ପୁରୀ: ପବିତ୍ର ପୁଷ୍ୟା ନକ୍ଷତ୍ର ତିଥିରେ ପୁରୀ ରାଜନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବଡ଼ଦାଣ୍ଡସ୍ଥିତ ରାଜନଅର ଉତ୍ସବମୁଖର ହୋଇ ଉଠିଥିଲା। ଗଜପତି ମହାରାଜାଙ୍କ ଗାଦି ବିଜେ ପରେ ଷୋଳ ଶାସନର ଶୋତ୍ରୀୟ ବ୍ରାହ୍ମଣମାନେ ମହାରାଜାଙ୍କୁ ଅଷ୍ଟଧାତୁ ପଇତା, ନଡ଼ିଆ ଆଦି ଭେଟି ଦେବା ସହ ଶୁଭାଶୀର୍ବାଦ ପ୍ରଦାନ କରିଥିଲେ। ଗଜପତିଙ୍କ ପୁଷ୍ୟାଭିଷେକ ଅବସରରେ ବର୍ଷକରେ ଥରେ ରାଜଗୁରୁଆଣୀଙ୍କ ଶ୍ରୀନଅରରେ ସେବା ରହିଥାଏ। ଏଣୁ ଆଜି ଶ୍ରୀନଅର ରାଜଗୁରୁ ସୁଧାଂଶୁ ରାଜଗୁରୁ, ଦେବୀପ୍ରସାଦ ରାଜଗୁରୁଙ୍କ ସମେତ ରାଜଗୁରୁଆଣୀମାନେ ଏହି ବିଧି ସଂପନ୍ନ କରିଥିଲେ।
ପୂଜାର୍ଚ୍ଚନା ପରେ ସିଂହାସନ ବିଜେ କଲେ ଗଜପତି
ପଇତା, ଶ୍ରୀଫଳ ଭେଟିଦେଲେ ଷୋଳ ଶାସନ ବ୍ରାହ୍ମଣ
ବିଧି ଅନୁଯାୟୀ ବୁଧବାର ସକାଳେ ଗଜପତି ମହାରାଜଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥିଲା। ପରେ ଦେବାର୍ଚ୍ଚନା, ମଙ୍ଗଳାର୍ପଣ, ବନ୍ଦାପନା ସହ ଅନ୍ୟାନ୍ୟ ନୀତି ସଂପନ୍ନ ହୋଇଥିଲା। ସନ୍ଧ୍ୟାରେ ରାଜନଅରରେ ପୁଷ୍ୟାଭିଷେକ ନୀତି ସଂପାଦନ ହୋଇଥିଲା। ପରମ୍ପରା ଓ ବିଧି ମୁତାବକ ଶ୍ରୀନଅରରେ ପଞ୍ଚଦେବତା ପୂଜାର୍ଚ୍ଚନା, ରାମାଭିଷେକ ପଟି, ଶ୍ରୀଜଗନ୍ନାଥଙ୍କ ପଟି, ବର୍ଦ୍ଧନି କଳସ, ବରୁଣ ପୂଜା ଆଦି ନୀତି ସଂପନ୍ନ ପରେ ଗଜପତି ଓ ମହାରାଣୀଙ୍କ ଆଗରେ ପାହାଡ଼ା ଟଣାଯାଇଥିଲା। ପାହାଡ଼ାର ଗୋଟିଏ ପାର୍ଶ୍ବରେ ଗଜପତି ମହାରାଜା ଓ ମହାରାଣୀ ବିରାଜମାନ କରିଥିବାବେଳେ ଅପରପାର୍ଶ୍ବରେ ଦେବଦେବୀ ବିଜେ କରିଥିଲେ। ଦେବଦେବୀଙ୍କ ପୂଜାର୍ଚ୍ଚନା ପରେ ଅଭିମନ୍ତ୍ରିତ ଜଳରେ ରାଜଗୁରୁ ଗଜପତି ଓ ମହାରାଣୀଙ୍କୁ ଅଭିଷିକ୍ତ କରାଇଥିଲେ। ପୂଜା ଶେଷ ପରେ ଗଜପତି ଦେବଦେବୀଙ୍କୁ ଦର୍ଶନ କରି ସିଂହାସନ ବିଜେ କରିଥିଲେ।
ପୂଜା ବିଧି ସଂପର୍କରେ ଶ୍ରୀନଅର ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ କହିଛନ୍ତି, ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦେବାଭିଷେକ ବା ପୁଷ୍ୟାଭିଷେକ ନୀତି ସଂପନ୍ନ ହୋଇଥିଲା। ପ୍ରଭୁ ରାମଚନ୍ଦ୍ର ଏହିଦିନ ରାଜ ସିଂହାସନ ବିଜେ କରିଥିଲେ। ଏହାର ସ୍ମରଣରେ ରାଜନଅରରେ ଆଜି ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ସଂପନ୍ନ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/16/PhZg9lHr0sBYtTDqG6Qm.jpg)