଞ୍ଚ ଚାରୁଲତା ମିଶ୍ରଙ୍କ ସହ ‌ଆଲୋଚନା କରିଥିଲେ। ରାସ୍ତାକୁ ନେଇ ଯେଉଁ ବିବାଦ ରହିଥିଲା, ଯୁଦ୍ଧକାଳୀନ ଭିତ୍ତ‌ିରେ ତାକୁ ତୁଟାଇବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା। ଏହାପରେ ଗାଁକୁ ରାସ୍ତା ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ମନରେଗା ‌ଯୋଜନାରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏବେ ଗାଁକୁ ରାସ୍ତା ନିର୍ମାଣ କରାଯାଇଛି। ଫଳରେ, ଗାଁକୁ ୪ ଚକିଆ ଗାଡ଼ି ଯିବା ସମ୍ଭବ ହୋଇଛି। ଆଜି ଉପଜିଲ୍ଲାପାଳ ଓ ତହସିଲଦାର ଏହି ଗାଁକୁ ଯାଇ ରାସ୍ତା ନିର୍ମାଣର ଅଗ୍ରଗତି ସମୀକ୍ଷା କରିଛନ୍ତି।

ଏ ସମ୍ପର୍କରେ ଉପଜିଲ୍ଲାପାଳ ତରଣୀ ସୁନା କହିଛନ୍ତି, ଗାଁକୁ ଥିବା ରାସ୍ତାରେ କିଛି ଘରୋଇ ଜମି ଥିବାରୁ ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇ ପାରୁ ନ ଥିଲା। ଆଲୋଚନା କରାଯାଇ ଏହାର ସମାଧାନ କରାଯାଇଛି। ଏବେ ପଞ୍ଚାୟତ ତରଫରୁ ମାଟି ରାସ୍ତା ନିର୍ମାଣ କରାଯାଇଥିଲାବେଳେ ଧାନ କଟା ସରିବା ପରେ ଦୁଇଟି ଛୋଟ ପୋଲ ନିର୍ମାଣ କରାଯିବ। ବାସୁଦେବପୁରକୁ ସଂଯୋଗ କରୁଥିବା ଏହି ରାସ୍ତାକୁ ପକ୍କା ସଡ଼କ କରିବା ନେଇ ପ୍ରକ୍ରିୟା ଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର